Videos
|
Odisha

Odisha Agriculture / ସୋରିଷ ଓ ତୋରିଆ ମଞ୍ଜି ବଣ୍ଟନ; ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିର ବ୍ୟବହାରିକ ପ୍ରଦର୍ଶନ ଦେଖାଇଲେ କୃଷି ବିଭାଗ ଅଧ୍ୟାପକ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ସୋରିଷ ଓ ତୋରିଆ ମଞ୍ଜି ବଣ୍ଟନ; ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିର ବ୍ୟବହାରିକ ପ୍ରଦର୍ଶନ ଦେଖାଇଲେ କୃଷି ବିଭାଗ ଅଧ୍ୟାପକ
CUO and ICAR Promote Scientific Mustard Farming in Koraput

Key Points

ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ସୋରିଷ ଚାଷର କୌଶଳ ସମ୍ପର୍କରେ ଅବଗତ କରାଇବା ପାଇଁ ବିଶ୍ଵବିଦ୍ୟାଳୟର କୃଷି ବିଭାଗ ଅଧ୍ୟାପକମାନେ କ୍ଷେତ୍ର ପରିଦର୍ଶନ କରି ଏକ ବ୍ୟବହାରିକ ପ୍ରଦର୍ଶନ ମଧ୍ୟ ପ୍ରଦର୍ଶନ କରିଥିଲେ ।
କୋରାପୁଟ: ଚାଷୀଙ୍କୁ ପ୍ରୋତ୍ସାହନ, ଉନ୍ନତ କୃଷି ପ୍ରଣାଳୀ ସହ କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟ । ଆଗେଇ ଆସିଲା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (CUO), କୋରାପୁଟର କୃଷି ବିଭାଗ । ରାଜସ୍ଥାନ ଭରତପୁର ସ୍ଥିତ ଆଇ.ସି.ଏ.ଆର୍.- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରେପସିଡ୍-ମଷ୍ଟାର୍ଡ ରିସର୍ଚ୍ଚ (ICAR-IIRMR)ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ବୋରିଗୁମ୍ମା ଅନ୍ତର୍ଗତ ଅଞ୍ଚଳା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋରିଷ ମଞ୍ଜି ବଣ୍ଟନ ଏବଂ କୃଷି ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ସୋରିଷ ଓ ତୋରିଆ ଚାଷକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିବା, ଚାଷୀମାନଙ୍କୁ ଉନ୍ନତ କୃଷି ପ୍ରଣାଳୀ ସହିତ ପରିଚିତ କରାଇବା ଏବଂ ଏହି ଅଞ୍ଚଳରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ବୋରିଗୁମ୍ମା ଏବଂ କୋଟପାଡ଼ ବ୍ଲକର ୭୫ ଜଣ ଚାଷୀଙ୍କୁ ସୋରିଷ/ତୋରିଆ ମଞ୍ଜି ଓ ଆବଶ୍ୟକୀୟ ସାର ବଣ୍ଟନ କରାଯାଇଥିଲା । ଯାହାକି ପ୍ରାୟ ୨୫ ଏକରରୁ ଅଧିକ ଚାଷ ଜମି ପାଇଁ ଉଦ୍ଦିଷ୍ଟ ଅଟେ । ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ସୋରିଷ ଚାଷର କୌଶଳ ସମ୍ପର୍କରେ ଅବଗତ କରାଇବା ପାଇଁ ବିଶ୍ଵବିଦ୍ୟାଳୟର କୃଷି ବିଭାଗ ଅଧ୍ୟାପକମାନେ କ୍ଷେତ୍ର ପରିଦର୍ଶନ କରି ଏକ ବ୍ୟବହାରିକ ପ୍ରଦର୍ଶନ ମଧ୍ୟ ପ୍ରଦର୍ଶନ କରିଥିଲେ ।

ଚାଷୀମାନଙ୍କୁ ସମ୍ବୋଧିତ କରି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ଅଜିତ କୁମାର ଶାସନୀ ମତବ୍ୟକ୍ତ କରିଥିଲେ । କହିଥିଲେ, "ଅବିଭକ୍ତ କୋରାପୁଟ ଅଞ୍ଚଳର ଚାଷୀମାନେ ଅତ୍ୟନ୍ତ ଉଦ୍ୟମୀ, ଅଗ୍ରଣୀ ଏବଂ ପରିଶ୍ରମୀ ଅଟନ୍ତି ।" ସେ ଜୋର ଦେଇ କହିଛନ୍ତି, ଉନ୍ନତ କୃଷି ପ୍ରଣାଳୀ ଗ୍ରହଣ କରିବା ଦ୍ବାରା ଏହି ଅଞ୍ଚଳରେ କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଅପାର ସମ୍ଭାବନା ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୁଳପତି କହିଥିଲେ, "ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ପ୍ରକୃତ ମେରୁଦଣ୍ଡ । ଏଠାରେ ଗବେଷଣା ଏବଂ ନୂତନ ପ୍ରୟୋଗ ପାଇଁ ଅନେକ ସୁଯୋଗ ରହିଛି । ଏହି ପଦକ୍ଷେପ ହେଉଛି କେବଳ ଏକ ଆରମ୍ଭ ମାତ୍ର । ଚାଷୀମାନଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ସିୟୁଓ ସେମାନଙ୍କୁ ସମସ୍ତ ପ୍ରକାରର ବୈଷୟିକ ଜ୍ଞାନକୌଶଳ, ସହାୟତା ଏବଂ ମାର୍ଗଦର୍ଶକ ଯୋଗାଇ ଦେବ । ସୋରିଷ/ତୋରିଆ ଚାଷକୁ ବ୍ୟାପକ କରିବା ପାଇଁ ଆମେ ଚାଷୀଙ୍କ ପରାମର୍ଶ କ୍ରମେ କୋରାପୁଟ ଜିଲ୍ଲାରେ ୨୪୦ ଏକର ଚାଷ ଜମି ଚିହ୍ନଟ କରିଛୁ ।"

ଏଥିସହ ପଢ଼ନ୍ତୁ: ୯୦% ଜମି ନିର୍ମାଣ ପାଇଁ ଉପଲବ୍ଧ ନ ହେଲେ ଘୋଷଣା ହେବନି କାର୍ଯ୍ୟାରମ୍ଭ ତାରିଖ 

କାର୍ଯ୍ୟକ୍ରମରେ ମହିଳା ଚାଷୀମାନଙ୍କ ସକ୍ରିୟ ଭୂମିକାକୁ ପ୍ରଶଂସା କରି ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ କୃଷି କାର୍ଯ୍ୟରେ ମହିଳାମାନଙ୍କର ବୃଦ୍ଧି ପାଉଥିବା ଅଂଶଗ୍ରହଣ ଏବଂ ନୂତନ ଚାଷ ପ୍ରଣାଳୀ ଶିଖିବା ପ୍ରତି ସେମାନଙ୍କର ଉତ୍ସାହକୁ ଭୂୟସୀ ପ୍ରଶଂସା କରିଥିଲେ । ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ପଦକ୍ଷେପ ଚାଷୀମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ ଏବଂ ଅଧିକରୁ ଅଧିକ ଚାଷୀଙ୍କୁ ଏଥିପାଇଁ ପ୍ରେରଣା ଯୋଗାଇବ ।

କାର୍ଯ୍ୟକ୍ରମର ବୈଷୟିକ ଦିଗଗୁଡ଼ିକ ଉପରେ ଆଲୋକପାତ କରି କୃଷି ବିଭାଗର ମୁଖ୍ୟ ଡ. ମଞ୍ଜୁଶ୍ରୀ ସିଂ ଚାଷୀମାନଙ୍କୁ ସୋରିଷ ଚାଷର ବିଜ୍ଞାନ ସମ୍ମତ ପ୍ରଣାଳୀ, ଏହାର ଉପକାରିତା ଏବଂ କୃଷି ଆୟ ବୃଦ୍ଧିର ସମ୍ଭାବନା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ଆଗାମୀ ଦିନରେ ଉତ୍ପାଦନ ବୃଦ୍ଧି ପାଇଲେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଉପଯୁକ୍ତ ବଜାର ସଂଯୋଗର ବ୍ୟବସ୍ଥା କରାଯିବ । ଏହା ସହିତ ତେଲ ବାହାର କରିବା ଏବଂ ମୂଲ୍ୟ ଯୁକ୍ତ ଉତ୍ପାଦର ବିକାଶ ପାଇଁ ମଧ୍ୟ ଆବଶ୍ୟକୀୟ ବୈଷୟିକ ସହଯୋଗ ଯୋଗାଇ ଦିଆଯିବ । ଏଭଳି ପଦକ୍ଷେପ ଚାଷୀଙ୍କୁ ଆତ୍ମ ନିର୍ଭରଶୀଳ କରିବାରେ ବେଶ୍ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ଅଞ୍ଚଳା ଗ୍ରାମପଞ୍ଚାୟତ ସରପଞ୍ଚ ଦାଶରଥୀ ମାଝୀ, ସିୟୁଓ କୃଷି ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ଲୋପାମୁଦ୍ରା ବେହେରା, ଓ.ଏଲ୍.ଏମ୍. (OLM) ବି.ପି.ଏମ୍. ଇନଚାର୍ଜ ଦେବେନ୍ଦ୍ର ପଣ୍ଡା ଏବଂ ସମାଜସେବୀ ଲକ୍ଷ୍ମୀନାରାୟଣ ବକ୍ସିଙ୍କ ସମେତ ବୋରିଗୁମ୍ମା ଓ କୋଟପାଡ଼ ବ୍ଲକର ବହୁ ଚାଷୀ ଓ କୃଷି ମିତ୍ରମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକମାନେ ଚାଷୀଙ୍କ ବିଭିନ୍ନ ଦ୍ବନ୍ଦ୍ଵ ଓ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବା ସହ ସୋରିଷ ଚାଷ ସମ୍ପର୍କରେ ଜରୁରୀ ପରାମର୍ଶ ଦେଇଥିଲେ ।