Videos
|
Odisha

DJ Sound Pollution / ଡିଜେ ନୁହେଁ ଡେଥ୍ ମେସିନ୍‌, ଜୀବନ ନେଉଛି ଡିଜେର ବିକଟାଳ ଶବ୍ଦ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଡିଜେ ନୁହେଁ ଡେଥ୍ ମେସିନ୍‌, ଜୀବନ ନେଉଛି ଡିଜେର ବିକଟାଳ ଶବ୍ଦ
DJ Sound Pollution

Key Points

ଜଟଣୀରେ ଡିଜେର ପ୍ରଚଣ୍ଡ କମ୍ପନରେ ଛାତ ଭାଙ୍ଗି ଗଲା ଜୀବନ
ସୁପ୍ରିମକୋର୍ଟଙ୍କ କଡ଼ା ନିୟମ ସତ୍ତ୍ୱେ କେମିତି ବାଜୁଛି ବିକଟାଳ ଡିଜେ?
ଜଟଣୀ ଦୁର୍ଘଟଣା ପରେ କଟକଣାକୁ ନେଇ ଉଠିଲା ପ୍ରଶ୍ନ
ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ସମୂହ ଗଣେଶ ଭଷାଣି ଅବସରରେ ଘଟିଛି ଏକ ବଡ଼ଧରଣର ଅଘଟଣ । ଭଷାଣିରେ ବାଜୁଥିବା ଡିଜେର ଭୟଙ୍କର ଶବ୍ଦ ଓ କମ୍ପନ ଯୋଗୁଁ ଏକ କୋଠା ଛାତ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ପୂଜା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଡିଜେ ବାରଣ କରାଯାଇଥିଲେ ମଧ୍ୟ ଏହା କିଭଳି ବାଜିଲା, ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରବିବାର ରାତିରେ ଜଟଣୀରେ ଚାଲିଥିଲା ଗଣେଶ ପୂଜା ଭଷାଣି । ଏହି ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଉପର ଘରର ଛାତ ଭାଙ୍ଗି ପଡିଥିଲା । ଆଉ ପଡିଥିଲା ଭଷାଣି ଦେଖୁଥିବା ଦର୍ଶକଙ୍କ ଉପରେ । ଏହି ଦୁର୍ଘଟଣାରେ ହରିରାଜପୁର ଗ୍ରାମର ବିଶ୍ୱଜିତ ବାରିକଙ୍କର ମୃତ୍ୟୁ ହୋଇଛି । ଏହାସହ ୭ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଅତ୍ୟଧିକ ଡିଜେ ସାଉଣ୍ଡ ପାଇଁ ଛାତର କଂକ୍ରିଟ ତାଜା ଭୁଶୁଡିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଡିସିପି ଓ ଅତିରିକ୍ତ କମିଶନର ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଶବ୍ଦ ପ୍ରଦୂଷଣ ଭିତରେ ମୁଖ୍ୟ ମେସିନ ଏବେ ଡିଜେ । ମଣିଷ ପାଇଁ ସାଧାରଣ ଏବଂ ନିରାପଦ ଶବ୍ଦ ସୀମା ୭୦ ଡେସିବଲ୍ । ଏହାଠାରୁ ଅଧିକ ଶବ୍ଦ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଣିଲେ ଶ୍ରବଣ ଶକ୍ତି ଉପରେ କୁପ୍ରଭାବ ପଡ଼େ । ସାଧାରଣତଃ ବିବାହ, ପର୍ବପର୍ବାଣୀ କିମ୍ବା ବିଭିନ୍ନ ଉତ୍ସବରେ ବ୍ୟବହାର ହେଉଥିବା ଡିଜେ ସାଉଣ୍ଡ ସିଷ୍ଟମର ଶବ୍ଦ ମାତ୍ରା ୧୦୦ ରୁ ୧୨୦ ଡେସିବଲ୍ ବା ତାହାଠାରୁ ମଧ୍ୟ ଅଧିକ ହୋଇଥାଏ । ଯାହା ନିର୍ଦ୍ଧାରିତ ସୀମାଠାରୁ ବହୁଗୁଣ ଅଧିକ । ମଣିଷର କାନ ପ୍ରାୟ ୮୫ ଡେସିବଲ୍ ପର୍ଯ୍ୟନ୍ତ ଶବ୍ଦ ଏକ ନିର୍ଦ୍ଦିଷ୍ଟ ସମୟ ଯାଏଁ ସହ୍ୟ କରିପାରେ । କିନ୍ତୁ ଯେତେବେଳେ ଶବ୍ଦ ୧୨୦ ଡେସିବଲ୍ ଅତିକ୍ରମ କରେ, ସେତେବେଳେ କାନରେ ଯନ୍ତ୍ରଣା ଅନୁଭବ ହୁଏ ଏବଂ ଏହା କାନର ପରଦାକୁ ତତକ୍ଷଣାତ୍ କ୍ଷତି ପହଞ୍ଚାଇପାରେ । ଡିଜେର ପ୍ରଚଣ୍ଡ ଶବ୍ଦରେ ଦୀର୍ଘ ସମୟ ଧରି ରହିଲେ କାନର ସମ୍ବେଦନଶୀଳ କୋଷଗୁଡ଼ିକ ସବୁଦିନ ପାଇଁ ନଷ୍ଟ ହୋଇଯାଏ । ଯାହାଫଳରେ ବ୍ୟକ୍ତିଜଣକ ଆଂଶିକ ବା ସମ୍ପୂର୍ଣ୍ଣ ଭାବେ ବଧିର ହୋଇପାରନ୍ତି ।

ଶବ୍ଦ ପ୍ରଦୂଷଣ ରୋକିବାକୁ ସୁପ୍ରିମକୋର୍ଟ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ କଡ଼ା ନିୟମ ରହିଛି । ବିନା ଅନୁମତିରେ ବା ରାତି ୧୦ଟା ପରେ ଡିଜେ ବଜାଇବା ଆଇନଗତ ଭାବେ ଦଣ୍ଡନୀୟ । ଜରିମାନା ସହିତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ । ରାଜ୍ୟରେ ଡିଜେ ଉପରେ କଡ଼ା କଟକଣା ଲାଗିଛି । ମାତ୍ର ସୁପ୍ରିମକୋର୍ଟ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ କଡ଼ା ନିୟମ ସତ୍ତ୍ୱେ ରାଜ୍ୟରେ ବିନା ଅନୁମତିରେ ଡିଜେ ବାଜୁଛି କେମିତି ? ରାତି ୧୦ଟା ପରେ ଡିଜେ ବଜାଇବା ଆଇନଗତ ଭାବେ ଦଣ୍ଡନୀୟ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉ ନାହିଁ ? ଡିଜେ ଶବ୍ଦ ପ୍ରଦୂଷଣକୁ ନେଇ ଏଭଳି ବିଭିନ୍ନ ପ୍ରଶ୍ନ ଏବେ ପୁଣି ଚିନ୍ତାର କାରଣ ସାଜିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: