ଏକାଠି ବସି ମଦ ପିଉଥିଲେ, ଏମିତି କ'ଣ ହେଲା ଯେ ମାରିଦେଲେ ଗୁଳି ?

କଟକ: ରଙ୍ଗର ପର୍ବ ହୋଲିରେ ଗୁଳିମାଡ଼ । ଭାଇଚାରାର ସହର କଟକର ବୟାଳିଶି ମୌଜା ଥାନା ଯଶୋଦା ମଣ୍ଡପ ପଛ ପାଖରେ ଗୁଳିମାଡ଼ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର । କଟକ ଡିସିପିଙ୍କ ଅନୁସାରେ, ଏକାଠି ବସି ଘରେ ଭିତରେ ମଦ ପିଉଥିବା ବେଳେ ଦୁହିଁଙ୍କ ଭିତରେ ଝଗଡ଼ାରୁ ଗୁଳିମାଡ଼ ହୋଇଛି ।
ମୃତକ ହେଉଛନ୍ତି ଜଗତସିଂହପୁର ବିରାଙ୍ଗ ଅଞ୍ଚଳର ବିକାଶ ମହାନ୍ତି । କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ପୋଲିସ ଅଭିଯୁକ୍ତକୁ ଧରିଥିବା ବେଳେ ଗୁଳି କରାଯାଇଥିବା ବନ୍ଧୁକକୁ ଜବତ କରିଛି ପୋଲିସ । ଉଭୟ ମୃତକ ଓ ଅଭିଯୁକ୍ତ ପୂର୍ବରୁ ପରସ୍ପରକୁ ଚିହ୍ନିଥିବା ବେଳେ ଅଭିଯୁକ୍ତ ଘରର ଇଣ୍ଟରିୟର କାମ କରନ୍ତି । ଦିନ ବେଳା କୌଣସି କାରଣରୁ ସେମାନେ ମାଡ଼ ଖାଇଥିଲେ । ସନ୍ଧ୍ୟାରେ ଘର ଭିତରେ ବସି ମୃତକ ଓ ଅଭିଯୁକ୍ତ ଅନ୍ୟ କିଛି ଜଣଙ୍କ ସହ ମଦ ପିଉଥିଲେ ।
ଆଉ କୌଣସି କଥାକୁ ନେଇ ହଠାତ୍ ମୃତକ ଓ ଅଭିଯୁକ୍ତ ମୁହାଁମୁହିଁ ହୋଇଥିଲେ । ଆଉ ଗୁଳିମାଡ଼ କରିଥିଲେ । ଯେଉଁଥିରେ ଘଟଣାସ୍ଥଳରେ ହିଁ ବିକାଶଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଅଭିଯୁକ୍ତ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର । ତେବେ ଅଭିଯୁକ୍ତ ଯୋଜନାବଦ୍ଧ ହତ୍ୟା ପାଇଁ ବନ୍ଧୁକ ନେଇ ଆସିଥିଲେ କି ? ଯଦି ନା ତା ହେଲେ କାହିଁକି କେନ୍ଦ୍ରାପଡ଼ାରୁ କଟକ ପର୍ଯ୍ୟନ୍ତ ବନ୍ଧୁକ ଧରି ବୁଲୁଥିଲେ । ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ କି ? ଯଦି ହଁ.. ନଜର ରଖିଥିଲା ତ ପୋଲିସ ?
📱 Get Argus News App
✨
ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି । ଦିନକ ତଳେ କଟକ ବୟାଳିଶି ମୌଜା ଧୂଳିଶ୍ଵର ଗାଁରେ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ବନ୍ଧୁକ କାରାଖାନା ଠାବ କରିଥିଲା । ମାଲିକଙ୍କ ସହ ୪ ଜଣଙ୍କୁ ଧରିବାରେ ସଫଳ ବି ହୋଇଥିଲା । ବନ୍ଧୁକ ନିର୍ମାଣରେ ଓଡ଼ିଆଙ୍କ ସହ ବିହାର ମୁଙ୍ଗେରର କିଛି ବ୍ୟକ୍ତି ମଧ୍ୟ ସାମିଲ୍ ଥିବା ଜଣାପଡ଼ିଥିଲା । ୩୦ଟି ବନ୍ଧୁକ ସହ ବିପୁଳ ପରିମାଣର କଞ୍ଚାମାଲ ଜବତ ହୋଇଥିଲା । ଆଉ ଆଜି ପୁଣି ସେହି ବୟାଳିଶି ମୌଜା ଅଞ୍ଚଳରେ ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି ।