କାକଟପୁରକୁ NAC ଦାବିରେ ନବୀନ ନିବାସକୁ ପଦଯାତ୍ରା

ଭୁବନେଶ୍ୱର: NAC ମାନ୍ୟତାରୁ ବଞ୍ଚିତ ଅଞ୍ଚଳରେ ତୀବ୍ର ହେଉଛି ଅସନ୍ତୋଷ । କାକଟପୁର, କଣ୍ଟାବାଞ୍ଜି, ଏରସମା, ବିନିକା, ଉଲୁଣ୍ଡାରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି ଅଞ୍ଚଳବାସୀ । ନିର୍ବାଚନ ପୂର୍ବରୁ 35 NAC ଘୋଷଣା ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି । NAC ମାନ୍ୟତା ଦାବିରେ କାକଟପୁର ବିଜେପି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ ହେବା ସହ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ନବୀନ ନିବାସକୁ ପଦଯାତ୍ରା କରିଛନ୍ତି ବିଭିନ୍ନ ସଂଗଠନ କର୍ମୀ । ଜରୁରୀ ସେବାକୁ ଛାଡି ଦୋକାନ ବଜାର ବନ୍ଦ ହେବା ସହ ଅଖ ଚକ ଠପ୍ ହୋଇଛି ।କାକଟପୁରର ବିଭିନ୍ନ ସଂଗଠନ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି । 2017ରେ କାକଟପୁର ସର୍ଭେ ରିପୋର୍ଟରେ ପ୍ରଥମେ ଯୋଗ୍ୟତା ପାଇଥିଲେ ବି ଫେବ୍ରୁଆରୀ 24 ତାରିଖରେ ସରକାରଙ୍କ NAC ଘୋଷଣାରେ ବାଦ୍ ପଡ଼ିଥିଲା । ସେହିପରି ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଓ ଜଗତସିଂହପୁରର କୁଜଙ୍ଗକୁ ଏନଏସି ମାନ୍ୟତା ଦାବିରେ ମଧ୍ୟ ସକାଳ 6ଟାରୁ ସଂଧ୍ୟା 6ଟା ଯାଏ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ପୂର୍ବରୁ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ 5T ସଚିବ ଭି.କେ ପାଣ୍ଡିଆନ୍ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ କୁଜଙ୍ଗବାସୀ । ସେପଟେ ଉଲୁଣ୍ଡାକୁ ଏନଏସି ଘୋଷଣା ଦାବିରେ 6 ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଏନଏସି ଘୋଷଣା ସହ ଉଲୁଣ୍ଡାରେ ଜେଏମଏଫସି କୋର୍ଟ ସ୍ଥାପନ ଏବଂ ସୈନିକ ସ୍କୁଲ ଦାବିରେ ସଚେତନ ନାଗରିକ ସଂଘ ପକ୍ଷରୁ ବନ୍ଦ ପାଳନକୁ ସମର୍ଥନ କରାଯାଇଛି ।
24 ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ତରବରିଆ ଭାବେ ଗତ ୨୪ ତାରିଖରେ ୫ଟି ନୂଆ ମ୍ୟୁନିସିପାଲିଟି ଓ ୩୫ଟି ନୂଆ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଦୀର୍ଘବର୍ଷରୁ ଦାବି ହୋଇ ଆସୁଥିବା କିଛି ସ୍ଥାନକୁ ସରକାର ଏନ୍ଏସି ଘୋଷଣା କରିଥିବା ବେଳେ କିଛି ସ୍ଥାନକୁ ବାଦ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଅସନ୍ତୋଷର ବହ୍ନି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନିଜର ୩୦ ବର୍ଷର ହକ୍ ସବଡିଭିଜନ ମାନ୍ୟତା ପାଇଁ ଲଢେଇ ଜାରି ରଖିଛି । ଅତିଶୀଘ୍ର ବିନିକାକୁ ସବଡିଭିଜନ ଘୋଷଣା କରାନଗଲେ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ବିନିକାବାସୀ । ଏନଏସି ତାଲିକାରୁ ବାଦ ପଡ଼ିଥିବା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବନ୍ଦ ପାଳନ ସହ ଜୋରଦାର ପ୍ରତିବାଦ କରାଯାଉଛି। ପୂର୍ବରୁ ରାଜ୍ୟ ସରକାରଙ୍କ NAC ଘୋଷଣାକୁ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଓ ବେଆଇନ କହି ତୀବ୍ର ସମାଲୋଚନା କରିଥିଲା ବିଜେପି । ନିର୍ବାଚନ ପୂର୍ବରୁ ଏନଏସି ଘୋଷଣାକୁ ବିଜେଡିର ନିର୍ବାଚନୀ ଧୁଆଁବାଣ କହିଥିଲା ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର