ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ ସହ ଚାଲିଛି ଖେଳ

ଭୁବନେଶ୍ୱର: ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ ସହ ଚାଲିଛି ଖେଳ । ପୁଷ୍ଟିକର ନାଁରେ ବଣ୍ଟାଚାଲିଛି ପୋକରା ଖାଦ୍ୟ । ସରକାରୀ ଅଧିକାରୀ ଓ ଘରୋଇ ସଂସ୍ଥାଙ୍କ ଭିତରେ ସଲାସୁତୁରା । ନିମ୍ନମାନର ଖାଦ୍ୟ ଯୋଗାଣକୁ ସ୍ବୀକାର କଲେ ସିଡିପିଓ । ବ୍ରହ୍ମଗିରି ସିଡିପିଓଙ୍କ ଏ ସ୍ବୀକାରୋକ୍ତି ସ୍ପଷ୍ଟ ପ୍ରମାଣ କରୁଛି କେମିତି ପୁରୀ ଜିଲ୍ଲାରେ ଗର୍ଭବତୀ ମହିଳା ଓ କୁନି କୁନି ପିଲାଙ୍କ ଜୀବନ ସହ ଚାଲିଛି ସାଂଘାତିକ ଖେଳ । ପୋକା ବାଦାମରେ ପ୍ରସ୍ତୁତ ହୋଇଥିବା ଲଡୁ ଆଉ ନିମ୍ନମାନର ଖଜୁରୀ ଖାଇବାପରେ ବଣ୍ଟନ ହେଉଥିବା ଖାଦ୍ୟ ସାମାନ୍ୟ ନିମ୍ନମାନର ବୋଲି କହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଛନ୍ତି ସିଡିପିଓ । ତେବେ ପ୍ରଶ୍ନ ଉଠୁଛି ଏମିତି ଛତୁଆ, ବାଦାମ ଲଡୁ ଓ ଖଜୁରୀ ଖାଦ୍ୟ ଉପଯୋଗୀ କି ?
ଏଭଳି ଖାଦ୍ୟ ଖାଇ ଗର୍ଭବତୀ ଓ ଶିଶୁ ମାନେ ଅସୁସ୍ଥ ହେଲେ ଦାୟୀ ରହିବ କିଏ ? ଅଙ୍ଗନଓ୍ବାଡ଼ି କେନ୍ଦ୍ର ଗୁଡ଼ିକରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ଉଦ୍ଦେଶ୍ୟରେ ବଣ୍ଟା ଯାଉଥିବା ଏମିତି ଖାଦ୍ୟ ପଦାର୍ଥ ଯୋଗାଉଛନ୍ତି ବ୍ରହ୍ମଗିରିର ମା' ସାରଳା ଓ ମା' ଜାଗୁଳାୟୀ ସ୍ବୟଂ ସହାୟକ ଗୋଷ୍ଠୀ। ଏହି ନିମ୍ନମାନର ଖାଦ୍ୟ ଧରି ସିଡିପିଓ କାର୍ଯ୍ୟାଳୟରେ ପହଁଞ୍ଚିଲେ ଜଣେ ହିତାଧିକାରୀ । ତଦନ୍ତ କରି ସମ୍ପୃକ୍ତ ସିଡିପିଓ, ସୁପରଭାଇଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଯୋଗାଣକାରୀ ସଂସ୍ଥାଙ୍କୁ ବାଦ ଦେବାକୁ ଅବିଭାବକ, ହିତାଧିକାରୀ ମାନେ ଦାବି କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର

