ବଡଭାଇ ବଳଭଦ୍ରଙ୍କ ପାଇଁ "ପାଟ ବସ୍ତ୍ର" ପଠାଇଥାନ୍ତି ସାନ ଭାଇ କାଳିଆ ଠାକୁର

ଅର୍ଗସ ବ୍ୟୁରୋ : ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରକୁ "ପାଟ" ଶୋଭାଯାତ୍ରା । ଭକ୍ତି ସ୍ବରୁପେ ସାନଭାଇ ମହାବାହୁ ପଠାଇଲେ ବଡ଼ଭାଇ ବଳିଆରଭୁଜଙ୍କ ପାଇଁ "ପାଟ ବସ୍ତ୍ର" । ଏ ଭକ୍ତିପୂର୍ଣ୍ଣ ପରମ୍ପରା ହେଉଛି ଦ୍ୱାପର ଯୁଗର, ଯାହାକି "ସ୍ୱତଃ ଲିପି" ତଥା "ମାଦଳ ପାଞ୍ଜି"ରେ ଆଦୃତ ବୋଲି ଲୋକ ବିଶ୍ୱାସ ରହିଛି ।
ଯୁଗାନୁଯୁଗ ବର୍ଣ୍ଣନାନୁଯାୟୀ ଭଗବାନ ବଳରାମ ଯେତେବେଳେ ଦୁର୍ଦ୍ଦାନ୍ତ ରାକ୍ଷସ ପ୍ରଳମ୍ବାସୁରକୁ ବଦ୍ଧ କରିଥିଲେ ଠିକ ଏହି ସମୟରେ ମହାପ୍ରଭୁଙ୍କ ଅନୁଜ ଭଗବାନ ଶ୍ରୀକୃଷ୍ଣ ନିଜ କାନ୍ଧରୁ ଏକ ଉତ୍ତରୀୟ କାଢ଼ି ବଡ଼ ଭାଇଙ୍କର ମସ୍ତକରେ ବାନ୍ଧିଦେଇ କହିଥିଲେ ଯେ "ମୋ ବଡ଼ଭାଇ ପରି ଜଗତଜିତା କେହି ନାହିଁ" ।
ସେହି ସମୟରୁ ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷରେ ବଡ଼ଭାଇ ବଳରାମଙ୍କ ପାଇଁ ପ୍ରଭୁ ଶ୍ରୀକୃଷ୍ଣ ପାଟବସ୍ତ୍ର ସମର୍ପି ହୋଇଆସୁଛନ୍ତି । ଯାହାର ନିଦର୍ଶନ ସ୍ବରୂପ ପ୍ରତିବର୍ଷ ଏହି କାର୍ତ୍ତିକ ମାସ ସମୟରେ ଶ୍ରୀକ୍ଷେତ୍ରରୁ ପାଟ ଶୋଭାଯାତ୍ରା କରାଯାଇ ବଡଭାଇ ବଳଭଦ୍ରଙ୍କ ପାଇଁ ପାଟ ପଠାଇଥାନ୍ତି ସାନ ଭାଇ ଜଗନ୍ନାଥ ।
📱 Get Argus News App
✨ବିଧି ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପ୍ରଶାସନର ସଦସ୍ୟ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଟି ନେଇଥିଲେ ବଳଦେବଜୀଉ ମନ୍ଦିର ପ୍ରଶାସନ ।
ପରେ ଭଜନ କୀର୍ତ୍ତନ ମାଧ୍ୟମରେ ଯାତ୍ରୀ ବିଶ୍ରାମଗାରରୁ ମନ୍ଦିରକୁ ଯାଇଥିଲା ପାଟବସ୍ତ୍ର ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ସମସ୍ତ ସେବାୟତଙ୍କ ସହ ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ହୋଇ ନିଜକୁ କୃତାର୍ଥ ମଣିଥିଲେ ।