Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jharkhand TET Syllabus Controversy / ଝାଡ଼ଖଣ୍ଡ TET ସିଲାବସରେ ଓଡ଼ିଆ ଲିପିର ଅବମାନନା, ଆପତ୍ତି ଉଠାଇଲେ ଓଡ଼ିଶା ସରକାର

Bikash Mohanty
Browse all articles by Bikash Mohanty
·2 months ago·2 min read
ଝାଡ଼ଖଣ୍ଡ TET ସିଲାବସରେ ଓଡ଼ିଆ ଲିପିର ଅବମାନନା, ଆପତ୍ତି ଉଠାଇଲେ ଓଡ଼ିଶା ସରକାର
Jharkhand TET Syllabus

Key Points

ଝାଡ଼ଖଣ୍ଡ TET ସିଲାବସରେ ଓଡ଼ିଆ ଲିପିକୁ ଅବମାନନା
ଆପତ୍ତି ଉଠାଇଲେ ଓଡ଼ଶା ସରକାର
ଝାଡ଼ଖଣ୍ଡ ଏକାଡେମିକ୍ କାଉନ୍ସିଲ୍ ଦ୍ବାରା ପ୍ରକାଶିତ  ସିଲାବସକୁ ନେଇ ବିବାଦ
ସ୍ବତନ୍ତ୍ର ଲିପି ପରିବର୍ତ୍ତେ ଦେବନାଗରୀ ଲିପିରେ ପ୍ରକାଶ କରାଯାଇଥିବା ଅଭିଯୋଗ

ଭୁବନେଶ୍ବର,୧୭/୦୪: ଝାଡ଼ଖଣ୍ଡ ଏକାଡେମିକ୍ କାଉନ୍ସିଲ୍ (JAC), ରାଞ୍ଚି ଦ୍ୱାରା ପ୍ରକାଶିତ ଝାଡ଼ଖଣ୍ଡ ଶିକ୍ଷକ ଯୋଗ୍ୟତା ପରୀକ୍ଷା (JHTET)-୨୦୨୬ ର ସିଲାବସକୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ଓଡ଼ିଆ ଭାଷାର ସିଲାବସକୁ ଏହାର ନିଜସ୍ୱ ସ୍ୱତନ୍ତ୍ର ଲିପି ପରିବର୍ତ୍ତେ ଦେବନାଗରୀ ଲିପିରେ ପ୍ରକାଶ କରାଯାଇଥିବାରୁ ଏହାକୁ ନେଇ ଝାଡ଼ଖଣ୍ଡର ଓଡ଼ିଆ ଭାଷାଭାଷୀ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ୨୮ ମାର୍ଚ୍ଚ ୨୦୨୬ରେ ଜାରି ହୋଇଥିବା ଏହି ବିଜ୍ଞପ୍ତିକୁ ସ୍ଥାନୀୟ ଓଡ଼ିଆମାନେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅସନ୍ତୋଷଜନକ ବୋଲି ଅଭିହିତ କରିଛନ୍ତି। ଏହି ଘଟଣାକୁ ନେଇ ସେରାଇକେଲା-ଖରସୁଆଁର ଶ୍ରୀ ନନ୍ଦ କୁମାର ପାଣ୍ଡେ ଏବଂ ଅନ୍ୟ ଶତାଧିକ ଓଡ଼ିଆ ଭାଷାଭାଷୀ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଅନ୍ୟପଟେ ଓଡ଼ିଶା ସରକାର ମଧ୍ୟ ଏହାକୁ ଗୁରୁତର ସହ ନେଇଛନ୍ତି। ଏହି ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ପରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ଜେଏସି (JAC) ସଚିବଙ୍କୁ ଏକ ପତ୍ର ଲେଖିଛନ୍ତି। ଓଡ଼ିଆ ଏକ ସମ୍ବିଧାନ ସ୍ୱୀକୃତିପ୍ରାପ୍ତ ଅଷ୍ଟମ ଅନୁସୂଚୀଭୁକ୍ତ ଭାଷା ଏବଂ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା। ବଙ୍ଗଳା ଭାଷାର ସିଲାବସ ବଙ୍ଗଳା ଲିପିରେ ଥିବାବେଳେ ଓଡ଼ିଆକୁ ଦେବନାଗରୀରେ ପ୍ରକାଶ କରିବା ଦୁର୍ଭାଗ୍ୟଜନକ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସିଲାବସକୁ ତୁରନ୍ତ ଓଡ଼ିଆ ଲିପିରେ ପୁନଃ-ପ୍ରକାଶ କରିବାକୁ ସେ ଅନୁରୋଧ କରିଛନ୍ତି। ଓଡ଼ିଆ ସହିତ ଏପରି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯିବା ଅତ୍ୟନ୍ତ କ୍ଷୋଭଦାୟକ ବୋଲି ସେ ଦର୍ଶାଇଛନ୍ତି।

ପଢନ୍ତୁ ଏହି ଖବର: ଏମିତି ଏକ ଗାଁ; ପିଲାଙ୍କୁ ଭଡ଼ାରେ ନେଇ ଦିଆଯାଉଥିଲା ଚୋରି ତାଲିମ; ୬ ଗିରଫ

ସେହିଭଳି ଝାଡ଼ଖଣ୍ଡରେ ମଧ୍ୟ ଏହାକୁ ନେଇ ଓଡ଼ିଆଙ୍କ ଭିତରେ ଅସନ୍ତୋଷ ରହିଛି। ସମ୍ବିଧାନର ଧାରା 350(B) ଅନୁଯାୟୀ ଭାଷାଗତ ସଂଖ୍ୟାଲଘୁଙ୍କ ଲିପି ଓ ଭାଷାର ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି। ଓଡ଼ିଆ ଭାଷା ଝାଡ଼ଖଣ୍ଡର ଦ୍ୱିତୀୟ ରାଜଭାଷା ହୋଇଥିବା ସତ୍ତ୍ୱେ ଏହାକୁ ଦେବନାଗରୀରେ ପ୍ରକାଶ କରିବା ଏହି ଭାଷା ଓ ଲିପି ପ୍ରତି ଘୋର ଅସମ୍ମାନ। ଅନ୍ୟ ଭାଷାର ସିଲାବସରେ ଗଦ୍ୟ ଓ ପଦ୍ୟ ଅନୁଚ୍ଛେଦ ପାଇଁ ୨୦ ମାର୍କର ବ୍ୟବସ୍ଥା ଥିବାବେଳେ ଓଡ଼ିଆ ପ୍ରାର୍ଥୀଙ୍କୁ ଏଥିରୁ ବଞ୍ଚିତ କରି ପାତରଅନ୍ତର କରାଯାଇଛି ବୋଲି ଓଡ଼ିଆମାନେ ଅଭିଯୋଗ ଆଣିଛନ୍ତି। JHTET ଓଡ଼ିଆ ସିଲାବସକୁ ପୁନର୍ବାର ଓଡ଼ିଆ ଲିପିରେ ପ୍ରକାଶ କରାଯାଉ, ଓଡ଼ିଆ ବିଷୟରେ ୨୦ ମାର୍କର ଗଦ୍ୟ ଓ ପଦ୍ୟ ଭାଗ ସାମିଲ କରାଯାଉ, ଅନ୍ୟ ଭାଷା ଭଳି ଓଡ଼ିଆ ଭାଷାରେ ମଡେଲ ପ୍ରଶ୍ନପତ୍ର ଜାରି କରାଯାଉ ବୋଲି ଝାଡ଼ଖଣ୍ଡର ଓଡ଼ିଆ ମାନେ ଦାବି ରଖିଛନ୍ତି। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jharkhand TET Syllabus Controversy | Jharkhand TET Syllabus Controversy | Jharkhand TET Syllabus Sparks Row Over Alleged Disrespect to Odia Script | Argus News