|
logo
Live
Argus News App
GET APP

Argus News - ରତ୍ନଭଣ୍ଡାର ନେଇ ବଡ଼ ନିଷ୍ପତ୍ତି; ନୀଳାଦ୍ରିବିଜେ ପୂର୍ବରୁ ସରିବ ଗଣତି ମଣତି, ତାଲିକା ପ୍ରସ୍ତୁତ

Odisha

Jagannath Temple / ରତ୍ନଭଣ୍ଡାର ନେଇ ବଡ଼ ନିଷ୍ପତ୍ତି; ନୀଳାଦ୍ରିବିଜେ ପୂର୍ବରୁ ସରିବ ଗଣତି ମଣତି, ତାଲିକା ପ୍ରସ୍ତୁତ

Sushanta Sahoo
Browse all articles by Sushanta Sahoo
·1 month ago·3 min read
ରତ୍ନଭଣ୍ଡାର ନେଇ ବଡ଼ ନିଷ୍ପତ୍ତି; ନୀଳାଦ୍ରିବିଜେ ପୂର୍ବରୁ ସରିବ ଗଣତି ମଣତି, ତାଲିକା ପ୍ରସ୍ତୁତ
Big Decision on Ratna Bhandar

Key Points

ଗଣତି ମଣତି ସମୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ତାଲିକା ପ୍ରସ୍ତୁତ ହୋଇଛି । ନୀଳାଦ୍ରିବିଜେ ପୂର୍ବରୁ ଗଣତି ମଣତି ପାଇଁ ତାଲିକା ପ୍ରସ୍ତୁତ ହୋଇଛି । ଗଣତି ମଣତି ପ୍ରକ୍ରିୟାରେ ଦୁଇଟି ଟିମ୍ ରହିବେ ।
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏସଓପିକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି । ପ୍ରସ୍ତୁତ ଏସଓପିକୁ ହାଇଲେବୁଲ୍ କମିଟି, ବିଧି ସବକମିଟି ଏବଂ ପରିଚାଳନା କମିଟିରେ ଆଲୋଚନା ହୋଇଛି ।

ଅଳଙ୍କାର ଗଣତି ମଣତି ତାରିଖ ଓ ମାହେନ୍ଦ୍ର ବେଳାର ନିଷ୍ପତ୍ତି ନେବ ପରିଚାଳନା କମିଟି । ଗଣତି ମଣତି ସମୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ତାଲିକା ପ୍ରସ୍ତୁତ ହୋଇଛି । ନୀଳାଦ୍ରିବିଜେ ପୂର୍ବରୁ ଗଣତି ମଣତି ପାଇଁ ତାଲିକା ପ୍ରସ୍ତୁତ ହୋଇଛି । ଗଣତି ମଣତି ପ୍ରକ୍ରିୟାରେ ଦୁଇଟି ଟିମ୍ ରହିବେ । ଗୋଟିଏ ସୁପରଭାଇଜିଂ ଟିମ୍ ଓ ଅନ୍ୟଟି ହ୍ୟାଣ୍ଡେଲିଂ ଟିମ୍ । ଉଭୟ ଟିମ୍‌ରେ ମୁଖ୍ୟ ପ୍ରଶାସକ ରହିବେ । ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଦାରଖ କରିବେ ।

ଏଥିସହ ପଢ଼ନ୍ତୁ: ଫେସବୁକ୍‌ରେ ଧମକପୂର୍ଣ୍ଣ ପୋଷ୍ଟ; ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ପରେ ଆହୁରି ବଢ଼ିଲା ସୁରକ୍ଷା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଉପମୁଖ୍ୟ ପ୍ରଶାସକ ଅନୁପସ୍ଥିତ ଥିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ତଦାରଖ କରିବେ । ସୁପରଭାଇଜିଂ ଟିମ୍‌ରେ ୩ ଜଣ ରହିବେ । ହ୍ୟାଣ୍ଡେଲିଂ ଟିମ୍‌ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ପ୍ରଶାସକ ବା ଉପମୁଖ୍ୟ ପ୍ରଶାସକ, ହାଇଲେବୁଲ୍ କମିଟିର ଅଧ୍ୟକ୍ଷ ଦଳପତି ହିସାବରେ ରହିବେ । ପରିଚାଳନା କମିଟିର ପାଞ୍ଚଜଣ ସେବକ ମଧ୍ୟରୁ ଜଣେ ରହିବେ, ଭଣ୍ଡାର ମେକାପ, ତଢ଼ାଉକରଣ, ବଣିଆ ସେବକ ରହିବେ ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବଣିଆଙ୍କ ତାଲିକା ମଗାଯିବ । ସେଥି ମଧ୍ୟରୁ ୨ ଜଣ ଯାଇ ପାରିବେ । ବିଭିନ୍ନ ଅଳଙ୍କାର ଚିହ୍ନିବାକୁ ଜଣେ ରହିବେ । ଆରବିଆଇରୁ ଜଣେ ରହିବେ । ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତି ମଣତି ସମୟରେ ସାମିଲ କରାଯିବ । ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ ।

ହ୍ୟାଣ୍ଡେଲିଂ ଟିମ୍‌ରେ ୧୦ ଜଣ ରହିବେ । ଗଜପତି ମହାରାଜା କିମ୍ବା ପରିଚାଳନା କମିଟିର କାର୍ଯ୍ୟକାରୀ ଅଧକ୍ଷ ଚାହିଁଲେ ରହି ପାରିବେ । ୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ତାଲିକା ସହ ୧୯୮୨, ୧୯୮୫ ମସିହାର କିଛି ଅଳଙ୍କାର ବାହାରିଥିବାରୁ ମେଳକ କରାଯିବ ।

ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି, ଦ୍ୱିତୀୟରେ ବାହାର ରତ୍ନଭଣ୍ଡାରର ଗଣତି ମଣତି କରାଯିବ । ଶେଷରେ ଭିତର ରତ୍ନଭଣ୍ଡାରର ଗଣତି ମଣତି ହେବ । ଭିତର ରତ୍ନଭଣ୍ଡାରର ଚାବି ପ୍ରତ୍ୟେକ ଦିନ ଗଣତି ମଣତି ପରେ ଟ୍ରେଜେରୀରେ ଜମା ହେବ ଓ ପୁନର୍ବାର ଗଣତି ମଣତି ସମୟରେ ଆସିବ । ସମସ୍ତେ ଗୋପନୀୟତା ବଜାୟ ରଖିବେ।

ଏଥିସହ ପଢ଼ନ୍ତୁ: ମହାପ୍ରଭୁଙ୍କ ନୀତିରେ ଦେଖାଦେବ ବ୍ୟତିକ୍ରମ,ଦିନ ବଦଳରେ ରାତିରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତି ମଣତି ହେବ । ଗଣତି ମଣତି ପରେ ଅଳଙ୍କାର ସବୁ ଅଲଗା ଅଲଗା ପ୍ରସ୍ତୁତ ସିନ୍ଦୁକରେ ରଖାଯିବ । ଗଣତି ମଣତି ସମୟରେ ସିସିଟିଭି ବ୍ୟବସ୍ଥା କରାଯିବ । ଗଣତି ମଣତିର ତାଲିକାକୁ ପରିଚାଳନା କମିଟିକୁ ପ୍ରଦାନ କରାଯିବ ଓ ପରେ ରାଜ୍ୟ ସରକାରଙ୍କୁ ପଠାଯିବ ।

ଗଣତି ମଣତି ସମୟରେ ଭକ୍ତମାନେ ବାହାର କାଠରୁ ଦର୍ଶନ କରିବେ । କେବଳ ପାଳିଆ ସେବାୟତ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିବେ । ବିଶେଷ ଦିନ ମାନଙ୍କରେ ଗଣତି ମଣତି ବନ୍ଦ ରହିବ । ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକରେ ଗଣତି ମଣତି ନେଇ ତାରିଖ ଓ ଶୁଭ ମୁହୂର୍ତ୍ତ ନେଇ ନିଷ୍ପତ୍ତି ନିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jagannath Temple: ରତ୍ନଭଣ୍ଡାର ନେଇ ବଡ଼ ନିଷ୍ପତ୍ତି; ନୀଳାଦ୍ରିବିଜେ ପୂର୍ବରୁ ସରିବ ଗଣତି ମଣତି, ତାଲିକା ପ୍ରସ୍ତୁତ | Argus News