Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ଖିଣ୍ଡାକୁ କେବଳ ଏକ ତୀର୍ଥ କ୍ଷେତ୍ର ନୁହେଁ, ବରଂ 'ପ୍ରେରଣାର କ୍ଷେତ୍ର' ଭାବେ ଗଢ଼ିତୋଳିବା: ଧର୍ମେନ୍ଦ୍ର ପ୍ରଧାନ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଖିଣ୍ଡାକୁ କେବଳ ଏକ ତୀର୍ଥ କ୍ଷେତ୍ର ନୁହେଁ, ବରଂ 'ପ୍ରେରଣାର କ୍ଷେତ୍ର' ଭାବେ ଗଢ଼ିତୋଳିବା: ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan

Key Points

ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଜନ୍ମପୀଠ ଖିଣ୍ଡାରେ ବିଭିନ୍ନ ଜନହିତକର ପ୍ରକଳ୍ପ ଉତ୍ସର୍ଗିକୃତ
ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର କହିଲେ ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀ ଖିଣ୍ଡା ଆସି ବୀରତ୍ୱର ପ୍ରେରଣା ନେବା ଆବଶ୍ୟକ
ଓଡ଼ିଆ ବୀରତ୍ୱ ଓ ସ୍ୱାଭିମାନର ପ୍ରତୀକ ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର ଖିଣ୍ଡା ସ୍ଥିତ ତାଙ୍କ ଜନ୍ମପୀଠ ଗସ୍ତ କରିଛନ୍ତି । ଏହି ପବିତ୍ର ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବୀର ସୁରେନ୍ଦ୍ର ସାଏଙ୍କ ଏକ ନବ ନିର୍ମିତ ଭବ୍ୟ ପ୍ରତିମୂର୍ତ୍ତିକୁ ଅନାବରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଖିଣ୍ଡା ଠାରେ ଆୟୋଜିତ ଏକ ବିଶାଳ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୀର ସୁରେନ୍ଦ୍ର ସାଏଙ୍କ ସହିତ ତାଙ୍କ ପରିବାରର ଛବିଳ ସାଏ ଓ ଉଦନ୍ତ ସାଏଙ୍କ ବଳିଦାନ ଅଦ୍ୱିତୀୟ । ବିଶେଷ ଭାବରେ ଐତିହାସିକଙ୍କ ମତରେ ଉଦନ୍ତ ସାଏ ଦେଶମାତୃକା ପାଇଁ ୪୭ ବର୍ଷ ଜେଲଦଣ୍ଡ ଭୋଗିବା ଏକ ସାଧାରଣ କଥା ନୁହେଁ । ଏହି ବୀରମାନଙ୍କର ଅକୁହା ଗାଥା ଓ ବୀରତ୍ୱର କାହାଣୀକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ।

ଖିଣ୍ଡାକୁ କେବଳ ଏକ ତୀର୍ଥ କ୍ଷେତ୍ର ନୁହେଁ ବରଂ ଏକ 'ପ୍ରେରଣାର କ୍ଷେତ୍ର' ଭାବେ ଗଢ଼ି ତୋଳିବାକୁ ହେବ । ଏକ ଅତ୍ୟାଧୁନିକ ଇଣ୍ଟରପ୍ରିଟେସନ ସେଣ୍ଟର, ପୁରୁଣା ମନ୍ଦିରର ଜିର୍ଣ୍ଣୋଧାର ଏବଂ ଓପନ କମ୍ୟୁନିଟି ସେଣ୍ଟର ନିର୍ମାଣ ସମେତ ଆନୁଷଙ୍ଗିକ କାର୍ଯ୍ୟର ଏହାର ସାମଗ୍ରିକ ରୂପରେଖ ବଦଳାଯିବ । ନଦୀ କୂଳର ବିକାଶ, ଗମନାଗମନ ସୁବିଧା ଏବଂ ପାନୀୟ ଜଳର ସୁବିଧା ସହ ଖିଣ୍ଡାରେ ୧ ଲକ୍ଷ ବୃକ୍ଷ ରୋପଣ କରାଯିବ । ଏଥିପାଇଁ ଆଗେଇ ଆସିବା ସହ ସମ୍ବଲପୁରର ପରିଚୟକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଆଜିର କାର୍ଯ୍ୟକ୍ରମ ଅବସରରେ ଖିଣ୍ଡା ଠାରେ ଏକ ନବନିର୍ମିତ ‘ଗ୍ରାମ ପଞ୍ଚାୟତ ସ୍ୱାଗତ ତୋରଣ’କୁ ଉଦଘାଟନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ପାଇଁ ଏକ ‘ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର’ର ନୂତନ ଭବନର ମଧ୍ୟ ଲୋକାର୍ପଣ କରିଥିଲେ । ‘ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ’ ଏବଂ ‘ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ନୂତନ ଗୃହକୁ ଉଦଘାଟନ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନୂଆ ଖିଣ୍ଡା ସ୍ଥିତ ‘ଆଦର୍ଶ ଅଙ୍ଗନବାଡି କେନ୍ଦ୍ର’ର ନୂତନ ଗୃହ ଉଦଘାଟନ କରିବା ସହ ଶିଶୁମାନଙ୍କୁ ଫଳ ବିତରଣ କରିଥିଲେ ।

ଆଜି ପବିତ୍ର ସରସ୍ୱତୀ ପୂଜା ହୋଇଥିବାରୁ ଏହି କେନ୍ଦ୍ରରେ ସେ କୋମଳମତି ଶିଶୁମାନଙ୍କୁ ‘ଖଡ଼ି ଛୁଆଁଇ’ ସେମାନଙ୍କର ବିଦ୍ୟାରମ୍ଭ କରାଇଥିଲେ । ସମ୍ବଲପୁର ଠେଲକୋଲୋଇ ଗ୍ରାମପଞ୍ଚାୟତରେ ନବନିର୍ମିତ 'ଗୋଷ୍ଠୀ କେନ୍ଦ୍ର' କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହୋଇଯାଇଥିଲା । ଖିଣ୍ଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ମା' ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ। ଏଥିସହ ବୀର ସୁରେନ୍ଦ୍ର ସାଏଙ୍କ ଦାୟାଦମାନଙ୍କୁ ଭେଟି ସେମାନଙ୍କର ଆଶୀର୍ବାଦ ନେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Khinda to Be Developed as ‘Land of Inspiration’, Not Just Pilgrimage: Dharmendra Pradhan | Argus News