ଐତିହ୍ୟ କରିଡର୍ ନିର୍ମାଣରେ ବୈଷୟିକ ତ୍ରୁଟି ପାଇଁ ସଙ୍କଟରେ ମେଘନାଦ ପାଚେରୀ
ଅର୍ଗସ ବ୍ୟୁରୋ: ନାଗା ସାଧୁଙ୍କର ଏ ଉଦବେଗ ଯେତିକି ସ୍ପର୍ଶକାତର, ସେତିକି ଚିନ୍ତାଜନକ। ହଁ, ମେଘନାଦ ପାଚେରୀରେ ଫାଟ। ପୁରୀ ଶ୍ରୀମନ୍ଦିରର ଭିତର ଓ ବାହାରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀ ପ୍ରତି ସୃଷ୍ଟି ହୋଇଛି ବିପଦ । ସିଂହଦ୍ବାର ପାର୍ଶ୍ବ ଲଙ୍ଗୁଳୀ ମଠ ନିକଟରୁ ପ୍ରାୟ 50ରୁ 60 ଫୁଟ୍ ଓସାରରେ ମେଘନାଦ ପାଚେରୀରେ ଏକାଧିକ ସ୍ଥାନରେ ସୃଷ୍ଟି ହୋଇଛି ଫାଟ। ବହୁ ସ୍ଥାନରୁ ଅନବରତ ଝରୁଛି ପାଣି।
ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଐତିହ୍ୟ ବିଶାରଦ ଓ ବୁଦ୍ଧିଜୀବୀ। ମେଘନାଦ ପାଚେରୀଠାରୁ 100 ମିଟର ନିଷିଦ୍ଧାଞ୍ଚଳ ଓ 200 ମିଟର ଯାଏଁ ନିୟନ୍ତ୍ରିତ ଜୋନ୍। କିନ୍ତୁ ପରିକ୍ରମା ପ୍ରକଳ୍ପ ନାଁରେ ବାହାବାଃ ନେବାକୁ ବିଜେଡି ସରକାର ଜୋର ଜବରଦସ୍ତ 75 ମିଟର ପରିସରରେ ଭଙ୍ଗାରୁଜା କରିଥିଲେ। ବଡ଼ ବଡ଼ ବୁଲଡୋଜର, ଜେସିବି, ଭାଇବ୍ରେଟରରେ ନିର୍ମାଣ ଉଚ୍ଛେଦ ହେବାରୁ ଶ୍ରୀମନ୍ଦିର ଓ ମେଘନାଦ ପ୍ରାଚେରୀ ଉପରେ ତାର ସିଧା ପ୍ରଭାବ ପଡ଼ିଛି ।
ବୁଦ୍ଧିଜୀବୀଙ୍କ ମତରେ ଆନନ୍ଦବଜାର ଅଗଣାରେ ଫାଟ ଯୋଗୁଁ ବର୍ଷା ପାଣି ଯାଇ ମେଘନାଦ ପାଚେରୀ ଭିତରେ ରହିବା ଫଳରେ ବିପଦ ଘନଇଛି । ଲେଜର୍ ସ୍କାନିଂ କରି ଏହାର ସ୍ଥିତି ଯାଞ୍ଚ କରାଯାଉ । ପୁଣି କେବଳ ମେଘନାଦ ପାଚେରୀ ନୁହେଁ ପରିକ୍ରମା ପ୍ରକଳ୍ପ ନିର୍ମାଣ ମେସିନର କମ୍ପନ ଯୋଗୁଁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଫାଟ ହୋଇଥିବା ପୂର୍ବରୁ ଅଭିଯୋଗ କରିଥିଲେ ସେବାୟତ।
ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ଅତୀତରେ କିଛି ଭୁଲ୍ କାରଣରୁ ଏମିତି ସ୍ଥିତି ହୋଇଛି। ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ, ଏ ନେଇ ଅନୁଧ୍ୟାନ କରୁଛନ୍ତି ଏଏସଆଇର ଟେକ୍ନିକାଲ୍ ଟିମ୍। ଅନ୍ୟପଟେ ଆଜିଠାରୁ ମେଘନାଦ ପାଚେରୀରୁ ଶିଉଳି ଛଡ଼ା କାମ ଆରମ୍ଭ ହୋଇଛି। ଅର୍ଗସକୁ ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି ରତ୍ନଭଣ୍ଡାର ମରାମତି ଶେଷ ହେବାପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବ ମେଘନାଦ ପାଚେରୀ ମରାମତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର