ଧାର୍ମିକ ଭାବନାକୁ କୁଠାରଘାତ: ଟାଟୁ ଆର୍ଟିଷ୍ଟ ରକିକୁ ଗିରଫ କଲା ପୋଲିସ

ଭୁବନେଶ୍ଵର: ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁକୁ ନେଇ ବିବାଦ ପରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ପୋଲିସ ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିଛି । ଟାଟୁ ଆର୍ଟିଷ୍ଟ ରକି ଓରଫ ରକ୍କୀ ରଞ୍ଜନ ବିଷୋୟୀକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ବିଏନ୍ଏସ ଧାରା ୨୯୯ ଓ ୧୯୬ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସେପଟେ ଟାଟୁକୁ ନେଇ ବିବାଦ ବଢ଼ିବା ପରେ ଜଂଘରେ ଜଗନ୍ନାଥଙ୍କ ଟାଟୁ ଆଙ୍କିଥିବା ବିଦେଶିନୀ ଜଣଙ୍କ କ୍ଷମା ମଧ୍ୟ ମାଗିଛନ୍ତି । ଏକ ଭିଡିଓ କରି ବିଦେଶିନୀ କହିଛନ୍ତି, ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ମୋର ନାହିଁ । ମୁଁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ । ମୁଁ ମନ୍ଦିର ସବୁଦିନ ଯାଏ । ମୁଁ ଭୁଲ୍ କରିଛି, ସେଥିପାଇଁ କ୍ଷମା ମାଗୁଛି । ଗୁପ୍ତ ଜାଗାରେ ଟାଟୁ କରିବା ଲାଗି ମୁଁ କହିଥିଲି । ଜାଣି ନଥିଲି ଏହା ଦ୍ଵାରା ଏଭଳି ସ୍ଥିତି ଉପୁଜିବ । ମୁଁ କରିଥିବା ଭୁଲ୍ ପାଇଁ ମୋତେ କ୍ଷମା କରି ଦିଅନ୍ତୁ ।
ରବିବାର ବିଦେଶିନୀଙ୍କ ଟାଟୁ ଫଟୋ ଭାଇରାଲ୍ ହେବା ପରେ ବିବାଦ ତେଜିଥିଲା । ଜଗନ୍ନାଥପ୍ରେମୀ ଏନେଇ ସହିଦନଗର ଥାନାରେ ବିଦେଶିନୀ ଓ ଟାଟୁ ଆଙ୍କିଥିବା ଷ୍ଟୁଡିଓ ବିରୋଧରେ ଏତଲା ଦେଇଥିଲେ । ଏହା ପରେ ସନ୍ଧ୍ୟାରେ ରକି ଟାଟୁର ମାଲିକ ଭିଡିଓ କରି ସୋସିଆଲ୍ ମିଡିଆରେ କ୍ଷମା ପ୍ରାର୍ଥନା କରିଥିଲେ । ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ଆଜି ରକିଙ୍କୁ ଗିରଫ କରିଛି ପୋଲିସ ।
📱 Get Argus News App
✨ବିଦେଶିନୀ ଜଂଘରେ ଜଗନ୍ନାଥଙ୍କ ଟାଟୁ ଆଙ୍କିବାକୁ ନେଇ ଆଜି ସହିଦନଗର ସ୍ଥିତ ରକି ଟାଟୁ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ଜଗନ୍ନାଥପ୍ରେମୀ । କହିଛନ୍ତି, ବିଦେଶିନୀ ଓ ରକି ଟାଟୁ ଉଭୟ ପୁରୀ ଯାଆନ୍ତୁ, ବଡ଼ଦାଣ୍ଡରେ ସିଂହଦ୍ଵାର ଆଗରେ ଉଭୟ ସମସ୍ତଙ୍କ ଆଗରେ କ୍ଷମା ମାଗିବା ଲାଗି ଜଗନ୍ନାଥପ୍ରେମୀ ଦାବି କରିଛନ୍ତି ।
ତେବେ କେଉଁ ଉଦ୍ଦେଶ୍ୟ ନେଇ ବିଦେଶିନୀ ତାଙ୍କ ଜଂଘରେ ଶ୍ରୀଜଗନ୍ନାଥଙ୍କ ଟାଟୁ କଲେ ? ଟାଟୁ ଚିତ୍ରଣ କରିଥିବା ରକି ଟାଟୁ କଣ ଜାଣି ପାରିଲାନି ଜଗତର ନାଥଙ୍କୁ ଜଂଘରେ ଆଙ୍କିବା କେତେ ଦୂର ଯଥାର୍ଥ ? ନା କେବଳ କେଇ ହଜାର ଟଙ୍କା ପାଇଁ ଟାଟୁ ଆଙ୍କିବା ବେଳେ ରକି ଟାଟୁ ସବୁକିଛି ପାସୋରି ଗଲା ?
