ଶିଳ୍ପଶୂନ୍ୟ ହେବାକୁ ଯାଉଛି ଏକଦା ଶିଳ୍ପ ସମୃଦ୍ଧ ବରଗଡ଼

Key Points
- ଗୋଟିଏ ଶିଳ୍ପର ଶବ ଉପରେ ନୂତନ ଶିଳ୍ପର ଥୋପ
- ବରଗଡ଼ ଚିନିକଳର ଚିହ୍ନବର୍ଣ୍ଣ ଲୋପ କରିବାକୁ ସରକାରୀ ଉଦ୍ୟମ
- 7 ବର୍ଷ ହେଲା ବକେୟା ଦରମା ପାଇନାହାନ୍ତି କାରଖାନା କର୍ମଚାରୀ
- ଇଡକୋକୁ ହସ୍ତାନ୍ତର କରିଦେଲେ ଚିନିକଳ ଜମି
- ବିଜେଡି ସରକାରଙ୍କ ଅଣଦେଖା, ଅପାରଗତା ଓ ବିଫଳତାର ପ୍ରମାଣ
- ଶିଳ୍ପଶୂନ୍ୟ ହେବାକୁ ଯାଉଛି ଏକଦା ଶିଳ୍ପ ସମୃଦ୍ଧ ବରଗଡ଼
ଅର୍ଗସ ବ୍ୟୁରୋ: ଦିନ ଥିଲା ଏ ସ୍ଥାନରେ ଥିଲା ବେଶ୍ ଗହଳି ଚହଳି। ଶୁଭୁଥିଲା ମେସିନର ଗର୍ଜନ । ଚିନିର ମହକରେ ପେଟ ପୁରୁଥିଲା। ମାସ ପୁରିଲେ ଦରମା ଟଙ୍କା ପାଇ ପୁରି ଉଠୁଥିଲା ଶ୍ରମିକ ଓ ତାଙ୍କ ପରିଜନଙ୍କ ମନ । ଏଠାରେ ଥିବା ବଡ଼ ଚିନି କାରଖାନା ସମେତ ଅନ୍ୟ କେତେକ ଶିଳ୍ପ ବରଗଡ଼କୁ ଦେଇଥିଲା ଶିଳ୍ପ ନଗରୀର ମାନ୍ୟତା । ହେଲେ ସମୟ ବଦଳିଲା। ପ୍ରଶାସନିକ ଅଣଦେଖା ଅଭିଶାପ ପାଲଟିଲା। ଆଉ ଶହ ଶହ ଲୋକ କାମ କରୁଥିବା ଏ କାରଖାନା ପାଲଟିଲା ପରିତ୍ୟକ୍ତ ଅଞ୍ଚଳ। ବରଗଡ଼ର ଅନ୍ୟତମ ପରିଚୟ ଏବେ ଧୂଳି ମାଖି ହୋଇ ଅଣନିଶ୍ବାସୀ ହୋଇସାରିଛି ।
ରାଜ୍ୟ ସରକାରଙ୍କ ଅପାରଗତା ଓ ଅବହେଳା ଯୋଗୁଁ ଇତିହାସ ପାଲଟିଲା ବରଗଡ଼ ଚିନିକଳ। ଏଥିସହ ଏହା ଉପରେ ନିର୍ଭରଶୀଳ ଶହ ଶହ ଲୋକଙ୍କର ଜୀବିକାର ହେଲା ମୃତ୍ୟୁ। ଏବେ କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ଏ ଶିଳ୍ପର ଶବ ଉପରେ ନୂତନ ଶିଳ୍ପର ଥୋପ ଦେଇଛନ୍ତି ରାଜ୍ୟସରକାର । ବରଗଡ଼ବାସୀ ଓ ବକେୟା ଦରମା ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରତ ଚିନିକଳର କର୍ମଚାରୀଙ୍କୁ ଭୁତେଇବାକୁ ଚେଷ୍ଟା କରିଛନ୍ତି । ବରଗଡ଼ ଚିନକଳର ଜମିକୁ ଇଡକୋକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଚିନିକଳର ମୋଟ ୧୦୩.୨୧ ଏକର ଜମିରୁ ବିବାଦମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ଼ କୋଅପରେଟିଭ ସୁଗାର ମିଲ୍ସର Liquidatorଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ବାକି ସବୁ ଜମି ବିବାଦମୁକ୍ତ ହେବାପରେ ଇଡକୋକୁ ହସ୍ତାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବ ।
ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏକଦା ଥିଲା ଅନେକ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ। ସୂତାକାଳ , ସାର କାରଖାନା, ଚିନି କଳ ସହିତ ଶତାଧିକ ଧାନମିଲ୍ ଥିବା ବରଗଡ ଜିଲ୍ଲା ଧୀରେ ଧୀରେ ଶିଳ୍ପ ବିହୀନ ହେବାରେ ଲାଗିଛି | ହଜାର ହଜାର ସଂଖ୍ୟାରେ ଶ୍ରମିକ କାମ କରୁଥିବା ସୂତା କଳ ସଂପୂର୍ଣ୍ଣ ବନ୍ଦ ହେବା ପରେ ସାର କାରଖାନାରେ ତାଲା ପଡ଼ିଲା, ଆଉ ତା ପରେ ଏହାପରେ ଆଖୁଚାଷୀଙ୍କ ରୋଜଗାରର ମାଧ୍ୟମ ସାଜିଥିବା ଚିନିକଳ ବି ସଂପୂର୍ଣ୍ଣ ବନ୍ଦ ହୋଇଗଲା।
📱 Get Argus News App
✨2017 ମସିହାରୁ ବନ୍ଦ ହୋଇପଡିଥିବା ଚିନିକଳର 149 ଜଣ କର୍ମଚାରୀଙ୍କୁ ଆଜି ଯାଏଁ ସେମାନଙ୍କ ବକେୟା ଦରମା ଦିଆଯାଇନାହିଁ। ଏଥିପାଇଁ କର୍ମଚାରୀ ବାରମ୍ବାର ଆନ୍ଦୋଳନ କରିବା ସତ୍ବେ ଏଠାକାର ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ମନ୍ତ୍ରୀ ଓ ଶାସକ ଦଳର ନେତା କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...