ଶୋଇଥିବା ବେଳେ ଘରୁ ଘୋଷାଡ଼ି ଆଣି ମହିଳାଙ୍କୁ ଦଳିଦେଲା ଦନ୍ତା

ମୟୂରଭଞ୍ଜ: ଦନ୍ତା ନେଲା ପୁଣି ଏକ ଜୀବନ। ଦନ୍ତା ଆକ୍ରମଣରେ ମହିଳା ମୃତ। ଘର ବାରଣ୍ଡାରେ ସ୍ୱାମୀ,ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ତ୍ରୀ କୁ ଟାଣିଆଣି ଦଳିଦେଲା। ବାରିପଦା ରେଞ୍ଜ ବେତନଟୀ ଥାନା ରାଧିକାଶୋଳ ଗାଁ ରେ ଘଟିଛି ଘଟଣା। ଏହା ପୂର୍ବରୁ ଏହି ଦନ୍ତାହାତୀ ୩ ଜଣଙ୍କର ଜୀବନ ନେଇସାରିଥିବା ବେଳେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି। ମୃତା ମହିଳା ଜଣକ ହେଉଛନ୍ତି ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା ହାଁସଦା l ଏହାପରେ ବେତନଟୀ ଥାନା ସୁରେଇଡିହ ଗାଁରେ ଅନ୍ୟ ଜଣେ ହାତୀ ଆକ୍ରମଣ ରେ ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଗାଁକୁ ବଣୁଆହାତୀ ଅନୁପ୍ରବେଶ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଘରୁ ନବାହାରିବାକୁ ଡକାଵାଜି ଯନ୍ତ୍ରଦ୍ୱାରା ପ୍ରଚାରକରି ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା l
ଗ୍ରାମବାସୀ ନିଜନିଜ ଘରେ ଶୋଇଥିବା ବେଳେ ବେତନଟୀ ରେଞ୍ଜ ଇଲାକାରେ ବିଚରଣ କରୁଥିବା ନରହନ୍ତା ଦନ୍ତା ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗ୍ରାମରେ ପ୍ରବେଶ କରିଥିଲା l ଗ୍ରାମର ତିନି ଚାରିଟି ଘର ଭାଙ୍ଗିବା ସହିତ ଘର ଭିତରେ ଶୋଇଥିବା ମାନକାଙ୍କୁ ଘୋଷାଡ଼ି ଆଣି ଘର ଅଗଣାରେ କଚାଡି ଦଳି ଦେଇଥିଲା l ପାଖରେ ଶୋଇଥିବା ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗ୍ରାମରେ ଚହଳ ପଡିଯାଇଥିଲା l ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
