ଅବସର ନେଇ ଘରକୁ ଫେରିଲେ ବୀର ଯବାନ

ଅର୍ଗସ ବ୍ୟୁରୋ: ଏହା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଗାଁ। ଶୋଭାଯାତ୍ରାରେ ବାହାରିଛନ୍ତି ଶତାଧିକ ଲୋକ ଆଉ ହୁଳୁହୁଳିରେ ଦୁଲୁକୁଛି ପୁରା ଗାଁ ତାସହିତ ଭାରତ ମାତାକି ଜୟ ନାରାରେ ଫାଟି ପଡୁଛି ପରିବେଶ । ଆଗରେ ବାଇକ ଶୋଭାଯାତ୍ରା କରି ଲୋକେ ଆସୁଛନ୍ତି ଆଉ ପଛରେ ଏକ ଖୋଲା ଜିପରେ ଆସୁଛନ୍ତି ଆମ ବୀର ଯବାନ ଶୁଭେନ୍ଦୁ କୁମାର ପ୍ରଧାନ । ଦୀର୍ଘ ୨୦ ବର୍ଷ ଧରି ଭାରତମାତାର ସେବା କରିଲା ପରେ ଏବେ ଅବସର ନେଇ ଘରକୁ ଫେରିଛନ୍ତି। ନିଜ ଜୀବନ ଉପରେ ବାଜି ଲଗାଇ ଶତ୍ରୁ ମାନଙ୍କ ଉପରେ ଭାରି ପଡିଥିବା ଯବାନ ଆସି ନିଜ ଗାଁ ମାଟିରେ ପହଁଞ୍ଚିଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ ।
ତାଙ୍କ ଭବ୍ୟ ସ୍ବାଗତର ଆୟୋଜନ କରାଯାଇଛି, ବିଶାଳ ଶୋଭାଯାତ୍ରା ସହିତ ଗାଁ ସାହିରେ ପାଦ ଧୋଇ କରିଛନ୍ତି ନିଜ ମାଟି ପୁଅର ସ୍ବାଗତ। ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଆଶିର୍ବାଦ ନେଇ ଏକ ବିଶାଳ ଶୋଭାଯାତ୍ରାରେ ଗାଁକୁ ପହଁଞ୍ଚିଥିବାବେଳେ ଗାଁରେ ପରିକ୍ରମା କରିଛନ୍ତି। ସେପଟେ ଘରକୁ ପୁଅ ଫେରିବାରୁ ବାପା ମାଁ ବେଶ ଖୁସି ଅନୁଭବ କରିଛନ୍ତି ।
କଳାପଥର ଗାଁର ଶୁଭେନ୍ଦୁ କୁମାର ପ୍ରଧାନ । ୨୦୦୩ ମସିହା ମାର୍ଚ୍ଚ ୩ ତାରିଖରେ ଜଣେ ଯବାନ ଭାବରେ ସିଆରପିଏଫ କ୍ୟାମ୍ପ ଭୁବନେଶ୍ୱରରେ ଯୋଗଦେଇଥିଲେ । ପରେ ତାମିଲନାଡୁରେ ତାଲିମ ସାରିବା ପରେ ବିଭିନ୍ନ ସ୍ଥାନରେ ପୋଷ୍ଟିଂ ପାଇ ଦେଶ ମାତୃକାର ସେବାରେ ନିଜକୁ ସମର୍ପି ଦେଇଥିଲେ । ଦୀର୍ଘ ୨୦ ବର୍ଷ ୮ ମାସ ୨ ଦିନ ଧରି ଚାକିରି କଲା ପରେ ଗତ ଅକ୍ଟୋବର ମାସରେ ସେ ଅବସର ଗ୍ରହଣ କରିଛନ୍ତି । ଅବସର ଗ୍ରହଣ ପରେ ନିଜ ଜନ୍ମମାଟିକୁ ଫେରିବା ସହ ଆଗକୁ ଏହି ଅଞ୍ଚଳରୁ ଦେଶ ସେବା ପ୍ରତି ଆକୃଷ୍ଟ ଥିବା ପିଲାଙ୍କୁ ଉତ୍ସାହିତ କରିବାକୁ ସେ କହିଛନ୍ତି । ତେବେ ଶୁଭେନ୍ଦୁ ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ଅଞ୍ଚଳବାସୀ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର