Videos
|
Odisha

Tiger Rescue / କରଞ୍ଜିଆରୁ ଉଦ୍ଧାର ମାଈ ବାଘ ଶାବକ ସୁସ୍ଥ

Rashmita Mishra
Browse all articles by Rashmita Mishra
·1 hour ago·1 min read
କରଞ୍ଜିଆରୁ ଉଦ୍ଧାର ମାଈ ବାଘ ଶାବକ ସୁସ୍ଥ
Tiger Rescue

Key Points

ଉଦ୍ଧାର ହୋଇଥିବା ମାଈ ବାଘ ଶାବକ ସୁସ୍ଥ
କରଞ୍ଜିଆରୁ ଉଦ୍ଧାର ବାଘ ଶାବକ ଜମୁନା ଏନକ୍ଲୋଜରକୁ ସ୍ଥାନାନ୍ତର
ଓୟୁଏଟି ପରୀକ୍ଷାରୁ ସ୍ପଷ୍ଟ: ସୁସ୍ଥ ଅଛି ଉଦ୍ଧାର ହୋଇଥିବା ବାଘ ଛୁଆ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଖପରାଖାଇ ଗାଁରୁ ଉଦ୍ଧାର ହୋଇଥିବା ମାଈ ବାଘ ଶାବକର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ଚିକିତ୍ସା ଓ ନିୟମିତ ଯତ୍ନ ପରେ ଶାବକଟିକୁ ଜଙ୍ଗଲ ମଧ୍ୟରେ ଥିବା ଜମୁନା ଏନକ୍ଲୋଜରରେ ଛଡ଼ାଯାଇଛି । ଏହାକୁ ନେଇ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରୁ ଏହି ବାଘ ଶାବକକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ ପରିସରରେ ତାକୁ ରଖାଯାଇ ପ୍ରାଣୀ ଚିକିତ୍ସା ଯୋଗାଇ ଦିଆଯାଇଥିଲା ।

ଗତ ସାତ ଦିନ ଧରି ବାଘ ଶାବକକୁ ନିୟମିତ ଖାଦ୍ୟ ସହ ପୁଷ୍ଟିକର ସପ୍ଲିମେଣ୍ଟ ଦିଆଯାଇଥିଲା । ଏହାର ପ୍ରଭାବରେ ଶାବକଟିର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହୋଇଥିଲା । ଏହାସହ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ବାଘ ଶାବକର ରକ୍ତ ଓ ମଳ ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋର୍ଟରେ ଶରୀରରେ କୌଣସି ରୋଗ କିମ୍ବା ସଂକ୍ରମଣ ନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତମାସ ୨୫ ତାରିଖରେ ଖପରାଖାଇ ଗାଁରେ ବାଘ ଆତଙ୍କ ଦେଖାଦେଇଥିଲା । ଗାଁର ଯୋଗେନ ଗାଗରାଇଙ୍କ ଅଧାପନ୍ତରିଆ ଘର ଭିତରେ ଏକ ବାଘ ଶାବକ ପଶିଯାଇଥିଲା । ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ । ରାତି ତମାମ ପହରା ଦେବା ସହ ଡିଏଫ୍‌ଓ, ରେଞ୍ଜର ଓ ବନ ସୁରକ୍ଷା ଟିମ୍‌ର ଦୀର୍ଘ ୧୨ ଘଣ୍ଟାର ଅଭିଯାନ ପରେ ଶାବକଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏବେ ତାହାର ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଜମୁନା ଏନକ୍ଲୋଜରରେ ନୂଆ ପରିବେଶରେ ରଖାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: