Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଲେମାଲ୍ ହେବ ମୟୂରଭଞ୍ଜ; ମାଟି ତଳେ ଥିବା ସୁନା, ତମ୍ବା ତଥ୍ୟ ଦେଲେ ସରକାର

Odisha

Gold Reserves / ମାଲେମାଲ୍ ହେବ ମୟୂରଭଞ୍ଜ; ମାଟି ତଳେ ଥିବା ସୁନା, ତମ୍ବା ତଥ୍ୟ ଦେଲେ ସରକାର

Sushanta Sahoo
Browse all articles by Sushanta Sahoo
·2 months ago·2 min read
ମାଲେମାଲ୍ ହେବ ମୟୂରଭଞ୍ଜ; ମାଟି ତଳେ ଥିବା ସୁନା, ତମ୍ବା ତଥ୍ୟ ଦେଲେ ସରକାର
Big Boost for Mayurbhanj

Key Points

ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତମ୍ବାର ସନ୍ଧାନ କରିଥିବା ବେଳେ ଗୋଟିଏ ସ୍ଥାନରେ ସୁନା ଓ ନିକେଲ୍ ରହିଛି । ମୟୂରଭଞ୍ଜର କୋଳିଅଣା ବ୍ଲକର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଛି ସୁନା ସହ ତମ୍ବା ।
ଭୁବନେଶ୍ଵର: ମୟୂରଭଞ୍ଜର ମାଟି ତଳେ ଅଛି କେତେ ସୁନା, କେତେ ତମ୍ବା ଆଉ ନିକେଲ୍ ? କେବେ ସୁଦ୍ଧା ଖଣି ବ୍ଲକ୍‌ର ନିଲାମ ହେବ ଏବଂ ସ୍ଥାନୀୟ ଲୋକମାନେ କ'ଣ ଲାଭ ପାଇବେ ? ଏନେଇ ବିଧାନସଭାରେ ବାଙ୍ଗିରିପୋଷି ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ ଅଣତାରକା ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, "ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଗଚ୍ଛିତ ଥିବା ଖଣିଜ ପଦାର୍ଥର ସର୍ବେକ୍ଷଣ ଅନୁସନ୍ଧାନ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ଦ୍ଵାରା କରାଯାଇଛି । ଆକଳନ ହୋଇଥିବା ତମ୍ବା ପଥର ଖଣିଜ ପଦାର୍ଥ ଅଞ୍ଚଳ ସହିତ ଅନ୍ୟାନ୍ୟ ଖଣିଜ ପଦାର୍ଥ ସଂଲଗ୍ନ ଥିବାରୁ ଏହାର ଏକତ୍ରିକରଣ କରାଯାଇ ନିଲାମ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି ।"

ଏଥିସହ ପଢ଼ନ୍ତୁ: ୧ ଲକ୍ଷ ତଳକୁ ଖସିବ ସୁନା ଦର: ଏବେ ସୁନା କିଣିଲେ ସେତେବେଳେ କ୍ଷତି ସହିବେ

କେବେ ହେବ ନିଲାମ ?

ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ବର୍ଷରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (GSI) ଦ୍ଵାରା ମଦନାସାହି-କାଞ୍ଜିଆ ବ୍ଲକକୁ ଏକତ୍ରିକରଣ କରି ଜିଓଲୋଜିକାଲ୍ ରିପୋର୍ଟ (Geological Report) ପ୍ରସ୍ତୁତ କରାଯାଇଛି ଏବଂ ଏହାର ପରବର୍ତ୍ତୀ ଆନୁଷଙ୍ଗିକ ପ୍ରକ୍ରିୟା ଯଥା ଖଣିଜ ବ୍ଲକର DGPS ସର୍ଭେ ଏବଂ ଜମିର ଯାଞ୍ଚ ପ୍ରସ୍ତୁତ ପ୍ରକ୍ରିୟା ଚାଲୁ ରହିଛି । ଉକ୍ତ ବ୍ଲକକୁ ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ କରିବା ପାଇଁ ଯୋଜନା କରାଯାଉଛି ।

ଅଛି କେତେ ସୁନା, କେତେ ତମ୍ବା ?

ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତମ୍ବାର ସନ୍ଧାନ କରିଥିବା ବେଳେ ଗୋଟିଏ ସ୍ଥାନରେ ସୁନା ଓ ନିକେଲ୍ ରହିଛି । ମୟୂରଭଞ୍ଜର କୋଳିଅଣା ବ୍ଲକର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଛି ସୁନା ସହ ତମ୍ବା । ସେଠାରେ ୧୭.୦୬ ମିଲିୟନ୍ ଟନ୍ ତମ୍ବା ରହିଥିବା ବେଳେ ୧୪୬୨.୭୩ କେଜି ସୁନା ରହିଛି ।

ସେହିଭଳି କେଶରପୁରରେ ୧୬.୬୭ ମିଲିୟନ୍ ଟନ୍ ତମ୍ବା ରହିଥିବା ବେଳେ ନୟା ଦୁଧିଆଶୋଳାରେ ୪.୦୪ ମିଲିୟନ୍ ଟନ୍ ତମ୍ବା ଏବଂ ୨.୦୫ ମିଲିୟନ୍ ଟନ୍ ନିକେଲ୍ ରହିଥିବା ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥାର ଅନୁସନ୍ଧାନରୁ ଜଣାପଡ଼ିଛି । ଏବେ ଏହା ଜି-୨ ସ୍ତରରେ ଅନ୍ଵେଷଣ ସ୍ତରରେ ରହିଛି ।

ଏଥିସହ ପଢ଼ନ୍ତୁ:
 ଓଡ଼ିଶାରେ ଭରପୁର ସୁନା ଖଣି, ୧୦ ଜିଲ୍ଲାରେ ସୁନା ଖଣି ଥିବା ମନ୍ତ୍ରୀଙ୍କ ସୂଚନା

୧୦ ଜିଲ୍ଲାରେ ସୁନା ଖଣି

ଏହା ପୂର୍ବରୁ ସରକାର ସୂଚନା ଦେଇ କହିଥିଲେ, ରାଜ୍ୟର ପ୍ରାୟ ୧୦ ଜିଲ୍ଲାରେ କେତେକ ସ୍ଥାନରେ ବିକ୍ଷିପ୍ତ ବାବେ ସୁନା ଥିବାର ସୂଚନା ମିଳିଛି । ଖଣି ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ, ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି । ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ (GSI) ସଂସ୍ଥା ଦ୍ଵାରା ତମ୍ବାପଥର ପାଇଁ ଜି-୨ ସ୍ତରରେ ଅନ୍ଵେଷଣ କଲା ବେଳେ ଦେବଗଡ଼ରେ ମିଳିଛି ସୁନାପଥରର ସନ୍ଧାନ ।

ସେହିଭଳି କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ମାଙ୍କଡ଼ଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି । ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ (ଧୂଷୁରା ପାହାଡ଼) ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ଵେଷଣ ନିମନ୍ତେ ଜାରି ରହିଛି ପ୍ରାରମ୍ଭିକ ଅନୁସନ୍ଧାନ । ଏହା ଛଡ଼ା ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବରେ ସୁନା ଥିବାର ସୂଚନା ମିଳିଥିବା ବେଳେ ସବିଶେଷ ଅନୁସନ୍ଧାନ କରାଯାଇ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold, Copper & Nickel Found in Mayurbhanj, Govt Shares Details | Argus News | Argus News