ବଲେ ବଲେ ପରେ ଧ୍ରୁବଙ୍କ `ସ୍ବାଦ'ରେ ଲାଗିବ ଲଟକା

ଅର୍ଗସ ବ୍ୟୁରୋ: ନାଁ ସୂର୍ଯ୍ୟଙ୍କ କାରବାର ଧ୍ରୁବଙ୍କର । ଜଙ୍ଗଲ ଜମି ଜବର ଦଖଲ କରି ବେଆଇନ ଭାବେ ସ୍ବାଦ ହୋଟେଲ ଠିଆ କରିଥିବା ବିଜେଡି ବିଧାୟକ ଧ୍ରୁବଙ୍କ ସ୍ବାଦର ଗୁମର ଖୋଲୁଛି । ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଛି ପ୍ରଶାସନର ନିଦ । ମଙ୍ଗଳବାର ରାଜନଗର ତହସିଲଦାର, ପଟ୍ଟାମୁଣ୍ଡାଇ SDPOଙ୍କ ସମେତ ପୋଲିସ ଉପସ୍ଥିତିରେ ଭିତରକନିକା ପାଖ ବାଙ୍କୁଆଳରେ ଥିବା ସ୍ବାଦ ହୋଟେଲରେ ହୋଇଥିଲା ମାପଚୁପ । ମାପଚୁପ ପରେ ଜଙ୍ଗଲ ଜମି ସମେତ ଗାଁ ଶ୍ମଶାନ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜମି ବି ଜବର ଦଖଲ ହୋଇଥିବା ସ୍ପଷ୍ଟ ହୋଇଛି।
ଅନ୍ୟପଟେ ବେଆଇନ ହୋଟେଲ ନିର୍ମାଣ ବେଆଇନକୁ ଦୃଢ଼ ନିନ୍ଦା କରିଛନ୍ତି ପରିବେଶବିତ । ସେପଟେ ବିଧାୟକ ଧ୍ରୁବ ସାହୁ ଓ ତାଙ୍କ ସହଯୋଗୀଙ୍କ ଉପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ରାଜନଗର ମହିଳା ସୁରକ୍ଷା ମଞ୍ଚର ସଦସ୍ୟା ଓ ରାଜନଗର ବାସିନ୍ଦା।
ଅଭିଯୋଗ ଧ୍ରୁବଙ୍କ ସ୍ବାଦରେ ବିଜେଡି ସରକାରର ମନ୍ତ୍ରୀ ନେତା କରୁଥିଲେ କ୍ୟାମ୍ପ। ନିର୍ବାଚନବେଳେ ରିତିମତ ଯାଉଥିଲେ ବଡ଼ ନେତା । ଏଠି ରାତି କାଟୁଥିଲେ ଅଭିନେତ୍ରୀ। ଲୋକଙ୍କ ଅଭିଯୋଗ, ବଲେ ବଲେ କେଳେଙ୍କାରୀରେ ଥିବା ଅଭିନେତ୍ରୀ ବି ଡେରା ପକାଉଥିଲେ ଧ୍ରୁବଙ୍କ ସ୍ବାଦରେ । 2019ରୁ ରାଜନଗରର ବିଧାୟକ ଅଛନ୍ତି ଧ୍ରୁବ ସାହୁ। ନିଜ ପ୍ରଭାବ ଓ କ୍ଷମତା ବଳରେ ଜଙ୍ଗଲ ଜମି ଜବର ଦଖଲ କରିଥିଲେ ବି ଏଠି ଚୁପ ବସିଥିଲା ଜିଲ୍ଲା ପ୍ରଶାସନ ଓ ବନବିଭାଗ।
ପ୍ରଶ୍ନ, କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଏତେ ଦିନ ହେଲା ଚୁପ୍ ବସିଥିଲେ ସମସ୍ତେ ? । ବିଜେଡି ମୁଖିଆ କହିବେ କି କେଉଁ ଜନସ୍ବାର୍ଥ ପାଇଁ ଜଙ୍ଗଲ ଜମି ଜବର ଦଖଲ କରିଛନ୍ତି ତାଙ୍କ ବିଧାୟକ... କାହିଁକି ଚୁପ ନବୀନ ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

