Videos
|
Odisha

Lord Jagannath / ଜ୍ୱରରୁ ଉଠି ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି ବିଶ୍ଵ ନିଅନ୍ତା, ମଙ୍ଗଳବାର ନବଯୌବନ ଦର୍ଶନ ଦେବେ ଶ୍ରୀଜିଉ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଜ୍ୱରରୁ ଉଠି ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି ବିଶ୍ଵ ନିଅନ୍ତା, ମଙ୍ଗଳବାର ନବଯୌବନ ଦର୍ଶନ ଦେବେ ଶ୍ରୀଜିଉ
Ratha Yatra

Key Points

ଜ୍ୱରରୁ ଉଠି ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି ବିଶ୍ଵ ନିଅନ୍ତା
ଆଜି ଲାଗି ହେଲା ଖଳି ପ୍ରସାଦ
କାଲି ମହାପ୍ରଭୁଙ୍କ ସୁସ୍ଥତା ନେଇ ଗଜପତିଙ୍କ ପାଖକୁ ଯିବ ଖବର
ସୁସ୍ଥ ହେଲେଣି ମହାବାହୁ । ଆଜି ଏକାଦଶୀ ତିଥିରେ ଲାଗି ହେଲା ଖଳି ପ୍ରସାଦ । ଘଣ୍ଟଘଣ୍ଟା କାହାଳି ବାଜିଲା, ମଣିମା ଡାକ ମଧ୍ୟ ଶୁଭିଲା । ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଥିବା ଶ୍ରୀବିଗ୍ରହ ଆଜି ଏକାଦଶୀରେ ଦଶମୂଳମୋଦକ ଲାଗି ହେବାପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଲାଗିଲା ତୁଳସୀ, ବାସିଲା ରଙ୍ଗୀନ୍ ଫୁଲର ମହକ । ଆସନ୍ତାକାଲି ମହାପ୍ରଭୁଙ୍କ ସୁସ୍ଥତା ନେଇ ଗଜପତିଙ୍କ ପାଖକୁ ଯିବ ଖବର । ମଙ୍ଗଳବାର ନବଯୌବନ ଦର୍ଶନ ଦେବେ ବ୍ରହ୍ମାଣ୍ଡ ପତି । ସେପଟେ ଆଜି ୮୨ ଦିନର ରଥ କାମରେ ରଥ ଉପରକୁ ଉଠିଛି କଳସ । ଅଷ୍ଟମ ହରିବୋଲ ଦେଇଛନ୍ତି ଭୋଇ ସେବକ । ୯ଟି ହରିବୋଲରେ ଶେଷ ହେବ ରଥ କାମ ।

ସ୍ନାନ ପୂର୍ଣ୍ଣିମାଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡି ଦଶମୀରେ ଅଣସର ଘରେ ଚକା ବିଜେ କରିଛନ୍ତି । ଆଜି ଖଳିଲାଗି ଏକାଦଶୀରେ ଦଶମୂଳ ସେବନ କରି ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିଛନ୍ତି । ଚନ୍ଦନ, କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯିବାର ବିଧି ରହିଛି । ବାରଲାଗି ଖଣ୍ଡୁଆପାଟ ପରିଧାନ କରିଛନ୍ତି ଠାକୁର । ଜ୍ଵରରେ ବାରଣ ହୋଇଥିବା ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯାଇଛି । ଏହା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।

ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ଥାଏ । ଜ୍ୱର ଯୋଗୁଁ ବିନା ତୁଳସୀରେ କେବଳ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି । ଆସନ୍ତାକାଲି ଅଣସର ଦ୍ୱାଦଶୀରେ ଶ୍ରୀନହରକୁ ରାଜପ୍ରସାଦ ବିଜେ କରିବ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ । ସେପଟେ ଆସନ୍ତା ମଙ୍ଗଳବାର ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ ।

ସେପଟେ ୮୨ ଦିନରେ ଚଳଚଞ୍ଚଳ ହୋଇଛି ରଥଖଳା । ଆଜି ରଥ ଉପରକୁ ଉଠିଛି କଳସ । ଭୋଇ ସେବକମାନେ ଅଷ୍ଟମ ହରିବୋଲ ଦେଇଛନ୍ତି । ରଥ ସିଂହଦ୍ୱାରରେ ଲାଗି ରଥ ଉପରେ ଚକା ସଂଯୋଗ ହେବା ଦିନ ଶେଷ ହରିବୋଲ ଦେବେ ନିର୍ମାଣ ସେବକ । ସରିବ ରଥ ନିର୍ମାଣ କାର୍ଯ୍ୟ । ଆଜି ରଥ ଉପରକୁ କଳସ ଉଠିଥିବା ବେଳେ ଓଲଟା ଶୁଆ ମଧ୍ୟ କଳସରେ ସଂଯୋଗ ହୋଇଛି । ସେପଟେ ମହାପ୍ରଭୁଙ୍କ ପ୍ରଭାବେଦୀ ମଧ୍ୟ ସମ୍ପୂର୍ଣ୍ଣ ସଜେଇ ହୋଇ ବିଶ୍ୱ ନିଅନ୍ତାଙ୍କୁ ଅପେକ୍ଷା କରିଛି ।

ଦଶମୂଳମୋଦକ ଲାଗିପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ନେତ୍ରୋତ୍ସବ, ନବଯୌବନ ଦର୍ଶନ ଦିନ ତିନି ରଥର କନାମଣ୍ଡଣୀ ହୋଇ ରଥତ୍ରୟକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାରକୁ ନିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lord Jagannath Recovers from Anasara Illness, Nabajouban Darshan on Tuesday | Argus News