Videos
|
Odisha

Kotia Border Dispute / କୋଟିଆରେ ଆନ୍ଧ୍ର ନିର୍ବାଚନ ପାଇଁ କାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ, ଏବେ ବି ମୈଦାନରେ ୧୦ ଓଡ଼ିଆ ପ୍ରାର୍ଥୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କୋଟିଆରେ ଆନ୍ଧ୍ର ନିର୍ବାଚନ ପାଇଁ କାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ, ଏବେ ବି ମୈଦାନରେ ୧୦ ଓଡ଼ିଆ ପ୍ରାର୍ଥୀ
Kotia Dispute

Key Points

କୋଟିଆରେ ଆନ୍ଧ୍ରର ନିର୍ବାଚନୀ ଚାଲ୍
ମୈଦାନରେ ଏବେ ବି ୧୦ ଓଡ଼ିଆ ପ୍ରାର୍ଥୀ


ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ପୁଣି ସରଗରମ ସୀମାନ୍ତ । ଆସନ୍ତା ଡିସେମ୍ବର ୨ରେ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ପ୍ରସ୍ତୁତି ଚଳାଇଛି । ଏଥିପାଇଁ ଆସନ୍ତାକାଲି ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାରି ଭିତରେ ୨ ଜଣ ସରପଞ୍ଚ ପ୍ରାର୍ଥୀ ଓହରି ଯାଇଥିଲେ ମଧ୍ୟ ଏବେ ବି ମୈଦାନରେ ଅଛନ୍ତି ୧୦ ଜଣ ଓଡ଼ିଆ । ପଡ଼ୋଶୀର ସବୁ ଚାଲ୍‌କୁ ଭଣ୍ଡୁର କରିବାକୁ କୋରାପୁଟ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛି । ସେପଟେ ଗଜପତିରେ ସଫଳ ହୋଇଛି ପଡ଼ୋଶୀର ଷଡ଼ଯନ୍ତ୍ର । କାରଣ କୋରାପୁଟରେ ଥିବା କଡ଼ା ପହରା ଗଙ୍ଗାବାଡ଼ରେ ଢିଲା ପଡ଼ିଯାଇଛି ।

ନଭେମ୍ବର ୫, ୨୦୨୬ । ଯେତେବେଳେ ପଡ଼ୋଶୀର ଚାଲକୁ ଭଣ୍ଡୁର କରିବା ପାଇଁ ସବୁ ବଳ ଲଗାଇ ଦେଇଥିଲା କୋରାପୁଟ ଜିଲ୍ଲା ପ୍ରଶାସନ । ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନ କରାଇ ନ ଦେବାକୁ ସହଯୋଗ କରିଥିଲେ ସର୍ବଦଳୀୟ ନେତା । ସ୍ଥାନୀୟ ପ୍ରଶାସନର ପଦକ୍ଷେପ ଫଳରେ ଆନ୍ଧ୍ର ଓଡ଼ିଶା ସୀମାରେ ପୋଲିଂ ବୁଥ୍ କରିପାରିଲାନି ଏବଂ ଓଡ଼ିଆ ଲୋକଙ୍କୁ ନେଇ ମତଦାନ କରାଇବାର ଚାଲ ମଧ୍ୟ କେତେକାଂଶରେ ଭଣ୍ଡୁର ହୋଇଗଲା । କିନ୍ତୁ ଆନ୍ଧ୍ର-ଓଡ଼ିଶା ସୀମାରେ ଯେଉଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଲା, ତାହା ପୁଣି ଘଟିବାକୁ ଯାଉଛି । କାରଣ- କାଲି ସରୁଛି ଆନ୍ଧ୍ର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ପ୍ରତ୍ୟାହରର ଡେଡଲାଇନ୍ । ଆଉ ଏବେ ବି ମୈଦାନରେ ଅଛନ୍ତି ୧୦ ଓଡ଼ିଆ ସରପଞ୍ଚ ପ୍ରାର୍ଥୀ ।

ଏପଟେ କୋଟିଆ ସୀମାରେ ଦିନରାତି ୨୪ ଘଣ୍ଟିଆ ପ୍ରହରା ଦେଉଛି ଓଡ଼ିଶା ପୋଲିସ । ଘନ କୁହୁଡ଼ି ହେଉ କି କିଟିମିଟି ଅନ୍ଧାର, ସବୁ ପରିସ୍ଥିତିକୁ ଖାତିର ନକରି ସୀମାନ୍ତରେ ଜାଗ୍ରତ ପ୍ରହରୀ ସାଜିଛନ୍ତି ଯବାନ । ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତିର କଡ଼ା ଜବାବ ଦେବା ପାଇଁ କୋଟିଆରେ ପରବ ଆୟୋଜନ କରି ସ୍ଥାନୀୟ ଲୋକଙ୍କ ମନ ଜିଣିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଓଡ଼ିଶା ସରକାର ଓ କୋରାପୁଟ ପ୍ରଶାସନ । ଆସନ୍ତା ଡିସେମ୍ବର ୨ରେ ଆନ୍ଧ୍ର-ଓଡ଼ିଶା ପୁଣି ମୁହାଁମୁହିଁ ହେବା ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିସେମ୍ବର ୨ ନିର୍ବାଚନର ସୁଯୋଗ ନେଇ କୋଟିଆ ପଞ୍ଚାୟତ ନେରେଡ଼ିବାଲସା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଚାଲିଥିବା ଅର୍ଦ୍ଧନିର୍ମିତ ଦୋକାନଘରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ଦ ଉଦ୍ଦେଶ୍ୟ ରଖି ରାସ୍ତା ଆରପଟେ ଦୋକାନ ନକରି ମନ୍ଦିର ନିକଟ ସରକାରୀ ଜମିରେ ନିର୍ମାଣ ଚାଲିଥିବା ଜଣାପଡ଼ିବା ପରେ, ମାଳତୀ ଖୋରାଙ୍କ ନାଁରେ ନୋଟିସ୍ କରିଛନ୍ତି କୋରାପୁଟ ଉପଜିଲ୍ଲାପାଳ । ଅନ୍ୟପଟେ ଚାରି ଜଣ ବ୍ୟକ୍ତିଙ୍କୁ କୋରାପୁଟ ପୋଲିସ ଅପହରଣ କରିଥିବା ନେଇ ଆନ୍ଧ୍ରର ମିଛ ଧରାପଡ଼ିଯାଇଛି । ଅଭିଯୋଗର ଦିନକ ପରେ ଚାରି ଜଣଯାକ ସାମ୍ନାକୁ ଆସି ସତ ବଖାଣିଛନ୍ତି ।

କୋରାପୁଟରେ କଡ଼ା ପହରା ଭିତରେ ଗଜପତିରେ ସଫଳ ହୋଇଛି ଆନ୍ଧ୍ରର ଚାଲ୍ । ଜିଲ୍ଲାର ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ସୀମାନ୍ତ ୬ଟି ଗାଁରୁ ପ୍ରାୟ ୨ଶହ ଲୋକ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କର୍ଜୀ । ଓଡ଼ିଶାର ଗାଁରେ ରହୁଥିବା ଲୋକେ କେଉଁ ଆଧାରରେ ଆନ୍ଧ୍ରରେ ଭୋଟ୍ ଦେଲେ, ତାହାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଶାସନିକ ସତର୍କତା ସତ୍ତ୍ୱେ ସୀମାନ୍ତରୁ ଲୋକେ ଯାଇ ଭୋଟ୍ ଦେବା ଘଟଣାକୁ ଗୁରୁତ୍ୱର ସହ ନେଇଛି ପ୍ରଶାସନ ।

ସୀମା ବିବାଦର ସମାଧାନ କେବେ ? ସୀମାନ୍ତ ଗାଁର ଲୋକଙ୍କ ପରିଚୟ ଓ ଅଧିକାର କେଉଁଠି ସୁରକ୍ଷିତ ? ଆଉ ନିର୍ବାଚନ ଆସିଲେ ଏହି ଅଞ୍ଚଳକୁ ନେଇ କାହିଁକି ତେଜୁଛି ରାଜନୈତିକ ଚର୍ଚ୍ଚା ? ଏହି ସବୁ ପ୍ରଶ୍ନର ଉତ୍ତର ଏବେ ପ୍ରଶାସନିକ ତଦନ୍ତ ଓ ଆଗାମୀ ପଦକ୍ଷେପ ଉପରେ ନିର୍ଭର କରୁଛି ।