|
logo
Live
Argus News App
GET APP

Argus News - ଆଜି ଖୋଲିବ ମହାପ୍ରଭୁଙ୍କ ଗହଣା ସିନ୍ଦୂକ କେତେ ଅଳଙ୍କାର ରହିଛି ସେସବୁର ହେବ ହିସାବ

Odisha

Ratna Bhandar Counting / ଆଜି ଖୋଲିବ ମହାପ୍ରଭୁଙ୍କ ଗହଣା ସିନ୍ଦୂକ କେତେ ଅଳଙ୍କାର ରହିଛି ସେସବୁର ହେବ ହିସାବ

Bikash Mohanty
Browse all articles by Bikash Mohanty
·1 week ago·3 min read
ଆଜି ଖୋଲିବ ମହାପ୍ରଭୁଙ୍କ ଗହଣା ସିନ୍ଦୂକ କେତେ ଅଳଙ୍କାର ରହିଛି ସେସବୁର ହେବ ହିସାବ
jewelry

Key Points

ଆଜିଠୁ ରତ୍ନଭଣ୍ଡାରର ଗଣତିମଣତି
ମଧ୍ୟାନ୍ନ ୧୨ଟା ୦୯ରୁ ଅପରାହ୍ନ ୧ଟା ୪୫ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳା 
ପ୍ରଥମେ ଚଳନ୍ତି ଭଣ୍ଡାର,ପରେ ବାହାର ଭଣ୍ଡାରର ହେବ ଗଣତିମଣତି
ରତ୍ନଭଣ୍ଡାରରେ ରହିଛି ଦେଢ଼ କ୍ସିଣ୍ଟାଲ ସୁନା
ପୁରୀ, ୨୫/୩ : ଆଜି ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପାଖାପାଖି ଦେଢ଼ କ୍ରିଣ୍ଟାଲ (୧୪୯ କେଜି ୪୬୦ ଗ୍ରାମ) ସୁନା ଓ ୧୮୪ ୮୪ କେଜି ରୂପା ଅଳଙ୍କାର ରହିଛି। ୨୦୨୩ ଜୁଲାଇରେ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହି ହିସାବ ଦର୍ଶାଯାଇଛି। ସତ୍ୟପାଠରେ କୁହାଯାଇଥିଲା ଯେ ଭିତର, ବାହାର ଓ ଚଳନ୍ତି ରତ୍ନଭଣ୍ଡାରରେ ଠାକୁରଙ୍କ ସବୁ ମୂଲ୍ୟବାନ ଅଳଙ୍କାର ଠିକ୍‌ଠାକୁ ରହିଛି। ୪୫ ବର୍ଷ ତଳେ ୧୯୭୮ ମସିହାରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଠାକୁରଙ୍କ ଅଳଙ୍କାର ହିସାବ ନିଆଯାଇଥିଲା।
ରତ୍ନଭଣ୍ଡାରରେ କେତେ ସୁନା, ରୁପା ଅଳଙ୍କାର ରହିଛି ତାହାର ଏକ ବିସ୍ତୃତ ତଥ୍ୟ ଦିଆଯାଇଛି। ଏଥିରେ ଦର୍ଶାଯାଇଛି, ତିନୋଟି କକ୍ଷରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଛି। ଭିତର ରତ୍ନଭଣ୍ଡାର (କାଟାଗୋରୀ-୧)। ବାହାର ରତ୍ନଭଣ୍ଡାର (କାଟାଗୋରୀ-୨) ଏବଂ ତୃତୀୟ କାଟାଗୋରୀରେ ଥିବା ରତ୍ନଭଣ୍ଡାର ହେଉଛି ଚଳନ୍ତି ଭଣ୍ଡାର। ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର କେବେ ବି ମହାପ୍ରଭୁଙ୍କ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଏ ନାହିଁ। ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ପାଇଁ ବ୍ୟବହାର କରାଯାଇଥାଏ। ତୃତୀୟ କାଟାଗୋରୀ ବା ଚଳତି ରତ୍ନଭଣ୍ଡାରରେ ରହୁଥ‌ିବା ଅଳଙ୍କାର ଭଗବାନଙ୍କ ନିତ୍ୟ ବ୍ୟବହାର ପାଇଁ ରଖାଯାଇଥାଏ। ଏହି ତିନୋଟି କାଟାଗୋରୀରେ ପ୍ରାୟ ଦେଢ କୁଇଣ୍ଟାଲର ସୁନା ଅଳଙ୍କାର ରହିଛି। ୧୮୩ କେଜି ୯୮୦ ଗ୍ରାମର ରୁପା ଅଳଙ୍କାର ରହିଛି। ଏଥିରେ ଗୋଟେଭରିକୁ ୧୧.୬୬ ଗ୍ରାମ୍ ଭାବରେ ହିସାବ କରାଯାଇଛି। ଭିତର ରତ୍ନଭଣ୍ଡାର( କାଟାଗୋରୀ-୧)ରେ ୫୦ କେଜି ୬୦୦ ଗ୍ରାମ୍‌ର ସୁନା ଅଳଙ୍କାର ଥିଲାବେଳେ ୧୩୪ କେଜି ୫୦ ଗ୍ରାମର ରୂପା ଅଳଙ୍କାର ରହିଛି। ବାହାର ରତ୍ନଭଣ୍ଡାର (ଦ୍ଵିତୀୟ କାଟାଗୋରୀ)ରେ ୯୫ କେଜି ୩୨୦ ଗ୍ରାମ୍‌ର ସୁନା ଥୁଲାବେଳେ ୧୯ କେଜି ୪୮୦ ଗ୍ରାମ୍‌ର ରୁପା ଅଳଙ୍କାର ରହିଛି। ସେହିପରି ଚଳନ୍ତି ରତ୍ନଭଣ୍ଡାର ( ତୃତୀୟ କାଟାଗୋରୀ)ରେ ୩ କେଜି ୪୮୦ ଗ୍ରାମ୍‌ମ୍ର ସୁନା ଏବଂ ୩୦ କେଜି ୩୫୦ ଗ୍ରାମ୍‌ର ରୁପା ଅଳଙ୍କାର ରହିଥିବା ପ୍ରଶାସନ ପକ୍ଷରୁ କରାଯାଇଥିବା ଆକଳନରୁ ଜଣାପଡ଼ିଛି।

ରତ୍ନଭଣ୍ଡାରରେ ସୁନାରେ ଗଢ଼ା ଅଳଙ୍କାର ଓ ଦ୍ରବ୍ୟର ଓଜନ ପ୍ରାୟ ୧୨ ହଜାର ୮୩୮ ଭରି ହେବ ବୋଲି ୧୯୭୮ ଗଣତିମଣତି ରିପୋର୍ଟରୁ ଜଣାପଡ଼େ। କେବଳ ଚଳନ୍ତି ଭଣ୍ଡାରରେ ରହିଛି ୨୯୯ ଭରିର ୮ ପ୍ରକାର ସ୍ବର୍ଣ୍ଣ ଅଳଙ୍କାର। ସେହିପରି ୨୩ଟି ରୁପା ଅଳଙ୍କାର ରହିଛି। ଯାହାର ଓଜନ ପ୍ରାୟ ୨୬୦୩ ଭରି। ଦୈନଦିନ ବ୍ୟବହାରରେ ଏହି ରତ୍ନଅଳଙ୍କାର ବ୍ୟବ‌ହାରରେ ଆସିଥାଏ । ସେହିପରି ବାହାର ଭଣ୍ଡାରରେ ୭୯ଟି ସ୍ୱର୍ଣ୍ଣ ଅଳଙ୍କାର ରହିଛି। ଯାହାର ଓଜନ ପ୍ରାୟ ୮୧୭୫ ଭରି। ଏହି ଭଣ୍ଡାରରେ ୩୯ଟି ରୁପା ଅଳଙ୍କାର ରହିଛି। ଯାହାର ଓଜନ ପ୍ରାୟ ୪୬୭୧ ଭରି। ଏହି ଅଳଙ୍କାରଗୁଡ଼ିକ କେବଳ ଉତ୍ସବ ଦିନମାନଙ୍କରେ ମହାପ୍ରଭୁଙ୍କ ବ୍ୟବହାରରେ ଲାଗିଥାଏ। ଭିତର ଭଣ୍ଡାରରେ ମହାପ୍ରଭୁଙ୍କ ବ୍ୟବହାରରେ ଆସୁନଥିବା ରତ୍ନଅଳଙ୍କାର ରହିଛି। ଯାହା ମଧ୍ୟରେ ୧୦ ପ୍ରକାରର ୩୬୭ଟି ସ୍ବର୍ଣ୍ଣ ଅଳଙ୍କାର ରହିଛି। ଯାହାର ଓଜନ ପ୍ରାୟ ୪୩୬୪ ଭରି। ସେହିପରି ଏହି ଭଣ୍ଡାରରେ ୩ ପ୍ରକାରର ୨୩୧ଟି ରୁପା ଅଳଙ୍କାର ରହିଛି। ଯାହାର ଓଜନ ପ୍ରାୟ ୧୪୮୭୮ ଭରି। ଅର୍ଥାତ୍ ଏହି ୩ ପର୍ଯ୍ୟାୟ ଭୁକ୍ତ ରତ୍ନଭଣ୍ଡାରରେ ୪୫୪ଟି ସ୍ବର୍ଣ୍ଣ ଅଳଙ୍କାର ରହିଛି। ଯାହାର ଓଜନ ପ୍ରାୟ ୧୨ ହଜାର ୮୩୮ ଭରି। ସେହିପରି ୨୯୩ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୨୨୧୫୩ ଭରି। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ତାଲିକା (୧୯୭୮ ମେ'ରୁ ଜୁଲାଇ ମାସ ମଧ୍ୟରେ ପ୍ରସ୍ତୁତ) ସୂଚିରୁ ଏହା ଜଣାପଡ଼ିଛି। ଶ୍ରୀମନ୍ଦିର ପରିଚାଳନା କମିଟି ୧୯୭୮ରେ ଏନେଇ ମୁଦ୍ରଣ କରିଥିବା ତ‌ଥ୍ୟରୁ ଏହା ସାମ୍ନାକୁ ଆସିଛି।

ଶେଷଥର ଲାଗି ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ତିନିଟି ଯାକ ଭଣ୍ଡାର (ଭିତର, ବାହାର ଏବଂ ଚଳତି ଭଣ୍ଡାର)ରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଏକ ପୂର୍ଣାଙ୍ଗ ତାଲିକା ପ୍ରସ୍ତୁତ ହୋଇଥିଲା। ଉକ୍ତ ତାଲିକା ଅନୁସାରେ, ମୋଟ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସୁନା ଜିନିଷ ଥିଲା । ଏହାର ମୋଟ ଓଜନ ୧୨,୮୩୮ ଭରି (ମୂଲ୍ୟବାନ ପଥର ସହିତ) ଅଟେ । ମୋଟ ୪୫୪ଟି ସାମଗ୍ରୀ ମଧ୍ୟରୁ ୮ଟି ସୁନା ସାମଗ୍ରୀ ଓଜନ ହୋଇନଥିବାରୁ ଉପରୋକ୍ତ ଓଜନ ମଧ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ସେହିପରି ଆକଳନ ଅନୁସାରେ, ମୋଟ ୨୯୩ଟି ରୁପା ପୂଜା ଉପକରଣ ଓ ବାସନ (ମୂଲ୍ୟବାନ ପଥର ସହିତ) ଇତ୍ୟାଦି ଗଚ୍ଛିତ ଥିଲା । ଏହାର ମୋଟ ଓଜନ ୨୨, ୧୫୩ ଭରି ଅଟେ। ଏଥରୁ ୬ଟି ରୁପା ସାମଗ୍ରୀ ଓଜନ ହୋଇପାରି ନଥିବାରୁ ଉପରୋକ୍ତ ରୁପା ଓଜନରେ ଅନ୍ତର୍ଭୁକ୍ତ ହୋଇନାହିଁ। ୧୯୭୮ ମସିହାରେ ରତ୍ନଭଣ୍ଡାରର ସମସ୍ତ ସାମଗ୍ରୀର ଏକ ପୂର୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ଵାରା ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି। ସେହିପରି ବିଶେଷାଙ୍କରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ ୧୯୮୨ ଏବଂ ୧୯୮୫ରେ ଖୋଲିଥିଲା ଭିତର ରତ୍ନଭଣ୍ଡାର। ଶ୍ରୀମନ୍ଦିର ପ୍ରଶାସନର ଉପଲବ୍ଧ ରେକର୍ଡ ଅନୁସାରେ, ଶେଷଥର ଲାଗି ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଭିତର ଭଣ୍ଡାର ଖୋଲାଯାଇ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ଲାଗି ହେବା ପାଇଁ ଏକ ଚିତା ବାହାରକୁ ଅଣାଯାଇଥିଲା । ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନିର୍ଦ୍ଧାରଣ ଅନୁସାରେ, କଳାହାଟ ଦ୍ଵାର ରୁପା ଛାଉଣି ସକାଶେ ୧୯୮୨ ମସିହା ଡିସେମ୍ବର ୨୬ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଆବଶ୍ୟକ ଅନୁସାରେ ରୁପା ସାମଗ୍ରୀ ବାହାର କରାଯାଇଥିଲା ।

 ଏଥିସହ ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ରତ୍ନ ଗଣତି ମଣତି,୪୮ ବର୍ଷ ପରେ ହେବ ଗଣତିମଣତି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Counting: ଆଜି ଖୋଲିବ ମହାପ୍ରଭୁଙ୍କ ଗହଣା ସିନ୍ଦୂକ କେତେ ଅଳଙ୍କାର ରହିଛି ସେସବୁର ହେବ ହିସାବ | Argus News