Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଲେରିଆ ନିରାକରଣ ପାଇଁ ନୂଆ ଯୋଜନା, ବୈଠକରେ ବଡ଼ ଘୋଷଣା

Odisha

Malaria Elimination India / ମାଲେରିଆ ନିରାକରଣ ପାଇଁ ନୂଆ ଯୋଜନା, ବୈଠକରେ ବଡ଼ ଘୋଷଣା

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ମାଲେରିଆ ନିରାକରଣ ପାଇଁ ନୂଆ ଯୋଜନା, ବୈଠକରେ ବଡ଼ ଘୋଷଣା
Malaria Elimination India

Key Points

ମାଲେରିଆ ମୁକ୍ତି ପାଇଁ ବଡ଼ ପଦକ୍ଷେପ
ଭୁବନେଶ୍ୱରରେ ବଡ଼ ବୈଠକ
2030 ପୂର୍ବରୁ ମାଲେରିଆରୁ ମିଳିବ ମୁକ୍ତି
ବିଶ୍ୱ ମାଲେରିଆ ଦିବସ ଅବସରରେ ଏପ୍ରିଲ ୨୯, ୨୦୨୬ ତାରିଖରେ ରାଷ୍ଚୀୟ କୀଟଜନିତ ସଂକ୍ରାମକ ରୋଗ ନିବାରଣ ଏକାଡେମୀ-National Academy of Vector Borne Diseases (NAVBD) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (Regional Medical Research Centre-RMRC), ଭୁବନେଶ୍ୱରଙ୍କ ମିଳିତ ଆୟୋଜନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି ବୈଠକରେ ପ୍ରମୁଖ ବିଶେଷଜ୍ଞ, ନୀତିନିର୍ଦ୍ଧାରକ, ଗବେଷକ ଓ ସାର୍ବଜନୀନ ସ୍ୱାସ୍ଥ୍ୟକ୍ଷେତ୍ରର ବୃତ୍ତିଜୀବୀମାନେ ମାଲେରିଆ ନିରାକରଣ ପାଇଁ ଯୋଜନା ଉପରେ ଚର୍ଚ୍ଚା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର୍ ଏ. ପି. ଦାଶ, ପୂର୍ବତନ କୁଳପତି, କେନ୍ଦୀୟ ବିଶ୍ବବିଦ୍ଯାଳୟ, ତାମିଲନାଡୁ - Central University of Tamil Nadu (CUTN) ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ର( WHO-SEARO)ର ଆଞ୍ଚଳିକ ପରାମର୍ଶଦାତା; ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ- Indian Council of Medical Research (ICMR) ର ଅତିରିକ୍ତ ମହାନିର୍ଦ୍ଦେଶକ ଡା. ସଙ୍ଘମିତ୍ରା ପତି; ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ଆଞ୍ଚଳିକ କାର୍ଯ୍ଯାଳୟ Regional Office for Health and Family Welfare (ROHFW)ର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁଚିତ୍ରା ସାସ୍ମଲ; ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା. ସୁଭାଶିଷ ମହାନ୍ତି ; ଜୀବ ବିଜ୍ଞାନ ସଂସ୍ଥାନ (Institute of Life Sciences), ଭୁବନେଶ୍ବରର ବରିଷ୍ଠ ବୈଜ୍ଞାନିକ ଡା. ଭି. ଅରୁଣ ନାଗରାଜ; ଏବଂ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓଡ଼ିଶା ପରିବେଶ ସମିତି (Odisha Environmental Society-OES)ପ୍ରଫେସର୍ ଜୟକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

ସଭାରେ ସ୍ୱାଗତ ଭାଷଣ ଦେଇ ରାଷ୍ଚୀୟ କୀଟଜନିତ ସଂକ୍ରାମକ ରୋଗ ନିବାରଣ ଏକାଡେମୀ (National Academy of Vector Borne Diseases-NAVBD)ର ସଚିବ ଡକ୍ଟର ଏମ୍. ଆର୍. ରଞ୍ଜିତ ବିଶ୍ୱ ମାଲେରିଆ ଦିବସ ପରି ସାର୍ବଜନୀନ ସ୍ୱାସ୍ଥ୍ୟ ଅଭିଯାନ ପାଳନର ଗୁରୁତ୍ୱ ଉପସ୍ଥାପନ କରିଥିଲେ, ଯାହା ମାଲେରିଆ ବିରୋଧରେ ସଚେତନତା ଓ ସମୂହୀକ ପ୍ରୟାସକୁ ସୁଦୃଢ କରେ ।

ଡକ୍ଟର ସଂଘମିତ୍ରା ପତି ସରକାରୀ ସମ୍ବଳର ସଂଗ୍ରହର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ୨୦୩୦ ସୁଦ୍ଧା ମ୍ୟାଲେରିଆ ନିରାକରଣ ହାସଲ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରିଥିଲେ । ଡକ୍ଟର ସୁଚିତ୍ରା ସାସ୍ମଲ ବିଶ୍ୱସ୍ତରୀୟ ମ୍ୟାଲେରିଆ ପରିସ୍ଥିତିର ଏକ ସମୀକ୍ଷା ପ୍ରଦାନ କରିଥିଲେ, ଯାହାଦ୍ଵାରା ହୋଇଥିବା ଅଗ୍ରଗତି ଏବଂ ସ୍ଥାୟୀ ଚ୍ୟାଲେଞ୍ଜ ଉଭୟକୁ ରେଖାଙ୍କିତ କରିଥିଲା ।

ଡକ୍ଟର ସୁଭାଶିଷ ମହାନ୍ତି ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାର ସଫଳତା କାହାଣୀ ଉପସ୍ଥାପନ କରିଥିଲେ ଏବଂ ୨୦୩୦ ସୁଦ୍ଧା ନିରାକରଣ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ । ଡକ୍ଟର ଭି. ଅରୁଣ ନାଗରାଜ ପ୍ରତିଶ୍ରୁତିପୂର୍ଣ୍ଣ ଗବେଷଣା ବିକାଶ, ବିଶେଷକରି ଅତ୍ୟନ୍ତ ପ୍ରଭାବଶାଳୀ ନୂତନ ମ୍ୟାଲେରିଆ ପ୍ରତିରୋଧୀ ଔଷଧ ଆବିଷ୍କାର କରିବାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ ।

ପ୍ରଫେସର ଏ. ପି. ଦାଶ ତାଙ୍କର ଉଦବୋଧନରେ ମାଲେରିଆ ନିରାକରଣ ପାଇଁ ସରକାରୀ-ବେସରକାରୀ ସହଭାଗୀତାର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ ।

ପ୍ରାୟ ୧୫୦ ଜଣ ପ୍ରତିନିଧି ଏହି ବୈଠକରେ ଯୋଗଦେଇଥିଲେ, ଯେଉଁମାନେ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ, ଗବେଷଣା ସଂଗଠନ ଓ ସାଧାରଣ ଲୋକଙ୍କୁ ପ୍ରତିନିଧିତ୍ୱ କରୁଥିଲେ, ଯାହା ମାଲେରିଆ ବିରୋଧରେ ବହୁମୁଖୀ ସମନ୍ୱୟର ଦୃଢ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲା ।

କାର୍ଯ୍ୟକ୍ରମର ଶେଷରେ ସମସ୍ତେ ଏକ ସାଧାରଣ ସଙ୍କଳ୍ପ ନେଇଥିଲେ—ସହଯୋଗ, ନବସୃଜନ ଓ ସମ୍ପଦ ସଂଗ୍ରହକୁ ସୁଦୃଢ କରି ମାଲେରିଆ ମୁକ୍ତ ଭବିଷ୍ୟତ ଦିଗରେ ଦ୍ରୁତ ଅଗ୍ରସର ହେବା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ICMR & Experts Discuss New Plan to Eliminate Malaria by 2030 | Argus News