Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂରତି

Ritu Das
Browse all articles by Ritu Das
·2 years ago·2 min read
ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂରତି

ଅର୍ଗସ ବ୍ୟୁରୋ: ରଥେତୁ ବାମନ ଦୃଷ୍ଟା, ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ ଚର୍ମ ଚକ୍ଷୁରେ ରଥ ଉପରେ ବିଶ୍ବ ନିୟନ୍ତାଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ। ସେହି ଦିବ୍ୟ ଦର୍ଶନରେ ବିମୋହିତ ଭକ୍ତ। ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ଗଗନ ପବନ।  ଭକ୍ତିମୟ ଶ୍ରୀକ୍ଷେତ୍ର, ଉଛୁଳୁଛି ବଡ଼ଦାଣ୍ଡ। ମୁହଁରେ ଜୟ ଜଗନ୍ନାଥ ଧ୍ବନି ସହ ଉଦଣ୍ଡ କୀର୍ତ୍ତନରେ ବିଭୋର ଭକ୍ତ। ରଥ ପ୍ରତିଷ୍ଠା ନୀତି ପରେ ଆରମ୍ଭରେ ପହଣ୍ଡି ହୋଇ ଆସିଥିଲେ ଚକ୍ରରାଜ ସୁଦର୍ଶନ। ତା ପରେ ଧାଡ଼ି ପହଣ୍ଡିରେ ବଡ ଦାଣ୍ଡକୁ ରଥାରୁଢ ପାଇଁ ଆସିଲେ ତିନି ଠାକୁର। ପ୍ରଥମେ ବଡ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଆଉ ଶେଷ ହଲି ଦୋହଲି ଟାହିଆ ହଲାଇ ଆସିଥିଲେ କାଳିଆ ସାଆନ୍ତ। 

ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ବେଶ ଭାବବିହ୍ବଳିତ ହୋଇଯାଇଥିଲେ ଭକ୍ତ। ଏହାପରେ ରଥ ଉପରକୁ ନିଜର ଅନୁଗାମୀଙ୍କ ସହ ଆସିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ମହାପ୍ରଭୂଙ୍କୁ ଜଗଦଗୁରୁଙ୍କ ଦର୍ଶନ ପରେ ଧାର୍ଯ୍ୟ ସମୟ ଅନୁସାରେ ରଥଯାତ୍ରାର ଅନନ୍ୟ ନୀତି ଛେରାପହଁରା ପାଇଁ ଶ୍ରୀନଅରରୁ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତିନି ରଥରେ ଛେରା ପହଁରା ନୀତି ସମ୍ପାଦନ କରିଥିଲେ ଗଜପତି । ଛେରା ପହଁରା ପରେ ଚାରମାଳ ଫିଟାଯାଇଥିଲା। ଏହାପରେ ବଡଦାଣ୍ଡରେ ଗଡିଥିଲା ରଥ। ଭକ୍ତି ଓ ଉତ୍ସାହର ସହ ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡକୁ ଟାଣି ନେଇଥିଲେ ଭକ୍ତ। 
ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂରତି। ଆଗେ ଆଗେ ବଳଭଦ୍ର, ଏହାପରେ ଦେବ ଦଳନ ଶେଷରେ ଗଡି ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ। ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ନେତ୍ର ପବିତ୍ର କରିଛି ଭକ୍ତ। ରଥରଜ୍ଜୁ ଟାଣି କୃତାର୍ଥ ଲଭିଛି ଭକ୍ତ। 

ଆଜି ଏକାଦିନରେ  ନବଯୌବନ ଓ ନେତ୍ରୋତ୍ସବ ସହ ରଥଯାତ୍ରା । ସେଥିପାଇଁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ହେଲେ ରଥ ଉପରେ ଝଟକୁଛନ୍ତି କାଳିଆ ସାଆନ୍ତ। ବର୍ଷକ ପରେ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ । ଭାବବିନୋଦିଆ  ଚକାଆଖି ସହ ଚର୍ମଚକ୍ଷୁର ମିଳନ। ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ଏବେ ନବଦିନାତ୍ମକ ଲୀଳାଖେଳା ଦେଖାଇବେ ବିଶ୍ବନିୟନ୍ତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Leaving Ratnavedi | Argus News