ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଶରଣ ସିଂ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ହାଇକୋର୍ଟର ପୁରୁଣା ବିଲ୍ଡିଂ ପରିସରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀତାର ଶପଥ ପାଠ କରାଇଛନ୍ତି । ବର୍ତ୍ତମାନ ପାଟଣା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ଜଷ୍ଟିସ ସିଂ ।
ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିଶ ପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ସରକାର ଜଷ୍ଟିସ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ । ତେବେ ଜଷ୍ଟିସ ସିଂ ଜାନୁଆରୀ ୨୦, ୧୯୬୩ ରେ ଜନ୍ମ ଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ଅକ୍ଟୋବର ୩୦,୧୯୯୦ ମସିହାରେ ଆଇନଜୀବୀ ଭାବେ ସେ ନିଜ ନାଁ ପଞ୍ଜିକରଣ କରିଥିଲେ ।
ସେ ପାଟଣା ହାଇକୋର୍ଟରେ ଦୀର୍ଘ ବର୍ଷ ଧରି ଓକିଲାତି କରିବା ପରେ ସେଠି ବରିଷ୍ଠ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ । ତେବେ ଗତ ଅକ୍ଟୋବର ୩ ତାରିଖରରେ ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ପଦରୁ ଅବସର ନେବା ପରେ ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...