Videos
|
Odisha

Kotia Border Dispute / ସଫଳ ହୋଇପାରିଲାନି ପଡ଼ୋଶୀର ଷଡ଼ଯନ୍ତ୍ର, ଓଡ଼ିଶାର ଏକତା ଆଗରେ ହାର ମାନିଲା ଆନ୍ଧ୍ର

Santosh Kumar Sahoo
Browse all articles by Santosh Kumar Sahoo
·51 mins ago·2 min read
ସଫଳ ହୋଇପାରିଲାନି ପଡ଼ୋଶୀର ଷଡ଼ଯନ୍ତ୍ର, ଓଡ଼ିଶାର ଏକତା ଆଗରେ ହାର ମାନିଲା ଆନ୍ଧ୍ର
Kotia Border Dispute

Key Points

ଓଡ଼ିଶାର ଏକତା ଆଗରେ ହାରିଲା ପଡ଼ୋଶୀର ଷଡ଼ଯନ୍ତ୍ର
ନେରେଡ଼ିବାଲସାରୁ ହଟାଇ ନିଜ ରାଜ୍ୟରେ ନିର୍ବାଚନ ବୁଥ କଲା ଆନ୍ଧ୍ର
ଗଳାବାଟରେ କିଛି ଲୋକ ଯାଇ ଭୋଟ୍ ଦେଇଥିବା ସୂଚନା

କୋଟିଆରେ ଓଡ଼ିଶାର ଏକତା ଆଗରେ ମୁଣ୍ଡ ନୁଆଁଇଲା ଆନ୍ଧ୍ରପ୍ରଦେଶ । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ମା’ ମାଟିର ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି ସର୍ବଦଳୀୟ ନେତା, ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ । ଓଡ଼ିଶାର କଡ଼ା ବିରୋଧ ଓ ସୀମାନ୍ତରେ ରାତିସାରା ପହରା ପରେ ନରେଡ଼ିୱାଲ୍ସାରୁ ପୋଲିଂ ବୁଥ୍ ଘୁଞ୍ଚାଇ ଆନ୍ଧ୍ର ନିଜ ସୀମା ସାରିକିରେ ବୁଥ୍ କରିବାକୁ ବାଧ୍ୟ ହୋଇଛି । କୋରାପୁଟର ନୂଆ ଉପଜିଲ୍ଲାପାଳ ଫାବି ରସିଦ ସମ୍ମୁଖ ଯୋଦ୍ଧା ସାଜି ଆନ୍ଧ୍ରର ସବୁ ଚାଲ୍‌କୁ ଭଣ୍ଡୁର କରିଥିବା ବେଳେ ତାଙ୍କ ସାହସ ଓ ଦୃଢ଼ତାକୁ ଚାରିଆଡ଼ୁ ମିଳିଛି ଛୁଟିଛି ପ୍ରଶଂସା । ଯଦିଓ କିଛି ଲୋକଙ୍କୁ ଜଙ୍ଗଲ ଗଳାବାଟ ଦେଇ ନେଇ ଆନ୍ଧ୍ର ଭୋଟ୍ କରାଇବାରେ ସଫଳ ହୋଇଛି, ହେଲେ ରାଜସ୍ୱ ମନ୍ତ୍ରୀଙ୍କ ସମେତ ସବୁ ଦଳର ନେତା କହିଛନ୍ତି - କୋଟିଆରେ ଆନ୍ଧ୍ରର ଷଡ଼ଯନ୍ତ୍ର ସମ୍ପୂର୍ଣ୍ଣ ଫେଲ୍ ମାରିଛି ।

କୋରାପୁଟ ଜିଲ୍ଲା କୋଟିଆରେ ଦେଖିବାକୁ ମିଳିଛି ଓଡ଼ିଶାର ଅଦ୍ଭୁତପୂର୍ବ ଏକତା । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ମା’ ମାଟିର ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି ନେତାଙ୍କ ସହ ସାଧାରଣ ଜନତା ଓ ପ୍ରଶାସନ । ସୀମାନ୍ତରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ ଚାଲ୍‌କୁ ଭଣ୍ଡୁର କରିବା ପାଇଁ ସାରାରାତି ଜଗିରହିଥିଲା କୋରାପୁଟ ପ୍ରଶାସନ ।

ଓଡ଼ିଶାର କଡ଼ା ପ୍ରତିବାଦ ଓ ଦୃଢ଼ ଆଭିମୁଖ୍ୟ ଆଗରେ ଛାନିଆ ହୋଇ ନିଜର ବୁଥ୍ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲା ଆନ୍ଧ୍ର । ନରେଡ଼ିବାଲାସାରେ ବୁଥ୍ କରିବାକୁ ଆନ୍ଧ୍ର ଯୋଜନା କରିଥିଲା । ହେଲେ ଓଡ଼ିଶା ପ୍ରଶାସନ, ସର୍ବଦଳୀୟ ନେତା ଓ ସ୍ଥାନୀୟ ଲୋକଙ୍କ କଡ଼ା ବିରୋଧ ପରେ ଆନ୍ଧ୍ର ବାଧ୍ୟ ହୋଇ ୨ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ସାରିକି ଗ୍ରାମକୁ ବୁଥ୍ ଘୁଞ୍ଚାଇ ଦେଇଛି ।

ଆନ୍ଧ୍ର କିଛି କୋଟିଆବାସୀଙ୍କୁ ପ୍ରଲୋଭିତ କରି ଜଙ୍ଗଲର ଗଳାବାଟ ଦେଇ ନେବା ସହ ଭୋଟ୍ କରାଇଥିବା ଅଭିଯୋଗ ହୋଇଛି । ତେବେ ପ୍ରଶାସନ ଓ ସ୍ଥାନୀୟ ଲୋକେ ଏହା ଉପରେ କଡ଼ା ନଜର ରଖିଛନ୍ତି । ଯେଉଁମାନେ ଓଡ଼ିଶାର ସୁବିଧା ନେଇ ଆନ୍ଧ୍ରକୁ ଭୋଟ୍ ଦେବାକୁ ଯାଉଛନ୍ତି, ସେମାନଙ୍କର ଭୋଟ୍‌ ଓ ରାସନ୍ କାର୍ଡ କାଟି ଦିଆଯାଉ । ଏହି ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଉଚ୍ଚସ୍ତରରେ ଆଲୋଚନା ହେଉ ବୋଲି ଦାବି କରିଛନ୍ତି ବିରୋଧୀ । ସରକାର କହିଛନ୍ତି ଆନ୍ଧ୍ରର ଚକ୍ରାନ୍ତକୁ ଭଣ୍ଡୁର କରିବାରେ ସଫଳ ହୋଇଛି ଓଡ଼ିଶା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦଙ୍କ ନେତୃତ୍ୱରେ ପ୍ରଶାସନିକ ଟିମ୍ ସୀମାନ୍ତରେ ଡେରା ପକାଇଛନ୍ତି । ଜଣେ ମହିଳା ଅଫିସରଙ୍କ ଏହି ସାହସ ଓ ଦୃଢ଼ତାକୁ ସବୁ ଦଳର ନେତା ବେଶ୍ ପ୍ରଶଂସା କରିଛନ୍ତି । ସବୁଠାରୁ ବଡ଼କଥା ହେଉଛି ଝାରସୁଗୁଡ଼ାରେ ପ୍ରୋବେସନ୍ ଶେଷ କରିବା ପରେ କୋରାପୁଟରେ ଉପଜିଲ୍ଲାପାଳ ଫାବି ରସିଦଙ୍କ ଏହା ପ୍ରଥମ ପୋଷ୍ଟିଂ । ତାଙ୍କ ସହ କୋରାପୁଟ ଏସଡିପିଓ ମଧ୍ୟ ସୀମାରେ ସମ୍ଭାଳିଛନ୍ତି ମୋର୍ଚ୍ଚା ।

ରାଜସ୍ବ ମନ୍ତ୍ରୀ କହିଛନ୍ତି ଆନ୍ଧ୍ର ସରକାର କିଛି ଲୋକଙ୍କୁ ଆଗୁଆ ନେଇ ହେପାଜତରେ ରଖିଥିଲେ । ସେମାନଙ୍କୁ ପ୍ରଲୋଭିତ କରି ଜଙ୍ଗଲ ବାଟରେ ଲୁଚିଛପି ଭୋଟ୍ ଦେବାକୁ ନେଇଥିଲେ । ସେମାନଙ୍କ ସଂଖ୍ୟା ଅତି କମ୍ । ଗାଁ ଲୋକେ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ ସମୟରେ ଭର୍ତ୍ସନା କରିଛନ୍ତି । ଆନ୍ଧ୍ରର କୁଚକ୍ରାନ୍ତ ସମ୍ପୂର୍ଣ୍ଣ ଫେଲ୍ ମାରିଛି ।
ସୀମାନ୍ତରେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ପ୍ରଶାସନ, ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣଙ୍କ ଏହି ମିଳିତ ଉଦ୍ୟମ ସାରା ରାଜ୍ୟ ପାଇଁ ଏକ ଉଦାହରଣ ପାଲଟିଛି । ଆନ୍ଧ୍ରର ସବୁ ପ୍ରକାର ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବାକୁ କୋଟିଆ ମାଟିରେ ଆଜି ଓଡ଼ିଶାବାସୀ ଗୋଟିଏ ସ୍ୱରରେ କହିଛନ୍ତି- କୋଟିଆ ଆମର ।