ମୁଣ୍ଡ ଉପରେ ତାତି, ପାଦ ତଳେ ତାତି; ଡହ ଡହ ଖରାରେ କଲବଲ ଶ୍ରଦ୍ଧାଳୁ

Key Points
- ଯନ୍ତ୍ରଣା ଦେଉଛି ଜଗାଦର୍ଶନ
- ନିୟନ୍ତ୍ରଣ ବାହାରେ ସିଂହଦ୍ଵାର ଭିଡ
- 4 ବର୍ଷ ପରେ ବି ଖୋଲିଲାନି ଚାରିଦ୍ୱାର
ପୁରୀ: କୋଟି କୋଟି ଟଙ୍କାର ବ୍ୟୟ ପରେ ବି ଦର୍ଶନ ପାଇଁ ତାତିରେ ଡହଳ ବିକଳ ହେଉଛି ଭକ୍ତ । ଏସି ସେଡରୁ ବାହାରିବା ପରେ ତାତିରେ ଫୋଟକା ହେଉଛି ଭକ୍ତଙ୍କ ପାଦ । ତେଣୁ କୋଉ ବାଟେ ବି ପ୍ରବେଶ କରିଯିବାକୁ ଚାହୁଁଛି ଭକ୍ତ । ଯାହାଫଳରେ ଆଜି ପଶ୍ଚିମଦ୍ୱାରରେ ଭିଡ ହେବା ସହ ଠେଲାପେଲା ଯୋଗୁଁ ଘଟିଛି ବଡ ଅଘଟଣ। ଯାହାର ପରିଣାମ ସ୍ବରୂପ ଦୁଇ ଭକ୍ତ ଆହତ ହୋଇଥିବା ବେଳେ ଅନେକଙ୍କ ପାଇଁ ଯନ୍ତ୍ରଣା ଦାୟୀ ହୋଇଛି ଦର୍ଶନ ।
କରୋନା ସମୟରୁ କେବଳ ସିଂହଦ୍ଵାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଛି । ଚାରିଦ୍ୱାର ପ୍ରବେଶ ବନ୍ଦ ହେବାପରେ ସିଂହଦ୍ଵାରରେ ହେଉଛି କୃତ୍ରିମ ଭିଡ । ଯାହାଫଳରେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟାର ପ୍ରତୀକ୍ଷା ପିଲା ଠାରୁ ବୁଢ଼ା ସବୁ ବର୍ଗର ଭକ୍ତଙ୍କୁ ଅତିଷ୍ଠ କରୁଛି । ବିନା ବାଧାରେ ସହଜ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର । ପ୍ରକଳ୍ପ ହେବାପରେ ଭକ୍ତଙ୍କ ସୁବିଧା ଆଳରେ ଏସି ସେଡ଼ ମଧ୍ୟ କରାଯାଇଛି । ପ୍ରଥମ ଦୁଇମାସରେ ଏସି ସେଡ ପାଇଁ 14 ଲକ୍ଷର ବିଦ୍ୟୁତ୍ ବିଲ୍ ମଧ୍ୟ ହୋଇଛି । ଖାଲି ସେତିକି ନୁହେଁ ଗତବର୍ଷ ବ୍ୟାରିକେଡ଼ ପାଇଁ ମଧ୍ୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଶୂନ୍ ।
ଅନ୍ୟପଟରେ ଚାରିଦ୍ୱାର ଖୋଲିବାକୁ ପୁଣି ଉଠିଛି ସ୍ବର । ବୁଦ୍ଧିଜୀବୀ,ସେବାୟତ ଓ ଭକ୍ତ ଏପରିକି ମହାପ୍ରଭୁଙ୍କ ବାଡ଼ଗ୍ରାହି ମଧ୍ୟ ଚାରିଦ୍ୱାର ଖୋଲିଲେ ହିଁ ଭକ୍ତଙ୍କୁ ତ୍ରାହି ମିଳିବ ବୋଲି ଦେଇ ଆସୁଛନ୍ତି ପରାମର୍ଶ । ୨୦୧୯ରୁ କାହାସ୍ୱାର୍ଥରେ କ୍ୟାବିନେଟ ନିଷ୍ପତ୍ତି ବଳରେ ଚାରିଦ୍ୱାର୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ତାକୁ ନେଇ ବଡ ପ୍ରଶ୍ନ । ଭିଆଇପି ଦର୍ଶନ ପାଇଁ ଚାରିଦ୍ୱାର ବନ୍ଦ ରଖାଯିବା ଅଭିଯୋଗ ହୋଇଥିବାବେଳେ କେବଳ ପୁରୀ ବାସୀଙ୍କ ପାଇଁ ଉନ୍ମକ୍ତ ଥିବା ପଶ୍ଚିମ ଦ୍ଵାରରେ ହାତଗୁଞ୍ଜା ଦେଉଥିବା ନିର୍ଦ୍ଦିଷ୍ଟ ଭକ୍ତଙ୍କୁ ଦର୍ଶନ ସୁବିଧା ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ଜୋର ଧରିଛି ।
📱 Get Argus News App
✨ସେପଟେ ରାଜ୍ୟରେ ତାତି ଅସହ୍ୟ ହେଉଥିବାବେଳେ ଭକ୍ତଙ୍କ ମୌଳିକ ସୁବିଧା କଥା କହି ଭୁଲିଯାଇଛି ଶ୍ରୀମନ୍ଦିର ପ୍ରଶାସନ । ଯାହାଫଳରେ ମୁଣ୍ଡ ଉପରେ ତାତି ଓ ପାଦ ତଳେ ତାତି ଯୋଗୁଁ ଡହ ଡହ ଖରାରେ କଲବଲ ହେଉଛନ୍ତି ଭକ୍ତ ।
ଆହୁରି ପଢନ୍ତୁ ଓଡିଶା ଖବର...