Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାତ ସାଙ୍ଗେ ଲୁଣ ଖାଉଛନ୍ତି ମାଙ୍କଡିଆ ପରିବାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାତ ସାଙ୍ଗେ ଲୁଣ ଖାଉଛନ୍ତି ମାଙ୍କଡିଆ ପରିବାର

ଅର୍ଗସ ବ୍ୟୁରୋ:  ଯଶିପୁରରେ ଦେଖିବାକୁ ମିଳିଛି ଭୋକର ଛାତି ଧରା ଦୃଶ୍ୟ। ଭାତ ସାଙ୍ଗେ ଲୁଣ ଖାଇ ଭୋକ ମେଣ୍ଟାଉଛନ୍ତି ମାଙ୍କଡିଆ ଆଦିବାସୀ । ଅତି ବେଶିରେ ଭାତ ସାଙ୍ଗରେ ରସୁଣ କୋଲାଏ ମିଳିଗଲେ ଅଧିକ। ଝାଟିମାଟିର କାନ୍ଥରେ ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ। କେଉଁ ଦିନ ଅଧାପେଟ ଖାଇବାକୁ ମିଳୁଛି ତ କେଉଁଦିନ ପାଣିପିଇ ଶୋଇବାକୁ ପଡ଼ୁଛି। ରାତିରାତି ଅନିଦ୍ରା ରହିବାକୁ ବି ପଡ଼ୁଛି। କାରଣ ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବାକୁ ଦଦରା ଝୁପୁଡ଼ି ଛଡ଼ା ସେମାନଙ୍କ ନିମନ୍ତେ ଅନ୍ୟ ବିକଳ୍ପ ନାହିଁ। ଝଡ଼ାବତାସ ଲାଗି ରହିଲେ ଏମାନଙ୍କ ଅବସ୍ଥା ହୋଇଯାଏ ଦୁର୍ବିସହ।

ମୟୁରଭଞ୍ଜ ଯଶିପୁର ବ୍ଲକ ଏକତାଳି ପଞ୍ଚାୟତର କୁମୁଡ଼ାବାଡ଼ି। ଗାଁରେ ରୁହନ୍ତି 30ରୁ ଉର୍ଦ୍ଧ ଖଡ଼ିଆ ମାଙ୍କଡିଆ ଆଦିବାସୀ ପରିବାର। ହେଲେ ପୁରା ଗାଁ ବିକାଶ ଶୂନ୍ୟ। ଗାଁ ବସୁଧା ଯୋଜନାରେ ପ୍ରକଳ୍ପ ହୋଇଛି। ପାଇପ ଲାଇନ ମଧ୍ୟ ବିଛା ଯାଇ ଷ୍ଟାଣ୍ଡ ପୋଷ୍ଟ ଲାଗିଛି ହେଲେ ପାଣି ଆସୁନି। ଶୁଦ୍ଧ ପାନୀୟ ଜଳ ପାଇଁ ଯଦିଓ ସୋଲାର ପାଣି ପମ୍ପ ଟିଏ ବସିଥିଲା ତାହା ମଧ୍ୟ ଅଚଳ ଅବସ୍ଥାରେ ପଡି ରହିଛି। ଖାଲି ସେତିକି ନୁହେଁ ଗାଁରେ ସ୍ଵଜଳ ଧାରା ମଧ୍ୟ ଫେଲ ମାରିଛି। ଯେଉଁ ନଳକୂପ ଅଛି ସେଥିରୁ ଆଇରନ ଯୁକ୍ତ ଓ ଗୋଳିଆ ପାଣି ବାହାରୁ ଥିବାରୁ ଉପୋଯୋଗି ହୋଇ ପାରୁନାହିଁ ।ଫଳରେ ଆଜିବି ପାଣି ପାଇଁ ମାଇଲମାଇଲ ଚାଲୁଛନ୍ତି ଅଞ୍ଚଳବାସୀ। କେତେବେଳେ ନାଳ ପାଣି କେତେବେଳେ ବିଲ ଚୁଆରୁ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି ଏହି ଆଦିାବସୀ ପରିବାର।

ଗାଁରେ 30 ପରିବାରର ସ୍ଥିତି ଦେଖିଲେ ମନେ ହୁଏ ସ୍ଵାଧୀନତାର 78ବର୍ଷ ବିତି ଯାଇଥିଲେ ଏମାନେ ଦୁର୍ଦ୍ଦଶାରେ ଜିବନ ଯାପନ କରୁଛନ୍ତି। ନା ଏମାନଙ୍କ ପାଇଁ ରୋଜଗାରର ସୁବିଧା ଅଛି ନା ମିଳିଛି ଯୋଜନାର ଲାଭ। ଏବେବି ଜଙ୍ଗଲଯାତ ସାମଗ୍ରୀ ଏମାନଙ୍କ ପାଇଁ ଉପାର୍ଜନର ମାଧ୍ୟମ।ଗାଁ ସମସ୍ୟା କୁ ନେଇ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏଁ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ଏପଟେ ଗାଁରେ ଆଜି ବି ପହଞ୍ଚି ପାରୁନି ବିକାଶ, ମିଳିପାରୁନି ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା। ଏ ଅଞ୍ଚଳର ସମସ୍ୟା ର ସମାଧାନ କେବେ ହେବ ତାହା ଦେଖିବାକୁ ବାକି ରହିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Makadia family is eating salt with rice | Argus News