Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ,ପିଲା ଚୋରି ଗୁଜବ ଓ ଭିଡ଼ ହିଂସା ଘଟଣା ପରେ ପୋଲିସର ପଦକ୍ଷେପ, ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ

Odisha

Police Flag March / କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ,ପିଲା ଚୋରି ଗୁଜବ ଓ ଭିଡ଼ ହିଂସା ଘଟଣା ପରେ ପୋଲିସର ପଦକ୍ଷେପ, ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ

Bikash Mohanty
Browse all articles by Bikash Mohanty
·1 hour ago·2 min read
କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ,ପିଲା ଚୋରି ଗୁଜବ ଓ ଭିଡ଼ ହିଂସା ଘଟଣା ପରେ ପୋଲିସର ପଦକ୍ଷେପ, ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ
Flag March

Key Points

କଲ୍ୟାଣସିଂହପୁରରେ ପିଲା ଚୋରି ଗୁଜବ ଓ ଭିଡ଼ ହିଂସା ଘଟଣା
କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ
ଭିଡ଼ ହିଂସା ପରେ ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ଫ୍ଲାଗ ମାର୍ଚ୍ଚ

କଲ୍ୟାଣସିଂହପୁର,୨୨/୦୬: ପିଲା ଚୋରି ଗୁଜବ ଓ ଭିଡ଼ ହିଂସା ଘଟଣା ପରେ କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ। ପିଲା ଚୋରି ଗୁଜବକୁ କେନ୍ଦ୍ର କରି ଘଟିଥିବା ଭିଡ଼ ହିଂସା ପରେ ପରିସ୍ଥିତିକୁ ସ୍ୱାଭାବିକ ରଖିବା ଏବଂ ସାଧାରଣ ଲୋକଙ୍କ ମନରେ ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ କଲ୍ୟାଣସିଂହପୁର ପୋଲିସ ଏହି ଫ୍ଲାଗ ମାର୍ଚ୍ଚ କରିଛି । କଲ୍ୟାଣସିଂହପୁର ଥାନା ପରିସରରୁ ଆରମ୍ଭ ହୋଇ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଏହି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବା, କୌଣସି ଅପ୍ରମାଣିତ ସୂଚନା ପ୍ରଚାର ନ କରିବା ଏବଂ ଆଇନକୁ ନିଜ ହାତକୁ ନ ନେବା ପାଇଁ ସଚେତନ କରିଥିଲେ।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ହିଂସା ମାମଲା ରେଡ୍‌ଫ୍ଲାଗ୍‌ ଭୁକ୍ତ ହେବା ପରେ ଗିରଫ ଭୟ ବଢ଼ିଛି। ଘଟଣାରେ ସମ୍ପୃକ୍ତ ଏବଂ ଭିଡିଓ ଭାଇରାଲ୍‌ କରିଥିବା ଅନେକ ବ୍ୟକ୍ତି ଏବେ ଗାଁ ଛାଡ଼ି ବାହାରେ। ପୁଲିସ ଭୟରେ ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି। ଫେରାର ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ପୁଲିସ ଏକାଧିକ ଟିମ୍‌ ଗଠନ କରି ଚଢ଼ଉ ଜାରି ରଖିଛି। ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବାବେଳେ କେବଳ ଇନ୍ତାଲିଗୁଡ଼ା ଗ୍ରାମକୁ ସମସ୍ତେ ଟାର୍ଗେଟ୍‌ କରୁଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଇନ୍ତାଲିଗୁଡ଼ା, ସାଇନଗର ଏବଂ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ପଢନ୍ତୁ ଏହି ଖବର: ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଗିରଫ ସଂଖ୍ୟା ୨୧କୁ ବୃଦ୍ଧି

ଅପରପକ୍ଷରେ ଘଟଣା ଦିନ କଲ୍ୟାଣସିଂହପୁର ପୁଲିସର ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି। ପିଲାଚୋର ସନ୍ଦେହରେ ଯୁବକ ଓ ଯୁବତୀଙ୍କୁ ୫୦୦ରୁ ଊର୍ଧ୍ବ ଲୋକ ଘେରି ମାଡ଼ ମାରୁଥିଲେ ମଧ୍ୟ ଘଟଣାସ୍ଥଳରୁ ମାତ୍ର ୨କିମି ଦୂରରେ ଥିବା ପୁଲିସ କିପରି ଜାଣିପାରିଲାନି। ଘଟଣାର ଅଧାଘଣ୍ଟା ପରେ ଥାନା ଅଧିକାରୀ କଳ୍ପନା ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଭିଡ଼ ମଧ୍ୟକୁ ଯାଇନଥିବା ପ୍ରକାଶ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଯୁବତୀଙ୍କୁ ଭିଡ଼ ଭିତରୁ ଉଦ୍ଧାର କରି ପୁଲିସ ଗାଡ଼ିକୁ ଆଣିଥିଲେ ବଳରାମ ବାଗ। ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ବେଳେ ପୁଲିସ କେବଳ ନିରବଦ୍ର‌ଷ୍ଟା ସାଜିଥିଲା। ଡାକ୍ତରଖାନାର ୨ଟି କବାଟକୁ ଦୁର୍ବୃତ୍ତମାନେ ଭାଙ୍ଗିଦେବା ସହିତ ପୁଲିସ ଗାଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଚାହୁଥିଲେ। ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଡାକ୍ତରଖାନାରେ ପହଞ୍ଚିବା ପରେ ଭିଡ଼ହିଂସା ନିୟନ୍ତ୍ରଣକୁ ଆସିଥିଲା। ପୁଲିସ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା‌ ୨୦ ଜଣଙ୍କୁ ଗିରଫ କରିଛି।

ଏହି ସମ୍ବେଦନଶୀଳ ମାମଲାକୁ ପୁଲିସ ଡିଜି ୱାଇ. ବି. ଖୁରାନିଆ ରେଡ୍‌ଫ୍ଲାଗ୍‌ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ତତ୍ତ୍ବାବଧାନରେ ଘଟଣାର କରାଯିବ। ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିବାକୁ (ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁ) ଏଡିଜି ଏସ୍‌. ସାଇନିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍‌ଶୀଘ୍ର ଏଡିଜି ସାଇନିଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ। ଏହା ସହିତ ପୀଡ଼ିତାଙ୍କୁ ଭିଡିଓ କନ୍‌ଫରେନ୍ସିଂ କିମ୍ବା ଦିଲ୍ଲୀ ଯାଇ ପଚରାଉଚରା କରାଯିବ ବୋଲି ଡିଜି କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored