Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Indigo Flights Cancelled / ତୃତୀୟ ଦିନରେ ବି ଉଡ଼ି ପାରୁନି ଇଣ୍ଡିଗୋ ବିମାନ; ଭୁବନେଶ୍ଵରରେ ବି ପ୍ରଭାବ, ଯାତ୍ରୀ ହନ୍ତସନ୍ତ

Sushanta Sahoo
Browse all articles by Sushanta Sahoo
·7 months ago·3 min read
ତୃତୀୟ ଦିନରେ ବି ଉଡ଼ି ପାରୁନି ଇଣ୍ଡିଗୋ ବିମାନ; ଭୁବନେଶ୍ଵରରେ ବି ପ୍ରଭାବ, ଯାତ୍ରୀ ହନ୍ତସନ୍ତ
Pilot Shortage Disrupts Indigo Operations

Key Points

ଲଗାତାର ତୃତୀୟ ଦିନ ବି ଉଡ଼ି ପାରୁନି ଇଣ୍ଡିଗୋର ବିମାନ । ଗୁରୁବାର ଇଣ୍ଡିଗୋ ଏକାଧିକ ଉଡ଼ାଣକୁ ବାତିଲ୍ କରିଛି । ସାରା ଦେଶରେ ଇଣ୍ଡିଗୋର ସେବା ପ୍ରଭାବିତ ହୋଇଥିବା ବେଳେ ଭୁବନେଶ୍ଵରରେ ବିମାନବନ୍ଦରର ପ୍ରଭାବ ପଡ଼ିଛି ।
ଭୁବନେଶ୍ଵର/ନୂଆଦିଲ୍ଲୀ: ସମସ୍ୟା ଭିତରେ ଭାରତର ସବୁଠୁ ବଡ଼ ଏୟାରଲାଇନ୍ସ । ଲଗାତାର ତୃତୀୟ ଦିନ ବି ଉଡ଼ି ପାରୁନି ଇଣ୍ଡିଗୋର ବିମାନ । ଗୁରୁବାର ଇଣ୍ଡିଗୋ ଏକାଧିକ ଉଡ଼ାଣକୁ ବାତିଲ୍ କରିଛି । ସାରା ଦେଶରେ ଇଣ୍ଡିଗୋର ସେବା ପ୍ରଭାବିତ ହୋଇଥିବା ବେଳେ ଭୁବନେଶ୍ଵରରେ ବିମାନବନ୍ଦରର ପ୍ରଭାବ ପଡ଼ିଛି ।

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏକାଧିକ ବିମାନ ଯିବାରେ ବିଳମ୍ବ ହୋଇଥିବା ବେଳେ କିଛି ବିମାନକୁ ବାତିଲ୍ କରାଯାଇଛି । ଗୁରୁବାର ସକାଳ ସାଢ଼େ ୮ଟା ସୁଦ୍ଧା ଏକାଧିକ ବିମାନ ବିଳମ୍ବ ଥିବାବେଳେ ଗୋଟିଏକୁ ବାତିଲ୍ କରାଯାଇଛି ।

ଏଥିସହ ପଢ଼ନ୍ତୁ: ୨୦୦ ଇଣ୍ଡିଗୋ ଉଡ଼ାଣ ବାତିଲ, ଅପରେସନ୍ ପ୍ରଭାବିତ....ସମସ୍ତ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କଲେ କର୍ତ୍ତୃପକ୍ଷ

ଭୁବନେଶ୍ଵରରୁ ବେଙ୍ଗାଳୁରୁ ଯିବାକୁ ଥିବା ଇଣ୍ଡିଗୋ ବିମାନ 6E703 ବିଳମ୍ବ ରହିଛି । ଭୁବନେଶ୍ୱରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନ 6E6793, ଭୁବନେଶ୍ୱରରୁ ସିଙ୍ଗାପୁର ଯାଉଥିବା ଇଣ୍ଡିଗୋ ବିମାନ 6E1017 ମଧ୍ୟ ବିଳମ୍ବ ରହିଛି ।

ବିମାନ ୨ରୁ ୩ ଘଣ୍ଟା ବିଳମ୍ବ ରହିଛି । ଯାହାକୁ ନେଇ ଯାତ୍ରୀ କହିଛନ୍ତି, "ବିମାନ ବିଳମ୍ବ ହେଉ ଅବା ବାତିଲ୍ କରାଯାଉ । କିନ୍ତୁ ଇଣ୍ଡିଗୋ ରିସ୍କ୍ ଭିତରେ ବିମାନ ନ ଉଡ଼ାଉ ।"

ସୂଚନା ଅନୁସାରେ, ଇଣ୍ଡିଗୋ ପାଖରେ ଏବେ ପାଇଲଟ୍ ସମସ୍ଯା ଦେଖା ଦେଇଛି । ଫଳରେ ବିମାନ ଉଡ଼ାଣ ହୋଇପାରୁ ନାହିଁ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସମେତ ଦେଶର ଅନ୍ଯ ସହରରେ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସିଛନ୍ତି ।

ଗୁରୁବାର ଦିଲ୍ଲୀରେ ଇଣ୍ଡିଗୋ ୩୦ରୁ ଅଧିକ ବିମାନ ଉଡ଼ାଣ ବାତିଲ୍ କରିଥିବା ବେଳେ ହାଇଦ୍ରାବାଦରେ ୩୩ଟି ବିମାନ ରଦ୍ଦ ହୋଇଛି । ଏହାପୂର୍ବରୁ ମଙ୍ଗଳବାର ଓ ବୁଧବାର ମଧ୍ୟ ଅନେକ ବିମାନ ବାତିଲ୍ କରିଥିଲା ଇଣ୍ଡିଗୋ । ଏକାଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିଲା ।

ସରକାରୀ ତଥ୍ୟ ଅନୁସାରେ, ମଙ୍ଗଳବାର ଇଣ୍ଡିଗୋର ମାତ୍ର ୩୫ ପ୍ରତିଶତ ବିମାନ ସମୟରେ ଉଡ଼ାଣ ଭରିଛି । ପ୍ରତିଦିନ ଇଣ୍ଡିଗୋ ୨୨୦୦ରୁ ଅଧିକ ବିମାନ ଉଡ଼ାଣ କରିଥାଏ । ବୁଧବାର ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଇଣ୍ଡିଗୋ ପ୍ରାୟ ୨୦୦ ବିମାନ ଉଡ଼ାଣ ବାତିଲ୍ କରିଥିଲା ।

ତେବେ ହଠାତ୍ କାହିଁକି ଇଣ୍ଡିଗୋ ଏଭଳି ସ୍ଥିତିର ସମ୍ମୁଖୀନ ହେଲା । ସୂଚନା ଅନୁସାରେ, ଗତ ମାସରେ ନୂଆ ବିମାନ କାର୍ଯ୍ୟ ସମୟ ଅବଧି (FDLT) ନିୟମ ଲାଗୁ ହୋଇଥିଲା । ଯାହା ପରେ ଇଣ୍ଡିଗୋ ପାଇଲଟ୍ ଅଭାବର ସାମ୍ନା କରୁଛି ।

ଏଥିସହ ପଢ଼ନ୍ତୁ: 'ଗୁଳି ମାରିବି... ଖଣ୍ଡ ଖଣ୍ଡ କରି ଟ୍ରେନ୍ ଲାଇନ୍‌ରେ ଫିଙ୍ଗିଦେବି'; ବିଧାୟକଙ୍କୁ ଦାଦନ ଦଲାଲଙ୍କ ଧମକ

FDLT ନିୟମ ହେଉଛି ଉଡ଼ାଣ ସମୟ ସୀମା । ଯାହା ସର୍ବାଧିକ ଉଡ଼ାଣ ଘଣ୍ଟା, କାର୍ଯ୍ୟ ସମୟ ଅବଧି ସହ ଆରାମର ଆବଶ୍ୟକତା ନିର୍ଦ୍ଧାରଣ କରିଥାଏ । ବିମାଳଚାଳକ ଥକ୍କା ମେଣ୍ଟାଇବା ପାଇଁ ଏହି ନିୟମ ଲାଗୁ ହୋଇଛି ।

ପୂର୍ବରୁ ସମୟରେ ଉଡ଼ାଣ ପାଇଁ ଇଣ୍ଡିଗୋ ଗୌରବାନ୍ଵିତ ମନେ କରୁଥିଲା । ଆଜି ସେହି ରେକର୍ଡ ଭାଙ୍ଗି ଯାଇଛି । ଦୁଇ ଦିନ ଭିତରେ ଇଣ୍ଡିଗୋ ୩୦୦ରୁ ଅଧିକ ଉଡ଼ାଣ ବାତିଲ୍ କରିଥିବା ବେଳେ ଅନେକ ବିମାନ ୭ରୁ ୮ ଘଣ୍ଟା ବିଳମ୍ବରେ ଉଡ଼ାଣ କରିଛି ।

ଇଣ୍ଡିଗୋର ସ୍ପଷ୍ଟୀକରଣ

ଉଡ଼ାଣ ସମସ୍ୟାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସ କହିଛି, "୨ ଦିନ ହେଲା ବିମାନ ଉଡ଼ାଣରେ ବିଳମ୍ବ ହେଉଛି । ଯେଉଁଥିପାଇଁ କମ୍ପାନୀ ସମସ୍ତ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଅନେକ ଉଡ଼ାଣ ବୈଷୟିକ ତ୍ରୁଟି ଓ ଥଣ୍ଡା ପାଇଁ ପ୍ରଭାବିତ ହୋଇଛି । ପରିବର୍ତ୍ତିତ କାର୍ଯ୍ୟସୂଚୀ, ଖରାପ ପାଣିପାଗ ସହ ବିମାନ ଯାତ୍ରା ପାଇଁ ବଢ଼ୁଥିବା ଚାହିଦା ଏବଂ କ୍ରିଉ ରୋଷ୍ଟରିଂ ନିୟମ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ସ୍ଥିତିକୁ ସମ୍ଭାଳିବା ପାଇଁ ପଦକ୍ଷେପ ନିଆଯାଇ ଉଡ଼ାଣରେ ପରିବର୍ତ୍ତନ କରାଯାଉଛି । ସ୍ଥିତି ଶୀଘ୍ର ସୁଧାରିବାକୁ ଇଣ୍ଡିଗୋ ନିରନ୍ତର ପ୍ରୟାସ କରୁଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indigo Flights Cancelled for Third Day; Chaos in India | Argus News | Argus News