Crime In Odisha / ମାସେ ପରେ ମିଳିଲା ପୁଷ୍ପର କଙ୍କାଳ, ଦାଦନ ଖଟିବାକୁ ଯାଇ ଘରକୁ ଫେରିଲାନି

Key Points
ବାପାମାଆ ଆଶା ରଖିଥିଲେ ପୁଅ ଟଙ୍କା ପଠାଇବ, ପରିବାର ଖୁସିରେ ଚଳିବ । କିନ୍ତୁ ପୁଅ ଗଲା ଯେ ଗଲା କିନ୍ତୁ ଫୋନ୍ ଲାଗିଲା ନାହିଁ । ସେପଟେ ଦାଦନ ଖଟିବାକୁ ଆନ୍ଧ୍ରକୁ ଡାକି ନେଇଥିବା ଲୋକ ଆସି ପୁଅର ବ୍ୟାଗ୍ ଫେରାଇ ଦେଲା ।
ଝରିଗାଁ (ନବରଙ୍ଗପୁର): ପୁଅ ଯାଇଥିଲା ଦାଦନ । ବାପାମାଆ ଆଶା ରଖିଥିଲେ ପୁଅ ଟଙ୍କା ପଠାଇବ, ପରିବାର ଖୁସିରେ ଚଳିବ । କିନ୍ତୁ ପୁଅ ଗଲା ଯେ ଗଲା କିନ୍ତୁ ଫୋନ୍ ଲାଗିଲା ନାହିଁ । ସେପଟେ ଦାଦନ ଖଟିବାକୁ ଆନ୍ଧ୍ରକୁ ଡାକି ନେଇଥିବା ଲୋକ ଆସି ପୁଅର ବ୍ୟାଗ୍ ଫେରାଇ ଦେଲା । ଆଉ ନିଖୋଜର ମାସକ ପରେ ମିଳିଛି ପୁଅର କଙ୍କାଳ ।
ଚାଞ୍ଚଲ୍ୟ କଲା ଭଳି ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ । ନିଖୋଜର ମାସକ ପରେ କଙ୍କାଳ ମିଳିଛି ଘର ଠାରୁ ୧ କିଲୋମିଟର ଦୂର ପାହାଡ଼ରୁ । ଷଣ୍ଢସା ଭେଲୁଆଗୁଡ଼ା ଗାଁ ନିକଟ ଶୁଆଡଙ୍ଗର ପାହାଡ଼ରେ କଙ୍କାଳ ଏଣେତେଣେ ପଡ଼ିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ଦୁଇ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଅଜବ ମଣିଷ ! ଜଜ୍ଙ୍କ ଆଗରେ ଅର୍ଦ୍ଧ ନଗ୍ନ ହୋଇ ବସିଲେ, ହାତରେ ମଦ ଗ୍ଲାସ ଓଠରେ ସିଗାରେଟ୍...
ମୃତକ ହେଉଛନ୍ତି ଭେଲୁଆଗୁଡ଼ା ଗାଁର ପୁଷ୍ପ ଗୌଡ଼ । ପୁଷ୍ପଙ୍କ ବାପା ସନଧର କହିଛନ୍ତି, "ସେପ୍ଟେମ୍ବର ୭ ତାରିଖରେ ପୁଷ୍ପ ନିଜ ଲୁଗାପଟା ବ୍ୟାଗରେ ନେଇ ଆନ୍ଧ୍ର ଯିବାକୁ ପିପାଲଗୁଡ଼ା ଗାଁର ବଳି ସାଆଁନ୍ତାଙ୍କ ଘରକୁ ଯାଇଥିଲା । କିନ୍ତୁ ତା'ପରଦିନ ୮ ତାରିଖରେ ପୁଷ୍ପର ବ୍ୟାଗ୍ ଫେରାଇ ଦେଇଥିଲେ ବଳି । କହିଥିଲେ ପୁଷ୍ପ କେଉଁ ଆଡ଼େ ପଳାଇଛି ।"
📱 Get Argus News App
✨
ଏହା ପରେ ସନଧର ପୁଅକୁ ଚାରି ଆଡ଼େ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ପୁଷ୍ପକୁ ନ ପାଇ ସବୁଆଡ଼ୁ ନିରାଶ ହେବା ପରେ ସେପ୍ଟେମ୍ବର ୧୫ରେ ନିଖୋଜ ନେଇ ଏତଲା ଦେଇଥିଲେ । ଆଉ ଶନିବାର ଗାଁ ନିକଟ ଶୁଆ ଡଙ୍ଗର ପାହାଡ଼ରୁ କଙ୍କାଳ ସହ ପୁଷ୍ପ ପିନ୍ଧି ଯାଇଥିବା ପ୍ୟାଣ୍ଟ ଓ ସାର୍ଟ ମିଳିଛି । ପୁଷ୍ପକୁ ଦାଦନ ଖଟିବାକୁ ଡାକି ନେଇଥିବା ବଳିଙ୍କ ସହ ସାଇବଙ୍କ ନାଁରେ ଏତଲା ଦେଇଛନ୍ତି ।
ଝରିଗାଁ ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି କଙ୍କାଳକୁ ଜବତ କରିଛି । ପୁଷ୍ପକୁ ହତ୍ୟା କରାଯାଇଛି କି ? ଯଦି ହଁ, ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ହତ୍ୟା କଲା ? ବଳି ଓ ସାଇବଙ୍କ ସମ୍ପୃକ୍ତି ରହିଛି କି ? ବିଭିନ୍ନ ଦିଗକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
Related Topics
Explore more stories