Videos
|
Odisha

ସାଆନ୍ତଙ୍କ ଦର୍ଶନ ପାଇଁ ରାତି ପାହୁ ପାହୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼

Ritu Das
Browse all articles by Ritu Das
·2 years ago·2 min read
ସାଆନ୍ତଙ୍କ ଦର୍ଶନ ପାଇଁ ରାତି ପାହୁ ପାହୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଅର୍ଗସ ବ୍ୟୁରୋ: ଶରଧାବାଲିରୁ ସିଂହଦ୍ବାର । ରାତି ପାହୁପାହୁ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ । ଘଣ୍ଟଘଣ୍ଟା, ଶଙ୍ଖ ଧ୍ବନିରେ ଫାଟି ପଡ଼ୁଥିଲା ବଡ଼ଦାଣ୍ଡ । ତାରି ଭିତରେ ନାକଚଣା ଦ୍ବାରରେ ତିନି ଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ ଆଡ଼ପ ମଣ୍ଡପରୁ ନୀତିକାନ୍ତି ବଢ଼ାଇ ବାହୁଡ଼ିବାକୁ ପ୍ରସ୍ତୁତ ହେଉଥିଲେ କଳାମୁକୁନ୍ଦ ।  ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ, ମଇଲମ, ରୋଷହୋମ, ତଡପ ଲାଗି, ଅବକାଶ ପୂଜା, ସୂର୍ଯ୍ୟପୂଜା ସମ୍ପନ୍ନ ହେବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ଓ ଡୋର ଲାଗି ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଟାହିଆ ହଲାଇ ହଲିଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ । 

ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଆରମ୍ଭ ହୋଇଥିଲା ଛେରା ପହଁରା । ଏହା ପରେ ପହଞ୍ଚି ଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ । ଅପରାହ୍ନର ଯୁବାବସ୍ଥା ବେଳେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ। 

ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କ ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ । ପୋଡ଼ପିଠା ଖାଇ ପୁଣି ସିଂହଦ୍ବାର ଅଭିମୁଖେ ବାହାରିଥିଲେ ତିନି ଠାକୁର । ଏହା ପରେ ଶ୍ରୀନଅର ସମ୍ମୁଖରେ ସମ୍ପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଶ୍ରୀକ୍ଷେତ୍ର ନୁହଁ। ଉପାନ୍ତରେ ବି ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି । ରାୟଗଡ଼ା କୁହନ୍ତୁ କି କୋରାପୁଟ, ମାଲକାନଗିରି ହେଉ କି କଳାହାଣ୍ଡି। ସେଠି ବି ବାହୁଡ଼ିଛନ୍ତି ମହାବାହୁ । ସମସ୍ତ ନୀତିକାନ୍ତି  ନିର୍ଦ୍ଧାରିତ ସମୟରେ ଶେଷ ହୋଇ ରଥଟଣା ହୋଇଛି। ୯ ଦିନର ଲୀଳାଖେଳା ସାରି ରତ୍ନବେଦୀକୁ ଆସିଛନ୍ତି ୩ ଠାକୁର ।
ବୁଧବାର ରଥ ଉପରେ ଜଗତ ଜନଙ୍କୁ ଏଇ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର । ତା ପରଦିନ ଅଧରପଣା, ଗୁରୁବାର ହେବ ନୀଳାଦ୍ରି ବିଜେ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Lakhs of devotees | Argus News