Videos
|
Odisha

Odisha News / ଖାଦ୍ୟରୁ ବାହାରିଲା ଝିଟିପିଟି ! ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ତୁମୁଳ କାଣ୍ଡ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଖାଦ୍ୟରୁ ବାହାରିଲା ଝିଟିପିଟି ! ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ତୁମୁଳ କାଣ୍ଡ
University

Key Points

ଖାଦ୍ୟରୁ ବାହାରିଲା ଝିଟିପିଟି !
ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ତୁମୁଳ କାଣ୍ଡ
ଅଧିକାରୀ ଖାଦ୍ୟ ଖାଇବା ପରେ ଶାନ୍ତ ହେଲା ପରିସ୍ଥିତି
ଜଟଣୀର ଏକ ଘରୋଇ ବିଶ୍ବବିଦ୍ୟାଳୟର ଘଟଣା 
ଭୁବନେଶ୍ବର, ୦୩/୧୦: ରାଜଧାନୀ ଉପକଣ୍ଠ ଜଟଣୀର ଏକ ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଖାଦ୍ୟକୁ ନେଇ ତୁମୁଳ ହଙ୍ଗାମା ସୃଷ୍ଟି ହୋଇଛି। ଜଣେ ଛାତ୍ରୀଙ୍କ ଥାଳିରୁ ଝିଟିପିଟି ବାହାରିଥିବା ଅଭିଯୋଗ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା। ଏହା ସହ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ଖାଦ୍ୟରୁ ମଧ୍ୟ ପୋକ ବାହାରିଥିବା ଅଭିଯୋଗ ଆସିଥିବାରୁ ପରିସ୍ଥିତି ଆହୁରି ଉଗ୍ର ହୋଇଥିଲା। ସୂଚନା ଅନୁସାରେ, ହଷ୍ଟେଲରେ ଛାତ୍ରଛାତ୍ରୀମାନେ ଖାଇବାକୁ ବସିଥିବା ବେଳେ ଜଣେ ଛାତ୍ରୀଙ୍କ ଥାଳିରୁ ଝିଟିପିଟି ବାହାରିଥିବା ଦେଖାଯାଇଥିଲା। ଏହାକୁ ନେଇ ପ୍ରଥମେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ। ପରେ ଘଟଣାଟି ଧୀରେଧୀରେ ବଡ଼ ଆନ୍ଦୋଳନର ରୂପ ନେଇଥିଲା।

ଖାଦ୍ୟକୁ ନେଇ ତାତିଲେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲରେ ଦୀର୍ଘଦିନ ଧରି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅସନ୍ତୋଷ ରହିଥିଲା। ତେବେ ଖାଦ୍ୟରୁ ଝିଟିପିଟି ଓ ପୋକ ବାହାରିବା ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀମାନେ ଆଉ ଚୁପ୍ ରହିନଥିଲେ। ଖାଦ୍ୟର ମାନକୁ ନେଇ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ ପ୍ରଶାସନ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ଏପରି ଉଗ୍ର ହୋଇଥିଲା ଯେ ଶତାଧିକ ଛାତ୍ରଛାତ୍ରୀ ହଷ୍ଟେଲ ଓ କ୍ୟାମ୍ପସ ଭିତରେ ବିକ୍ଷୋଭ କରିଥିଲେ। ଏହି ଘଟଣା ସମୟର କିଛି ଭଙ୍ଗାରୁଜାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିବା ଦାବି କରାଯାଉଛି। ଛାତ୍ରଛାତ୍ରୀଙ୍କ ବିକ୍ଷୋଭକୁ ନିୟନ୍ତ୍ରଣ କରିବା ପାଇଁ କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଥିଲା।

ପଢନ୍ତୁ ଏହି ଖବର: ୨୪ ଘଣ୍ଟାରେ ଦୁଇ ଦୁଇଟି ଏନକାଉଣ୍ଟର, ଗୁଳି ଖାଇଲେ୨ ଅଭିଯୁକ୍ତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ମୁତୟନ ପରେ ବି ଥମିଲାନି ବିକ୍ଷୋଭ

ଘଟଣାର ଗମ୍ଭୀରତାକୁ ଦେଖି ଜଟଣୀ ଥାନା ଆଇଆଇସିଙ୍କ ସମେତ ପୋଲିସ ଟିମ୍ ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ ପହଞ୍ଚିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ଯେପରି ନବିଗିଡ଼େ, ସେଥିପାଇଁ ପୋଲିସ ମୁତୟନ କରାଯାଇଥିଲା। ତଥାପି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ତୁରନ୍ତ ଥମିନଥିଲା। ଛାତ୍ରଛାତ୍ରୀମାନେ ଖାଦ୍ୟର ମାନ ଓ ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ନେଇ ପ୍ରଶାସନକୁ ପ୍ରଶ୍ନ କରିଥିଲେ। ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା।

ଅଧିକାରୀ ଖାଇଲେ ଖାଦ୍ୟ, ଶାନ୍ତ ହେଲା ପରିସ୍ଥିତି

ଶେଷରେ ବିବାଦର ଏକ ଭିନ୍ନ ମୋଡ଼ ସାମ୍ନାକୁ ଆସିଥିଲା। ଯେଉଁ ଖାଦ୍ୟରୁ ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଥିଲା, ସେହି ଖାଦ୍ୟକୁ ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ ନିଜେ ଖାଇଥିବା ଜଣାପଡ଼ିଛି। ଏହାପରେ ଧୀରେଧୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଶାନ୍ତ ପଡ଼ିଥିଲା। । ଛାତ୍ରଛାତ୍ରୀଙ୍କ ଅଭିଯୋଗର ସତ୍ୟତା ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଯାଞ୍ଚ ଏବଂ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର ରହିଛି।