ଅତିଥି ବେଶରେ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କା

ପୁରୀ : ହୋଟେଲରେ ଚାଲିଥିଲା ବିବାହ ଉତ୍ସବ। ଅତିଥିମାନେ ଆସୁଥିଲେ। ସେମାନଙ୍କୁ ସ୍ଵାଗତ ଅଭ୍ୟର୍ଥନା କରାଯାଉଥିଲା। ଆଉ ଏହାର ସୁଯୋଗ ନେଇ ଜଣେ ଯୁବକ ଅତିଥି ସାଜି ଏହି ବିବାହ ଉତ୍ସବରେ ଯୋଗଦେଇ ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଉପହାର ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଏହିଭଳି ଏକ ଘଟଣା ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି। ଏନେଇ ଟାଉନ ଥାନା ଅନ୍ତର୍ଗତ ସୁଆରସାହିର ପ୍ରମୋଦ କୁମାର ମିଶ୍ର ଅଭିଯୋଗ କରିଛନ୍ତି। ପ୍ରମୋଦ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କର ବିବାହ ଉତ୍ସବ ବଳିଆପଣ୍ଡା ଥାନା ଅନ୍ତର୍ଗତ ଲକି ଇଣ୍ଡିଆ ହୋଟେଲରେ ଆୟୋଜନ କରାଯାଇଥିଲା। ସନ୍ଧ୍ୟା ସମୟରୁ ସନ୍ଦୀପଙ୍କର ଅତିଥିମାନେ ହୋଟେଲରେ ପହଞ୍ଚି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ବହୁ ଅତିଥି ନବଦମ୍ପତିଙ୍କୁ ସୁନା ଅଳଙ୍କାରଠାରୁ ଆରମ୍ଭ କରି ଦାମୀ ଉପହାର ପ୍ରଦାନ କରିଥିଲେ। ତେବେ ରାତି ପ୍ରାୟ ସାଢ଼େ ନଅଟା ସମୟରେ ଜଣେ ଦୁର୍ବୃତ୍ତ ଏହି ବିବାହ ଉତ୍ସବରେ ଅତିଥି ଭାବେ ପ୍ରବେଶ କରିଥିଲା ।
ଅଧିକ ପଢନ୍ତୁ : ଅତିଥି ବେଶରେ ଆସିଲେ , ଖାଇପିଇ ଲୁଟିନେଲେ ୪ ଲକ୍ଷ ସହ ସୁନାଗହଣା
ତେବେ ସେ ପ୍ରାୟ ଦେଢ଼ ଘଣ୍ଟା ଏହି ହୋଟେଲରେ ରହି ସମସ୍ତଙ୍କୁ ନଜର କରିବା ପରେ ମୂଲ୍ୟବାନ ସାମଗ୍ରୀ କେଉଁଠାରେ ରହିଛି, ତାହାକୁ ଯାଞ୍ଚ କରିଥିଲା। ଏହାପରେ ଷ୍ଟଟେତରେ ସନ୍ଦୀପ ଓ ତାଙ୍କ ନବବିବାହିତା ପତ୍ନୀଙ୍କ ସମେତ ଅନ୍ୟ ଅତିଥିମାନେ ଫଟୋ ଉଠାଇବା ସମୟରେ ସମସ୍ତଙ୍କ ନଜର ଆଢୁଆଳରେ ଲୁଟେରା ଜଣକ ଷ୍ଟେଜ୍ ପଛପଟେ ଥିବା ବ୍ୟାଗ୍କୁ ଧରି ଚମ୍ପଟ ମାରିଥିଲା। ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଲଫାପା, ସୁନା ଅଳଙ୍କାର ଓ ଦାମୀ ଉପହାରଗୁଡ଼ିକ ରହିଥିଲା। ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଆଦି ରହିଥିବା ଅନୁମାନ କରାଯାଉଛି। ତେବେ ସମସ୍ତ ଘଟଣା ସିସି କ୍ୟାମେରା ଫୁଟେଜ୍ରେ କଏଦ ହୋଇଥିଲା। ତେଣୁ ଏହି ଫୁଟେଜ୍ ଆଧାରରେ ବଳିଆପଣ୍ଡା ଥାନା ତଦନ୍ତ ଆରମ୍ଭ କରିଛି।
