ରେଳ ବିଭାଗ ପ୍ରତି ଲୋକଙ୍କ ଆସ୍ଥାଭାଜନ ହୋଇଛି, ମୋଦି ସରକାରରେ ଓଡ଼ିଶାର ସୁବର୍ଣ୍ଣ ଯୁଗ ଆରମ୍ଭ

ଅର୍ଗସ ବ୍ୟୁରୋ : ରେଳ ବିଭାଗ ପ୍ରତି ଲୋକଙ୍କ ଆସ୍ଥାଭାଜନ ହୋଇଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେଳ କ୍ଷେତ୍ର ଓଡ଼ିଶାର କାୟାକଳ୍ପ କରିବା ସହ ‘ପୂର୍ବୋଦୟ’ର ପ୍ରମୁଖ ମାଧ୍ୟମ ହେବ ବୋଲି ସୋମବାର ସମ୍ବଲପୁର ରେଳ ଷ୍ଟେସନରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : ନିଜ ପାଇଁ ନୁହେଁ ସମୂହଙ୍କ ପାଇଁ ବଞ୍ଚିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
ଆଜି ଦେଶରେ ମୋଦି ସରକାରରେ ସବୁ କ୍ଷେତ୍ର ବିଶେଷ ଭାବରେ ରେଳ ବିଭାଗରେ ଲୋକଙ୍କର ପ୍ରତି ଆଶା ବଢିଛି । ଦେଶରେ ନୂଆ ଜାଗରଣ ତିଆରି ହୋଇଛି । ରେଳ ଅନୁଦାନ ବୃଦ୍ଧି ସହ ରେଳ ପ୍ରକଳ୍ପ ସୁଚାରୁରୂପେ କ୍ରିୟାନ୍ୱୟନ ହେଉଛି । ଅଯୋଧ୍ୟାକୁ ଟ୍ରେନ୍ ଚଲାଇବା ପାଇଁ ଲୋକମାନେ ଦାବି କରୁଛନ୍ତି । ମୁଁ ମଧ୍ୟ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛି । ପ୍ରସାନ୍ଥି ନୀଲୟମ ଓ ତିରୁପତି ପର୍ଯ୍ୟନ୍ତ ଟ୍ରେନ୍ ଚଲାଇବା ପାଇଁ ଲୋକଙ୍କ ଦାବି ହେଉଛି । ଏହାର ଅର୍ଥ ରେଳ ବିଭାଗର ପ୍ରତି ଲୋକଙ୍କ ଆସ୍ଥାଭାଜନ ହୋଇଛି । ମୋଦି ସରକାରରେ ଓଡ଼ିଶାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ।
ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ଖୁସିର ବିଷୟ । ବିଶାଖାପାଟଣା ପର୍ଯ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏକ ଯୁଗାନ୍ତ ପରିବର୍ତ୍ତନ । ସମ୍ବଲପୁର ଏକ କଳା, ସାଂସ୍କୃତିକ, ପର୍ଯ୍ୟଟନଭିତ୍ତିକ ସହର । ବନାରସ ଆମ ଭାରତୀୟ ସଭ୍ୟତାର ଅନନ୍ୟ ପ୍ରାଣକେନ୍ଦ୍ର । ବିଶାଖାପାଟଣା ବାଣିଜ୍ୟ, ବ୍ୟବସାୟ ଏବଂ ପର୍ଯ୍ୟଟନ ଭିତ୍ତିକ ସହର । ଆଜିର ପଦକ୍ଷେପ ଏହି ତିନୋଟି ସହର ମଧ୍ୟରେ ଶିକ୍ଷା, ଚିକିତ୍ସା, ପର୍ଯ୍ୟଟନ, ଯାତ୍ରୀ ସୁବିଧା ଓ ବ୍ୟବସାୟକୁ ଅଧିକ ସୁଗମ କରିବା ସହ ଅର୍ଥନୀତିକୁ ମଜଭୂତ୍ କରିବ । ଦୀର୍ଘ ଦିନର ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ।
📱 Get Argus News App
✨ଏହି ଅବସରରେ ରେଳ ମନ୍ତ୍ରୀଙ୍କୁ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା –ବଲାଙ୍ଗୀର, ତାଳଚେର-ବିମଳାଗଡ଼, ସମ୍ବଲପୁର-ରେଢାଖୋଲ-ଗୋପାଳପୁର ଏବଂ ତାଳଚେର-ଗୋପାଳପୁର ରେଳ ଲାଇନ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ସେହିପରି ଭାବରେ ସମ୍ବଲପୁର ରେଳ ଷ୍ଟେସନରେ ଅତ୍ୟାଧୁନିକ ସୁବିଧା ସହ ଷ୍ଟେସନର ଡିଜାଇନକୁ ସମ୍ବଲପୁରର ସାଂସ୍କୃତିକ ଢାଞ୍ଚାରେ ବିକଶିତ କରିବା ପାଇଁ ବୁର୍ଲାର ଭିସୁଟ୍ ଏବଂ ଆଇଆଇଏମ ସମ୍ବଲପୁରର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଇବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କଳା, ସଂସ୍କୃତି ଓ ପରମ୍ପରାର ସହର ହେଉଛି ସମ୍ବଲପୁର । ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଚ୍ୟୁ ଅଫ୍ ୟୁନିଟ୍, ନୂଆ ସଂସଦ ଭବନ, କର୍ତ୍ତବ୍ୟପଥ, ଯୋଶଭୂମି, ଭାରତ ମଣ୍ଡପମ୍ ଭଳି ସ୍ଥାନରେ ସ୍ଥାନୀୟ କଳା ଓ ଐତିହ୍ୟକୁ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ଭାବରେ ସମ୍ବଲପୁର ଷ୍ଟେସନର ମଧ୍ୟ ବିକାଶ କରାଯାଉ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାରରେ ଓଡ଼ିଶା ‘ପୂର୍ବୋଦୟ’ର ପ୍ରୟୋଗଶାଳା ହୋଇଥିବା ବେଳେ ରେଳ ବିଭାଗ ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀଙ୍କ ସହଯୋଗରେ ପୁରୀରେ ବିମାନବନ୍ଦର ନିର୍ମାଣ ହୋଇଛି । ପୂର୍ବରୁ ଝାରସୁଗୁଡାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ହୋଇଛି । ସମ୍ବଲପୁରରେ ହଜାର କୋଟି ଟଙ୍କା ବ୍ୟୟରେ ରିଙ୍ଗ୍ ରୋଡର କାମ କରିବା ପାଇଁ ଯୋଜନା ହୋଇଛି । ମୋଦି ସରକାରରେ ଖଣି ରାଜସ୍ୱ ୫ ହଜାର କୋଟି ରୁ ୫୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ୧୮ ଲକ୍ଷ କୋଟି ଟଙ୍କା ମୋଦି ସରକାର ଦେଇଛନ୍ତି । ବର୍ଷ ୨୦୨୨-୨୩ରେ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ଓଡ଼ିଶା ସରକାର ପିଏମ ଆବାସ, ଘରକୁ ପାଇପ ଯୋଗେ ପାଣି, ଲୋକଙ୍କୁ ମୌଳିକ ସୁବିଧା ଆଦି ଯୋଗାଇ ଦେବା ପାଇଁ ପ୍ରାୟ ୩୮ ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କେବଳ ରେଳ ବିଭାଗ ୧୦ ହଜାର କୋଟି ଟଙ୍କା ଅନୁଦାନ ଦେଇଛି । ଓଡ଼ିଶାରେ ୬ ହଜାର ଟେଲିଫୋନ୍ ଟାଓ୍ୱାର ସ୍ଥାପନା ହୋଇଛି । ଭାରତକୁ ବିକଶିତ କରିବା ପାଇଁ ହେଲେ ରେଳ, ବନ୍ଦର, ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ ମଜଭୂତ୍ କରିବାକୁ ହେବ । ଏଥିପାଇଁ ମୋଦି ସରକାରରେ ଅଧିକ କାମ ସହ ଅଧିକ ଅର୍ଥ ଆସୁଛି । ବରଗଡ଼-ନୂଆପଡ଼ା ଲାଇନ, ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ପାଇଁ କାମ ଆରମ୍ଭ ହୋଇଛି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରାଇବା ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।