କେନ୍ଦ୍ରାପଡ଼ା ବିଜେଡିକୁ ବାଏ ବାଏ

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ା ବିଜେଡ଼ିକୁ ବାଏ ବାଏ କରୁଛନ୍ତି ଜଣଙ୍କ ପରେ ଜଣେ ନେତା । ଯାହାକୁ ନେଇ ଟେନସନରେ ବିଜେଡି । ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା, କେନ୍ଦ୍ରାପଡା ବିଧାନସଭା ଆସନରେ ଗତ କିଛି ଦିନ ମଧ୍ୟରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଖାସକରି କେନ୍ଦ୍ରାପଡ଼ା ବିଜେଡି ଶିବିରରେ । ଗଣେଶ୍ୱର ବେହେରା ବିଜେଡିରେ ସାମିଲ ହେବା ପରେ ଦଳ ଶକ୍ତିଶାଳୀ ହେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଗଣେଶ୍ୱର ଦଳକୁ ଆସିବା ପରେ ଦଳର ୨ ତୁଙ୍ଗ ନେତା ବିଜେଡି ଛାଡିବା ଏବେ କେନ୍ଦ୍ରାପଡା ବିଜେଡି ରାଜନୀତିର ଅଙ୍କକୁ ଗୋଳମାଳିଆ କରିଛି ।
ଗଣେଶ୍ୱର ବିଜେଡିରେ ମିଶିବା ପରେ ପରେ ବିଜେଡ଼ୁ ବାଏ ବାଏ କରିଥିଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ବିଜେଡ଼ି ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ସେହିଭଳି, ଆଜି କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ମଧ୍ୟ ବିଜେଡି ଛାଡିବା ସହ ପଦ୍ମ ଧରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, କାହିଁକି କେନ୍ଦ୍ରାପଡ଼ା ବିଜେଡିକୁ ଜଣେ ପରେ ଜଣେ କରୁଛନ୍ତି ବାଏ ବାଏ ? କେନ୍ଦ୍ରାପଡା ଆସନ ପାଇଁ ଉଭୟ ସିପ୍ରା ଓ ଗୀତାଞ୍ଜଳି ଆଶାୟୀ ଥିଲେ କି ? କିନ୍ତୁ ଗଣେଶ୍ୱର ଶଙ୍ଖ ଫୁଙ୍କି ବିଜେଡି ସମୀକରଣକୁ ଗୋଳମାଳିଆ କରିଦେଲେ କି ?
📱 Get Argus News App
✨ପୂର୍ବରୁ ଗଣେଶ୍ୱରଙ୍କ ପ୍ରାର୍ଥୀତ୍ୱକୁ ନେଇ ଉଭୟ ସିପ୍ରା ଓ ଗୀତାଞ୍ଜଳିଙ୍କ କ୍ୟାମ୍ପ ବିରୋଧ କରି ଆସୁଥିଲେ । ଏବେ ଉଭୟ ନେତ୍ରୀ ଦଳ ଛାଡିବା ପରେ ବିଜେଡି ଭୋଟବ୍ୟାଙ୍କ ଭାଗ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯେହେତୁ ଗୀତାଞ୍ଜଳି ଜିଲ୍ଲା ପରିଷଦ ଅଧ୍ୟକ୍ଷା ରହିଛନ୍ତି ତେଣୁ ଦଳରେ ତାଙ୍କର ଦବଦବା ଥିଲା ଏବଂ ନିଜସ୍ୱ ସଙ୍ଗଠନ ରହିଛି । ନିର୍ବାଚନର ମାସକ ପୂର୍ବରୁ ଗୀତାଞ୍ଜଳି ଦଳ ଛାଡିବା ବିଜେଡି ଭୋଟବ୍ୟାଙ୍କକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ସିପ୍ରା ମଲ୍ଲିକଙ୍କର ମଧ୍ୟ କେନ୍ଦ୍ରାପଡାରେ ନିଜସ୍ୱ ସଙ୍ଗଠନ ରହିଛି । ତେଣୁ ସିପ୍ରା ବିଜେଡି ଛାଡି କଂଗ୍ରେସକୁ ଯିବା ସହ ପ୍ରାର୍ଥୀ ହେବା ଦ୍ୱାରା କିଛି ଭୋଟ ନିଜ ସପକ୍ଷକୁ ମଧ୍ୟ ନେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଗଣେଶ୍ୱରଙ୍କ ପ୍ରାର୍ଥୀତ୍ୱକୁ ପୂର୍ବରୁ ବିଜେଡି କର୍ମୀ ବିରୋଧ କରୁଥିବାର ନଜିର ରହିଛି । ଏହାସହ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ତରାଇ ଏବେ ପର୍ଯ୍ୟନ୍ତ ନୀରବ ରହିଛନ୍ତି ।