ଜନଶୁଣାଣି ପରେ ପ୍ରାଥମିକ ଶିକ୍ଷକଙ୍କ ବ୍ୟାପକ ବଦଳି ବାତିଲ

ଅର୍ଗସ ବ୍ୟୁରୋ: ପୂର୍ବ ଘୋଷଣା ଅନୁଯାୟୀ ଗତ ୧୧ ତାରିଖ ଦିନ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଗଠିତ ତଥ୍ୟ ଅନୁସନ୍ଧାନକାରୀ କମିଟି ନବରଙ୍ଗପୁର ଜିଲ୍ଲାରେ ଡିଇଓଙ୍କ ବ୍ୟାପକ ଦୁର୍ନୀତି ଓ ଅର୍ଥ ସଂଗ୍ରହ ଘଟଣାରେ ଜନଶୁଣାଣି କରିଥିଲେ । ଜନଶୁଣାଣି ଶିବିରରେ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷାବିତ୍ ଓ ସାମାଜିକ କର୍ମୀ ଯୋଗଦେଇ ନବରଙ୍ଗପୁର ଡିଇଓଙ୍କ କାର୍ଯ୍ୟଳୟରେ ଚାଲିଥିବା ବ୍ୟାପକ ଦୁର୍ନୀତି ଓ ବଦଳି ସମ୍ପର୍କରେ ବହୁ ତଥ୍ୟ ପ୍ରଦାନ କରିଥିଲେ ।
ତଥ୍ୟ ଅନୁସନ୍ଧାନକାରୀ କମିଟିର ପ୍ରାରମ୍ଭିକ ରିପୋର୍ଟ ପରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ରାଜ୍ୟ ଆବାହକ ତଥା ବରିଷ୍ଟ ଆଇନଜୀବୀ ସୁବ୍ରତ କୁମାର ନନ୍ଦଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ଗତ ମାସକ ମଧ୍ୟରେ ୩୦୦ରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କୁ ବଦଳି କରାଯାଇଥିବା କଥା ଉଲ୍ଲେଖ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଗତ କାଲି ନବରଙ୍ଗପୁର ଉପ-ଜିଲ୍ଲାପଳଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ ଡିଇଓଙ୍କୁ ତୁରନ୍ତ ସମସ୍ତ ବଦଳି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅଧିକାଂଶ ଶିକ୍ଷକଙ୍କ ବଦଳି ବାତିଲ ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ ।
ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ତଥା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଶିକ୍ଷକଙ୍କ ତୁରନ୍ତ ବଦଳି ବାତିଲ କରିବାକୁ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ଅବାହାକ ଆଇନଜୀବୀ ଶ୍ରୀ ନନ୍ଦ ଆଜି ଜିଲ୍ଲାପାଳଙ୍କ ନିକଟକୁ ତୁରନ୍ତ ଏ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁଥିବା ସମୟରେ ଆଚରଣ ବିଧିକୁ ଉଲ୍ଲଂଘନ କରି ବହୁ ସଂଖ୍ୟକଙ୍କ ବଦଳି ପଛରେ ବ୍ୟାପକ ଅର୍ଥ କାରବାରର ଦୁର୍ନୀତି ଜିଲ୍ଲାପାଳ ତଦନ୍ତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର