ଧର୍ମେନ୍ଦ୍ରଙ୍କ ସମର୍ଥନରେ ବହୁ ବୁଦ୍ଧିଜୀବୀ, ତେବେ ରେଭେନସା ପୂରାତନ ଛାତ୍ରଙ୍କ ବିରୋଧ

Key Points
- ରେଭେନସା ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିତର୍କ ଆହ୍ବାନ ପରେ ତେଜିଲା ବିବାଦ
- ଧର୍ମେନ୍ଦ୍ରଙ୍କ ସମର୍ଥନରେ ବହୁ ବୁଦ୍ଧିଜୀବୀ ତେବେ ରେଭେନସା ପୂରାତନ ଛାତ୍ରଙ୍କ ବିରୋଧ
- ନ'ଅଙ୍କ ଦୁର୍ଭିକ୍ଷର ଖଳନାୟକ ରେଭେନସାଙ୍କ ନାଁରେ କାହିଁକି ରହିବ ଶିକ୍ଷାନୁଷ୍ଠାନ ଉଠିଲା ପ୍ରଶ୍ନ
- ନାଁ ପରିବର୍ତ୍ତନ ବିରୋଧରେ ବାହାରିଲା ବିଜେଡି, ପ୍ରମାଣ ଦେଖାଇ ବିଜେପି କଲା ସମର୍ଥନ
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ରେଭେନସା ନାଁ ପରିବର୍ତ୍ତନକୁ ନେଇ ତେଜିବାରେ ଲାଗିଛି ବିବାଦ। ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନରେ ବାହାରିଛନ୍ତି ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍। ତେବେ ରେଭେନସା ନାଁ ପରିବର୍ତ୍ତନକୁ ବିରୋଧ କରୁଛନ୍ତି ଏହି ଶିକ୍ଷାନୁଷ୍ଠାନର କିଛି ପୂରାତନ ଛାତ୍ର ଓ ରାଜନେତା। ଏ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି- ବିଜେଡି। ତେବେ କିଏ କଣ କହୁଛି ଜାଣିବା ପୂର୍ବରୁ ପ୍ରଥମେ ଆସନ୍ତୁ ଶୁଣିନେବା ଏ ପ୍ରସଙ୍ଗରେ କଣ ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂରା ବୟାନ।
ତେବେ କିଏ ଏହି ରେଭେନସା ସାହେବ ? ୧୮୬୬ରେ ହୋଇଥିବା ଓଡ଼ିଶା ଇତିହାସର ସବୁଠୁ ବଡ଼ ବପତ୍ତି ନଅଙ୍କ ଦୁର୍ଭିକ୍ଷରେ ତାଙ୍କର କଣ ଥିଲା ଭୂମିକା ? ବ୍ୟାସ କବି ଫକୀର ମୋହନ ସେନାପତି ନିଜ ଆତ୍ମ ଜୀବନୀରେ ଲେଖିଛନ୍ତି । କମିଶନର ସାହେବ ଗଭର୍ଣ୍ଣରଙ୍କୁ ଲେଖିଲେ - ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିପାରେ ମାତ୍ର ଦେଶ ମଧ୍ୟରେ ଅନେକ ଧାନ ମହଜୁଦ ଅଛି ସେଥିରେ ବର୍ଷକ ଚଳିପାରିବ। କମିଶନର ସାହେବ ବଡ଼ ଭୁଲ କଲେ ଓଡ଼ିଶାରେ ପ୍ରକୃତରେ ଏତେ ଧାନ ମହଜୁଦ ଅଛି କି ନାହିଁ, ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ ଅଛି ସାଧାରଣ ସଂକଟ ସମୟରେ ସେମାନେ ସେହି ଧାନ ବିକ୍ରୟ ବା ବିତରଣ କରିବେ କି ନାହିଁ କଥାଟା ଭଲରୂପେ ତଦନ୍ତ କରି ଗଭର୍ଣ୍ଣରଙ୍କୁ ଜଣାଇବା ଉଚିତ ଥିଲା। ମାତ୍ର ଉତ୍କଳରୁ ୩୦ ଲକ୍ଷ ପର୍ଯ୍ୟନ୍ତ ମାହାପ୍ରାଣୀ ବିନାଶ ଗଲା।
ନଅଙ୍କ ଦୁର୍ଭିକ୍ଷ ସମୟରେ ଓଡ଼ିଶାରେ ବ୍ରିଟିଶ୍ କମିଶନର ଥିଲେ ଥମାସ୍ ଏଡୱାର୍ଡ ରେଭେନସା। ଅର୍ଥାତ ଫକୀରମୋହନଙ୍କ କହିବା ଅନୁଯାୟୀ ଉତ୍କଳର ୩୦ ଲକ୍ଷ ଲୋକଙ୍କ ଜୀବନ ଯିବା ପାଇଁ କମିଶନର ରେଭେନସା ହିଁ ଦାୟୀ। ତାଙ୍କର ଭୁଲ ରିପୋର୍ଟ ଯୋଗୁଁ ଲକ୍ଷ ଲକ୍ଷ ଓଡ଼ିଆ ଖାଇବାକୁ ନପାଇ ଡହଳ ବିକଳ ହୋଇ ମରିଗଲେ। ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ମଧ୍ୟ ସାମ୍ବାିକ ସମ୍ମିଳନୀରେ ପ୍ରମାଣ ରଖିଛନ୍ତି କିଭଳି ରେଭେନସା ସାହେବ ନଅଙ୍କ ଦୁର୍ଭିକ୍ଷରେ ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଓଡ଼ିଆଙ୍କ ଆଳସ୍ୟ ପଣକୁ ଦାୟୀ କରିଥିଲେ।
ଯାହା ମୁଣ୍ଡରେ ୩୦ ଲକ୍ଷ ଓଡ଼ିଆଙ୍କ ହତ୍ୟାର କଳଙ୍କ ତାଙ୍କ ନାଁ ବଦଳାଇବା ପାଇଁ ଯେତେବେଳେ ବିତର୍କର ଆହ୍ବାନ ଦିଆଯାଉଛି ବିଜେଡିକୁ ଏକଥା ବାଧୁଛି କାହିଁକି। ରେଭେନସା ନାଁ ପରିବର୍ତ୍ତନକୁ ବିରୋଧ କରିଛି ବିଜୁ ଜନତା ଦଳ। କେବଳ ରାଜନୈତିକ ବିରୋଧାଭାଷ କରିବାକୁ ଯାଇ ଗୋଲାମୀର ପରିଚୟକୁ ଧରିରଖିବାକୁ ବିଜେଡି କାହିଁକି ଏତେ ବ୍ୟାକୂଳ ? ଶିକ୍ଷାବିତଙ୍କ ମତରେ ଓଡ଼ିଶାରେ ରେଭେନସାଙ୍କ ନାଁରେ ଶିକ୍ଷାନୁଷ୍ଠାନ ରହିବା ଯାହା ଜାଲିଆନାୱାଲା ବାଗରେ 379 ସ୍ବାଧୀନତା ସଂଗ୍ରାମୀଙ୍କ ଗଣହତ୍ୟାର ନିର୍ଦ୍ଦେଶ ଦେଇଥିବା ଜେନେରାଲ ଡାୟାରଙ୍କ ନାଁରେ ପଞ୍ଜାବରେ ସ୍ମାରକୀ ରହିବା ସମାନ କଥା ।
📱 Get Argus News App
✨ସମ୍ବାଦର ପୂର୍ବତନ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ରେଭେନସାର କିଛି ପୂରାତନ ଛାତ୍ର ରେଭେନସା ନାଁ ପରିବର୍ତ୍ତନକୁ ବିରୋଧ କରିଛନ୍ତି ତେବେ ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ବିତର୍କ ଆହ୍ବାନକୁ ସ୍ବାଗତ କରିଛନ୍ତି ସୌମ୍ୟରଞ୍ଜନ। ତେବେ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କ ମତରେ ରେଭେନସା ନାଁକୁ ନେଇ ଏଭଳି ଗୋଲାମୀ ମାନସିକତା ଓଡିଆ ଅସ୍ମିତା ପ୍ରତି ଏକ ବଡ଼ଧକ୍କା। ଏହି ବିରୋଧ ସମର୍ଥନ ମଧ୍ୟରେ ନାଁ ପରିବର୍ତ୍ତନକୁ ନେଇ ବିତର୍କର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ।
ଦେଶର ଅନେକ ଗୋଲାମୀର ପ୍ରତୀକର ନାଁ ପରିବର୍ତ୍ତନ ହୋଇସାରିଛି। ଏହାକୁ ପୂରା ଦେଶ ସ୍ବାଗତ କରିଛି କିନ୍ତୁ ଓଡ଼ିଶାରେ କିଛି ଲୋକ ଏବେବି ମିଛ ଅହମିକାରେ ଗୋଲାମୀ ପରିଚୟକୁ ଜାବୁଡ଼ି ଧରିରଖିବାକୁ ଚାହାନ୍ତି। ଲକ୍ଷ ଲକ୍ଷ ଓଡ଼ିଆଙ୍କ ହତ୍ୟାର ଖଳନାୟକକୁ ଆଦର୍ଶ ଭାବେ ଦର୍ଶାଇ ସେମାନେ ଭବିଷ୍ୟତ ପୀଢ଼ିକୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?
ଅଧିକ ପଢ଼ନ୍ତୁ ଓଡିଶା ଖବର: