Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

The Saga of Kudopali Book / ବିଶ୍ବମଞ୍ଚରେ 'କୁଦୋପାଲି'ର ବୀରତ୍ବ ଗାଥା, ବିଶ୍ବ ପୁସ୍ତକ ମେଳାରେ ଉନ୍ମୋଚନ ହେଲା ବହି

Santosh Kumar Sahoo
Browse all articles by Santosh Kumar Sahoo
·6 months ago·5 min read
ବିଶ୍ବମଞ୍ଚରେ 'କୁଦୋପାଲି'ର ବୀରତ୍ବ ଗାଥା, ବିଶ୍ବ ପୁସ୍ତକ ମେଳାରେ ଉନ୍ମୋଚନ ହେଲା ବହି
Dharmendra Pradhan

Key Points

ବିଶ୍ବମଞ୍ଚରେ 'କୁଦୋପାଲି'ର ବୀରତ୍ବ ଗାଥା
ଦିଲ୍ଲୀ ବିଶ୍ବ ପୁସ୍ତକ ମେଳାରେ ଉନ୍ମୋଚନ ହେଲା ବହି
'କୁଦୋପାଲି କାହାଣୀ: ୧୮୫୭ର ଅକୁହା କଥା'
ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳାକୁ ଆଜି ଉଦଘାଟନ୍‌ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସବୁଠୁ ବଡ଼ କଥା ହେଉଛି, ଏଠାରେ 'କୁଦୋପାଲି କାହାଣୀ: ୧୮୫୭ର ଅକୁହା କଥା'ର ୧୦ଟି ଭାଷାରେ ଅନୁବାଦ ପୁସ୍ତକକୁ ଉନ୍ମୋଚନ କରାଯାଇଛି । ପୂର୍ବରୁ ଏହା ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀରେ ଲୋକାର୍ପିତ ହୋଇଥିଲା । ଭାରତୀୟ ସାମରିକ ଇତିହାସକୁ ନେଇ, ଏଥର ପୁସ୍ତକ ମେଳାର ଥିମ୍ ରହିଥିବାରୁ କୁଦୋପାଲିର ବୀରତ୍ବ କାହାଣୀ ସାରାବିଶ୍ବରେ ଚର୍ଚ୍ଚା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ଐତିହାସିକ, ଗବେଷକ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭାରତ ମଣ୍ଡପମରେ 'ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା- ୨୦୨୬' ଉଦ୍‌ଘାଟିତ ହୋଇଛି । ଏହି ବର୍ଷର ଉଦ୍‌ଘାଟନୀ ସମାରୋହରେ 'କୁଦୋପାଲି'ର ବୀରତ୍ୱ ଗାଥାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । "The Saga of Kudopali: The Unsung Story of 1857" ଶୀର୍ଷକ ପୁସ୍ତକକୁ ଆଜି ସ୍ପାନିସ୍, ବଙ୍ଗାଳି, ପଞ୍ଜାବୀ, ଅସମୀୟା, ମାଲାୟାଲମ, ଉର୍ଦ୍ଦୁ, ମରାଠୀ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭଳି ମୋଟ ୧୦ଟି ଭାଷାରେ ଉନ୍ମୋଚନ କରାଯାଇଛି । ପୂର୍ବରୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲୋକାର୍ପିତ ହୋଇସାରିଥିବା ଏହି ପୁସ୍ତକଟି ବର୍ତ୍ତମାନ ମୋଟ ୧୩ଟି ଭାଷାରେ ଉପଲବ୍ଧ ହୋଇଛି ।

ଓଡ଼ିଶାର ୧୮୫୭ ସଂଗ୍ରାମର ଏହି ଅନାଲୋଚିତ ତଥା ଅକୁହା କାହାଣୀ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ସମାରୋହରେ ପ୍ରଦର୍ଶିତ ହୋଇଥିଲା । ଏହି ଅଭିନବ ପଦକ୍ଷେପ ମାଧ୍ୟମରେ କୁଦୋପାଲିର ଅନାଲୋଚିତ ଇତିହାସ ଏବଂ ବୀର ସଂଗ୍ରାମୀଙ୍କ ବଳିଦାନକୁ ସର୍ବଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ଏକ ବଳିଷ୍ଠ ପ୍ରୟାସ କରାଯାଇଛି ।



କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ୧୮୫୭ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ କୁଦୋପାଲିର ଋଣଭୂମିରେ ୫୩ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ପରେ ଆଉ ୪ ଜଣ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା । ଏହିପରି ୫୭ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ଆଜିର ପଦକ୍ଷେପ ମାଧ୍ୟମରେ କୁଦୋପାଲିର ଅନାଲୋଚିତ ଇତିହାସ ଏବଂ ବୀର ସଂଗ୍ରାମୀଙ୍କ ବଳିଦାନକୁ ସର୍ବଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ଏକ ବଳିଷ୍ଠ ପ୍ରୟାସ କରାଯାଇଛି । ଏହି ପୁସ୍ତକ ଉନ୍ମୋଚନ ଭାରତର ସଂଗ୍ରାମୀ ଇତିହାସକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବ । ଏହି ପଦକ୍ଷେପ ଦ୍ୱାରା ନୂଆପିଢ଼ିର ପିଲାମାନେ ନିଜ ମାଟିର ବୀରତ୍ୱ ଓ ସଂଘର୍ଷ ବିଷୟରେ ଜାଣିବାକୁ ସୁଯୋଗ ପାଇବେ ବୋଲି ସେ କହିଛନ୍ତି ।

ସମ୍ବଲପୁରର କୁଦୋପାଲି କେବଳ ଏକ ସ୍ଥାନ ନୁହେଁ ବରଂ ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଜାଜ୍ୱଲ୍ୟମାନ ପ୍ରତୀକ । ୧୮୫୭ର ସିପାହୀ ବିଦ୍ରୋହ ସମୟରେ ଓଡ଼ିଶାର ଏହି ମାଟି ବ୍ରିଟିଶ ଶାସନ ବିରୋଧରେ ଅପରାଜେୟ ସଂଗ୍ରାମର ସାକ୍ଷୀ ରହିଥିଲା, ଯାହା ଏବେ ବିଶ୍ୱ ଦରବାରରେ ନୂତନ ପରିଚୟ ପାଇବାକୁ ଯାଉଛି । ୧୮୫୭ ଜୁଲାଇ ୩୦ରେ ହଜାରିବାଗ ଜେଲରୁ ମୁକ୍ତ ହେବା ପରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ଫେରିଆସିଥିଲେ । ଜନତାଙ୍କ ଅକୁଣ୍ଠ ସମର୍ଥନରେ ସେ ବ୍ରିଟିଶ ବିରୋଧୀ 'ଉଲଗୁଲାନ' (ଗରିଲା ଯୁଦ୍ଧ)ର ରଣନୀତି ପ୍ରସ୍ତୁତ କରିଥିଲେ ।

ସମ୍ବଲପୁର ଠାରୁ ମାତ୍ର ୪ ମାଇଲ ଦୂରରେ ଥିବା କୁଦୋପାଲିକୁ ସଂଗ୍ରାମୀମାନେ ନିଜର ମୁଖ୍ୟ କେନ୍ଦ୍ର କରିଥିଲେ । ଏହାର ପାହାଡ଼ିଆ ଭୌଗୋଳିକ ଅବସ୍ଥିତି ଯୋଗୁଁ ସେଠାରୁ ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହଜ ଥିଲା । ୧୭ ଡିସେମ୍ବର ୧୮୫୭ରେ ବ୍ରିଟିଶ ସେନାର ପ୍ରଥମ ଆକ୍ରମଣକୁ ସଂଗ୍ରାମୀମାନେ ପାହାଡ଼ ଉପରୁ ବିଶାଳ ପଥର ଗଡ଼ାଇ ପରାସ୍ତ କରିଥିଲେ । ଏହି ବିଜୟ ବ୍ରିଟିଶ ଶାସନକୁ ସମ୍ପୂର୍ଣ୍ଣ ଅଥର୍ବ କରିଦେଇଥିଲା । ବ୍ରିଟିଶ ସେନା ଷଡ଼ଯନ୍ତ୍ର କରି ପଛକୁ ଫେରିଯିବାର ଛଳନା କରିଥିଲେ । ସଂଗ୍ରାମୀମାନେ ପାହାଡ଼ ତଳକୁ ଓହ୍ଲାଇବା ମାତ୍ରେ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ । ଏହି ଯୁଦ୍ଧରେ ସୁରେନ୍ଦ୍ର ସାଏଙ୍କ ଚତୁର୍ଥ ଭ୍ରାତା ଛବିଳ ସାଏ ବୀରତ୍ୱର ସହ ଲଢ଼ି ଶହୀଦ ହୋଇଥିଲେ । କୁଦୋପାଲି ମାଟିରେ ସମୁଦାୟ ୫୭ ଜଣ ବୀରପୁତ୍ର ତଥା ୫୩ ଜଣ ଯୁଦ୍ଧରେ ଓ ୪ ଜଣ ଫାଶୀ ଦ୍ୱାରା ଶହୀଦ ହୋଇଥିଲେ । ଏହି ଘଟଣା ସଂଗ୍ରାମକୁ ଦୁର୍ବଳ କରିବା ପରିବର୍ତ୍ତେ ଆହୁରି ତୀବ୍ର କରିଥିଲା, ଯାହାର ପ୍ରତିଶୋଧ ପରବର୍ତ୍ତୀ ସମୟରେ ପାହାଡଶ୍ରୀଗିଡା ଯୁଦ୍ଧରେ ନିଆଯାଇଥିଲା ।

ସମ୍ବଲପୁରର ଏହି ଐତିହାସିକ ସଂଗ୍ରାମର ମୁଖ୍ୟ ପୁରୋଧା ଥିଲେ ବୀର ସୁରେନ୍ଦ୍ର ସାଏ, ଯାହାଙ୍କ ନେତୃତ୍ୱରେ ସାରା ଅଞ୍ଚଳରେ ବ୍ରିଟିଶ ବିରୋଧୀ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା । କୁଦୋପାଲିର ରକ୍ତକ୍ଷୟୀ ଯୁଦ୍ଧରେ ସୁରେନ୍ଦ୍ର ସାଏଙ୍କ ଚତୁର୍ଥ ଭ୍ରାତା ଛବିଳ ସାଏ ବୀରତ୍ୱର ଚରମ ନିଦର୍ଶନ ଦେଖାଇ ଶହୀଦ ହୋଇଥିଲେ । ତାଙ୍କ ସହ ଏହି ଆନ୍ଦୋଳନକୁ ସଶକ୍ତ କରିବାରେ ସୁରେନ୍ଦ୍ରଙ୍କ ଅନ୍ୟତମ ଭ୍ରାତା ଉଦନ୍ତ ସାଏ ଏବଂ କାକା ବଳରାମ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୁଦୋପାଲି ମାଟିକୁ ନିଜ ରକ୍ତରେ ଭିଜାଇଥିବା ୫୭ ଜଣ ବୀର ସନ୍ତାନଙ୍କ ମଧ୍ୟରେ କୁଲାବିରା ଜମିଦାରଙ୍କ ପୁତ୍ର କୃଷ୍ଣଚନ୍ଦ୍ର ସିଂହ ନାଏକ, ସଂଗ୍ରାମୀ ସେନାପତି ଶ୍ରୀକୃଷ୍ଣ ବେହେରା ଏବଂ ପତ୍ରାପାଲିର ଗଉଁତିଆ ବଳଭଦ୍ର ଦାସ ବିର୍ତ୍ତିଆ ପ୍ରମୁଖ ସାମିଲ ଥିଲେ । ଏହି ବରପୁତ୍ରମାନଙ୍କ ମିଳିତ ତ୍ୟାଗ ଓ ବଳିଦାନ କୁଦୋପାଲିକୁ ଭାରତୀୟ ସ୍ୱାଧୀନତା ଇତିହାସରେ ଏକ ପବିତ୍ର ରକ୍ତତୀର୍ଥର ମାନ୍ୟତା ପ୍ରଦାନ କରିଛି ।

ଦୀର୍ଘ ବର୍ଷ ଧରି ଏହି ଇତିହାସ କେବଳ ସ୍ଥାନୀୟ ଲୋକଗୀତରେ ସୀମିତ ଥିଲା । ବର୍ତ୍ତମାନ ଆଇ.ସି.ଏଚ.ଆର ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟର ପ୍ରୟାସରେ ଏହି ବିସ୍ମୃତ କାହାଣୀ 'ଦି ସାଗା ଅଫ୍ କୁଦୋପାଲି' ପୁସ୍ତକ ମାଧ୍ୟମରେ ୧୩ଟି ଭାଷାରେ ପ୍ରକାଶିତ ହୋଇ ବିଶ୍ୱବ୍ୟାପୀ ପରିଚୟ ପାଉଛି । କୁଦୋପାଲିରେ ଏକ ଭବ୍ୟ ଶହୀଦ ସ୍ମାରକ ନିର୍ମାଣର ଯୋଜନା କରାଯାଇଛି, ଯାହା ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ରାଷ୍ଟ୍ରର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚନ, ଭାରତର ସଂଗ୍ରାମୀ ଇତିହାସକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବ ବୋଲି ସାହିତ୍ୟିକମାନେ କହିଛନ୍ତି । ଏହି ପୁସ୍ତକ ମେଳା ବିଚାରର ସଙ୍ଗମ, ସମ୍ବାଦର ଉତ୍ସବ ଏବଂ ସୃଜନଶୀଳତାର ଉତ୍ସାହ । ଆଜି ଭାରତ ପ୍ରକାଶନ ଏବଂ ପୁସ୍ତକ ବ୍ୟାପାର କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ କେନ୍ଦ୍ର ପାଲଟିଛି । ଏହା 'ଆତ୍ମନିର୍ଭର ଭାରତ'ର ଚିନ୍ତାଧାରାର ପ୍ରତୀକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଚଳିତବର୍ଷ ପୁସ୍ତକ ମେଳାର ମୁଖ୍ୟ ବିଷୟବସ୍ତୁ "ଭାରତୀୟ ସାମରିକ ଇତିହାସ - ଶୌର୍ଯ୍ୟ ଏବଂ ବିବେକ @୭୫" ରଖାଯାଇଛି । ଏଥିସହିତ ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଏବଂ 'ବନ୍ଦେ ମାତରମ୍‌'ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ବହୁଭାଷୀ ପ୍ରକାଶନ ଏବଂ ଭାରତୀୟ ଜ୍ଞାନ ପରମ୍ପରାକୁ ନୂତନ ଗତି ପ୍ରଦାନ କରିଛି । ପ୍ରଥମ ଥର ପାଇଁ ଶିକ୍ଷା ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ର ପାଭିଲିଅନ ଏହି ମେଳାରେ ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କାତାରର ସଂସ୍କୃତି ମନ୍ତ୍ରୀ ଏଆର ବିନ ହାମଦ ବିନ ଜାସିମ ବିନ ହାମଦ ଅଲ୍ ଥାନି ଏବଂ ସ୍ପେନର ସଂସ୍କୃତି ମନ୍ତ୍ରଣାଳୟର ପୁସ୍ତକ ମହାନିର୍ଦ୍ଦେଶିକା ମାରିଆ ଜୋସେ ଗାଲଭେଜ ପ୍ରମୁଖ ଯୋଗ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kudopali’s Heroic Saga Goes Global: Book on 1857 Freedom Struggle Unveiled at New Delhi World Book Fair | Argus News