Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ନିଯୁକ୍ତି ଖୋଜିବା ନାହିଁ ବରଂ ନିଯୁକ୍ତିଦାତା ଭାବେ ଉଭା ହେବା: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·7 months ago·4 min read
ନିଯୁକ୍ତି ଖୋଜିବା ନାହିଁ ବରଂ ନିଯୁକ୍ତିଦାତା ଭାବେ ଉଭା ହେବା: ଧର୍ମେନ୍ଦ୍ର ପ୍ରଧାନ

Key Points

ଭାଷା ଭିତ୍ତିରେ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଏଣୁ ଆମର ଆଗାମୀ ୧୦ ବର୍ଷର ଲକ୍ଷ୍ୟ ସ୍ପଷ୍ଟ ହେବା ଆବଶ୍ୟକ । ଆମର ପ୍ରଥମ ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ଏକ ବିକାଶମୂଳକ ବାତାବରଣ ତିଆରି କରିବା ।
ଭୁବନେଶ୍ଵର: ଓଡ଼ିଆ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବାକୁ ହେବ । ପରିବର୍ତ୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ସେମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ଆମର ପ୍ରୟାସ ରହିଛି । ଏହି ଲକ୍ଷ୍ୟରେ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ ତଥା ସିଙ୍ଗାପୁରର ଜିଏଫଟିଏନ୍, ଏଆଇଡିଏଫ ଏବଂ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ମିଳିତ ଭାବରେ ଏସଡିଆଇ, ଭୁବନେଶ୍ୱରରେ ଫିନଟେକ୍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ସ୍କିଲ ଡେଭଲପମେଣ୍ଟ୍ ସେଣ୍ଟର ଏବଂ ଜିଏଫଟିଏନର ମିଳିତ ସହଯୋଗରେ ଅନୁଷ୍ଠିତ “ଶିକ୍ଷା ସମ୍ବାଦ - ପ୍ରଯୁକ୍ତି ବିଦ୍ୟା ସହିତ ଭବିଷ୍ୟତ” (The Edu Dialogue - Future with Technology) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ଅବସରରେ ସେ ସମ୍ବାଦ ଅଧିବେଶନରେ ଭାଗ ନେଇ ନିଜର ମତାମତ ବ୍ୟକ୍ତ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଭର୍ଚୁଆଲ ରିଆଲିଟି (ଭିଆର୍) ଆମର ଶିକ୍ଷା, କାର୍ଯ୍ୟ ଏବଂ ଯୋଗାଯୋଗକୁ ବର୍ତ୍ତମାନ ସମୟରେ ରୂପାନ୍ତରିତ କରୁଛି ।"

ଏଥିସହ ପଢ଼ନ୍ତୁ: ଗବେଷଣା 'ଭୋକାଲ୍ ଫର୍ ଲୋକାଲ୍' ସହ ପାରମ୍ପରିକତା ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ ଅଭିମୁଖୀ ହେବା ଆବଶ୍ୟକ

ଏହା ଏବେ କେବଳ ଏକ ବିଷୟ ନୁହେଁ ବରଂ ଆମ ଜୀବନଶୈଳୀର ଏକ ଅଂଶ ପାଲଟିଛି ; ଅଡିଓ କମ୍ୟୁନିକେସନରୁ ଆରମ୍ଭ କରି ଜଟିଳ ସମାଧାନ ପର୍ଯ୍ୟନ୍ତ ସବୁଠି ଏହାର ପ୍ରୟୋଗ ହେଉଛି । ଆମେ ବର୍ତ୍ତମାନ ଶିଳ୍ପ ବିପ୍ଳବ ୫.୦ ଆଡକୁ ଅଗ୍ରସର ହେଉଛୁ । ଭବିଷ୍ୟତର ଟେକ୍ନୋଲୋଜି ବିଶେଷ ଭାବରେ ୬ଜି ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂ ଆଗାମୀ ଦିନରେ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, "ଏହି ବୈଷୟିକ ପରିବର୍ତ୍ତନର ସାମ୍ନା କରିବାକୁ ହେଲେ ଆମକୁ କେବଳ କ୍ୟାମ୍ପସ ନୁହେଁ ବରଂ ନୂଆ ଦକ୍ଷତା, ଉଚ୍ଚତା, ସ୍ୱପ୍ନ ଓ ଆକାଂକ୍ଷାକୁ ପ୍ରୋତ୍ସାହିତ କରୁଥିବା ଏକ ଶିକ୍ଷା ଓ କୌଶଳର ସଂସ୍କୃତି ତିଆରି କରିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଏସଡିଆଇ ଭୁବନେଶ୍ୱର ଆମର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାର ନିଷ୍ଠା ପ୍ରଶଂସନୀୟ ।"

ଏସଡିଆଇ ଭୁବନେଶ୍ୱର ଅନୁଷ୍ଠାନ ଐତିହ୍ୟରେ ପରିପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ । ମହାନ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହର ପରମ୍ପରା ଏଠାରେ ରହିଛି । ଏହାର ପରମ୍ପରା ଓ ଭବିଷ୍ୟତର ଏକ ପ୍ରତୀକାତ୍ମକ ସଙ୍ଗମସ୍ଥଳ ଭାବରେ ଛିଡ଼ା ହୋଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଉଦାହରଣ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, "ଏହା କେବଳ ଏକ ସ୍ମାରକୀ ନୁହେଁ ବରଂ ବୈଜ୍ଞାନିକ ଭାବରେ ପରିକଳ୍ପିତ ଏକ ସ୍ଥାପତ୍ୟ କଳା ଏବଂ ଆମ ପୂର୍ବପୁରୁଷଙ୍କ ଦ୍ୱାରା ପରିକଳ୍ପିତ ଏକ ବିଜ୍ଞାନ ପରୀକ୍ଷଣ । ଆମକୁ ଆଜିର ଆବଶ୍ୟକତାକୁ ବୁଝି ଭବିଷ୍ୟତ ପାଇଁ ଯୋଜନା କରିବାକୁ ପଡ଼ିବ ।"

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, "ଭାଷା ଭିତ୍ତିରେ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଏଣୁ ଆମର ଆଗାମୀ ୧୦ ବର୍ଷର ଲକ୍ଷ୍ୟ ସ୍ପଷ୍ଟ ହେବା ଆବଶ୍ୟକ । ଆମର ପ୍ରଥମ ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ଏକ ବିକାଶମୂଳକ ବାତାବରଣ ତିଆରି କରିବା, ଯେଉଁଠାରେ ଆମେ କେବଳ ନିଯୁକ୍ତି ଖୋଜିବା ନାହିଁ, ବରଂ ନିଯୁକ୍ତିଦାତା ଭାବେ ଉଭା ହେବା । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ସମୟ ପାଇଁ ପ୍ରସ୍ତୁତ ହୋଇ ଓଡ଼ିଆ ଭାବେ ନିଜର ଦାୟିତ୍ୱବୋଧକୁ ଉପସ୍ଥାପନ କରିବାକୁ ପଡ଼ିବ ।"

ଏହା କରିବାକୁ ହେଲେ ଆମକୁ ସାହସୀ ଓ ସ୍ୱାଭିମାନୀ ହେବା ସହ ପୁରୁଷାର୍ଥ ମାଧ୍ୟମରେ ସମୃଦ୍ଧି ଓ ସମ୍ପନ୍ନତା ଆଣିବାକୁ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଉଛି ସାମାଜିକ ଦାୟିତ୍ୱ । କାହାର ଅଧିକାର ସେତେବେଳେ ପୂରା ହୁଏ, ଯେତେବେଳେ କେହି ଦାୟିତ୍ୱ ନିଏ। ପୁଷ୍ଟିକର ଆହାର ଯୋଗାଇ ପୋଷଣ ଅଭାବରୁ ଅପପୁଷ୍ଟିର ଶିକାର ହେଉଥିବା ପିଲାମାନଙ୍କର ଧ୍ୟାନ ନେବା ଦ୍ୱାରା ହିଁ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ହେବ। ଏହିପରି ଭାବେ, ଆମେ ବିକଶିତ ଓଡ଼ିଶା ମାଧ୍ୟମରେ ଏକ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିପାରିବା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ନିକଟରେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟଓ୍ୱାର୍କ(ଜିଏଫଟିଏନ) ସହଯୋଗରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସମ୍ପୂର୍ଣ୍ଣ ସୁଯୋଗ ନେବା ପାଇଁ ‘ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ (I-GFTCH) - ଭାରତନେତ୍ରର ଶୁଭାରମ୍ଭ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ନିଦ ହଜାଇ ଦେଲାଣି ଅପରେସନ୍ 'ବାଲୁବଜ୍ର'; କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବାଲି ମାଫିଆ ରକ୍ତମୁଖା

ଏହି କେନ୍ଦ୍ରର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟା, ରେଗୁଲେସନ ଏବଂ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ତାଲିମ ଦେବା । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆଗକୁ ନେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।


କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ, କର୍ମଚାରୀ, ପ୍ରଶିକ୍ଷକଙ୍କ ସହ କଥା ହୋଇଥିଲେ । ହରପ୍ରିୟା ରେଡ୍ଡୀ, ସୁମନ କୁମାର ସେନାପତି, ବିକାଶ କୁମାର, ଲିଜା ବେହେରା, ଅଭିଜିତ ନାଏକ, ଅଭିଜିତ ସାମନ୍ତରାୟ, ଗଙ୍ଗାଧର ଦାଶ, ଶାଶ୍ୱତ ମହାନ୍ତି ପ୍ରମୁଖ କେନ୍ଦ୍ର ମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଏସଡିଆଇ, ଭୁବନେଶ୍ୱରରେ ଆଲୋଚନା କାର୍ଯ୍ୟକ୍ରମ ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କଠାରୁ ଲ୍ୟାବରେ ପ୍ରସ୍ତୁତ ହୋଇଥିବା ପେନ୍, ଏସଡ଼ିଆଇର ସ୍ମୃତିଚିହ୍ନ ଏବଂ ହାତ ତିଆରି କୁକିଜ୍ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଓସିଏଲ ଆର୍ ଆଣ୍ଡ୍ ଡି’ର ନିର୍ଦ୍ଦେଶକ ଆଲୋକ ଶର୍ମା, ଜିଏଫଟିଏନ, ସିଙ୍ଗାପୁରର ସିଇଓ ଜେମ୍ସ ବୋ, ଏନୟୁଏସର ଆଡଜଣ୍ଟ ପ୍ରଫେସର ଇଲେନ୍ ସୋର,ଏସଡ଼ିଆଇ ଭୁବନେଶ୍ୱରର ସିଇଓ ରଞ୍ଜନ ଭୌମିକ ପ୍ରମୁଖ ଉପସ୍ଥିତ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan: Youth Must Become Job Creators, Not Job Seekers | Argus News | Argus News