Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kartika Purnima / ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

Key Points

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଉକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ପୋଲିସର ଗୁରୁତ୍ବ ।

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମୀ । ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଆଜି ମଧ୍ୟରାତ୍ରରୁ ହିଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ସହ ମଧ୍ୟରାତ୍ରରେ ଦର୍ଶନ ଆରମ୍ଭ ହେବ । ତେଣୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ନୀତିକାନ୍ତି କିଭଳି ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ଆଲୋଚନା କରାଯାଇଛି ।

ତେବେ ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବଗଲା ଧର୍ମଶାଳାଠାରୁ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ଭକ୍ତମାନେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନିଦ୍ବାର ଦେଇ ପ୍ରସ୍ଥାନ କରିବେ । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମୁଦାୟ ୪୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଦୁଇଟି ବେଳାଭୂମିରେ ସୁରକ୍ଷିତ ସ୍ନାନ ଓ ଡଙ୍ଗା ଭସା ପାଇଁ ୩୭୦ ଲାଇଫଗାର୍ଡଙ୍କ ସହ ଦୁଇଟି ଓଡ୍ରାଫ୍ ଟିମ୍ ମୁତୟନ ହେବ ବୋଲି ଏସପି କହିଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ବାହାରେ ଓ ଭିତରେ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ସହ ତୀର୍ଥ ପୁଷ୍କରିଣୀରେ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ ରହିବେ । କିଛି ଅଘଟଣ ଘଟିଲେ ତ୍ୱରିତ ବେଗରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଏହାକୁ ସମାଧାନ କରିବେ । ସେନେଇ ଆଜି ଶ୍ରୀମନ୍ଦିର ନିକଟରେ ଡେମୋ ଦେଖାଯାଇଛି ।

ଅଧିକ ପଢ଼ନ୍ତୁ: ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ

ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହବିଷ୍ୟାଳି ମା'ମାନେ ବେଳାଭୂମିରେ ଓ ବିଭିନ୍ନ ତୀର୍ଥପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଉଦଯାପିତ କରିବେ । ତେବେ କେବଳ ପୁରୀ ସହରରେ ନୁହେଁ ବରଂ କୋଣାର୍କ, ଚନ୍ଦ୍ରଭାଗା, ବାଲିହରଚଣ୍ଡୀ ବେଳାଭୂମିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ପୁରୀ ଏସପି କହିଛନ୍ତି ।

ସେପଟେ ଆଜି ପଞ୍ଚୁକର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନୃସିଂହ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଚଳିତ ଥର ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ଅନୁଷ୍ଠିତ ହେଉଥିବା ବେଳେ ନୀତିବହୁଳ ଦୃଷ୍ଟିରୁ ମହାପ୍ରଭୁଙ୍କ ଦୁଇଦିନ ପହୁଡ ନୀତି ହୋଇନାହିଁ । ତେବେ ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି । ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ମସ୍ତକରେ ଯେଉଁ ଚୂଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ ବାଗିଆ ଲଗାଯାଇଥାଏ। ତେଣୁ ଏହି ବେଶକୁ ଆଡକିଆ ବେଶ ମଧ୍ୟ କୁହାଯାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kartika Purnima: Lord Jagannath to Bless Devotees in Sunabesha Tomorrow | Argus News