ଏକାଧିକ ପରିବାର ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ

ଅର୍ଗସ ବ୍ୟୁରୋ: ଖାଲି ଖାଲି ମାଳ ମାଳ ଯୋଜନା କିନ୍ତୁ ଯୋଜନା ସବୁ କାଗଜ କଲମରେ। ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା। ତେବେ ଯଶିପୁର ବ୍ଲକର ଉପାନ୍ତ ଅଞ୍ଚଳରେ ଆଜିବି ଅବହେଳିତ ଖଡ଼ିଆ ସମ୍ପ୍ରଦାୟର ଏକାଧିକ ଆଦିବାସୀ ପରିବାର। ସ୍ୱାଧିନତାର 76 ବର୍ଷ ପରେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଲେ ନାହିଁ। ଯଶିପୁରର ଉପାନ୍ତ ଅଞ୍ଚଳ ଗୁଡିକରେ କୋଉଠି ଶୁଦ୍ଧ ପାନୀୟ ଜଳର ସମସ୍ୟା ତ ପୁଣି କେଉଁଠି ଲୋକେ ଆବାସ ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି। ଆଉ କେଉଁଠି ଭଙ୍ଗା ଚାଳ ଛପର ଘରେ ଦିନ କାଟୁଛନ୍ତି, ତ ପୁଣି କେଉଁଠି ରାସ୍ତା ଘାଟ ସମସ୍ୟା। ସରକାରଙ୍କ ମାଳ ମାଳ ଯୋଜନା କେବଳ ଖାତା କଲମରେ ସୀମିତ ହୋଇ ରହିଯାଇଛି ଏମାନଙ୍କ ପାଇଁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ ଅଭିଯୋଗ ଶୁଣୁଛି କିଏ।
ବିଭାଗୀୟ ଅଧିକାରୀ ଏଠି କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ ହୋଇ ପାରୁନି। ଏଥିପାଇଁ ଲୋକେ ବିଭିନ୍ନ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସ୍ଥାୟୀ ସରକାର ଏଠି କେବଳ ବିକାଶର କଥା କହି ବିଭିନ୍ନ ସମୟରେ ପୋଷ୍ଟର ମାରିବାରେ ବ୍ୟସ୍ତ ଅଛନ୍ତି। କୋଉଠି ବୁଝିବେ ଲୋକଙ୍କ ସମସ୍ୟା କଣ। କେବଳ ନିର୍ବାଚନ ପାଖେଇ ଆସିଲେ ଶାସକ ଦଳ ନେତା ଆଉ ମନ୍ତ୍ରୀ ମାନଙ୍କର ଉପାନ୍ତ ଅଞ୍ଚଳ ଲୋକଙ୍କ କଥା ମନେପଡ଼େ। ଆଉ ନିର୍ବାଚନ ସରିଗଲେ ଯଥା ପୂର୍ବମ ତଥା ପରମ ପରିସ୍ଥିତି।
ଆମେ କହୁଛୁ ଯଶିପୁର ବ୍ଲକର ମାଟିଆଗଡ଼, ବନବସା, କୁମୁଡ଼ା ବାଡ଼ି ଅଞ୍ଚଳରେ ବାସ କରୁଥିବା ଏକାଧିକ ପରିବାରଙ୍କ କଥା, ଭଙ୍ଗା କୁଡ଼ିଆରେ କିଏ କୋଉଠି ଜୀବନ କାଟୁଛନ୍ତି ତ ପୁଣି ଲୋକଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ସାତ ସପନ। ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଲାଗିଥିଲେ ମଧ୍ୟ ପାଣି ଆସୁନି ନଳକୂଅ ସବୁ ଅଚଳ ଅବସ୍ଥାରେ। କିନ୍ତୁ ଏମାନଙ୍କ ପାଇଁ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା। ୨୩ବର୍ଷ ସରକାରରେ ବିଜେଡି ଦଳ ଗରିବ ଲୋକଙ୍କ ପାଇଁ କରିଛି କଣ। ଏହାର ଉତ୍ତର ପଚାରିଲେ ଦେଇପାରିବେ ତ? ଆଜି ବି ଦାରିଦ୍ର୍ୟ ସୀମାରେଖା ତଳେ ଉପାନ୍ତ ଅଞ୍ଚଳ। ତେବେ ଏମାନଙ୍କ ପାଖରେ ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡୁଛି ଓ ସରକାରଙ୍କ ମୌଳିକ ସୁବିଧା ପହଞ୍ଚି ପାରୁଛି ତାକୁ ହିଁ ଅପେକ୍ଷା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର