ବାହାରୁ ଚକଚକ୍, ଭିତର ଫାଙ୍କା

ଅର୍ଗସ ବ୍ୟୁରୋ: ବରଗଡ଼ ବାସୀଙ୍କ ବିଶ୍ୱାସରେ ବିଷ। ଉପରୁ ଚକ୍ ଚକ୍ ଦେଖାଯାଉଥିବା ବରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଭିତର ଅବସ୍ଥା ଟିକେ ଦେଖନ୍ତୁ। ଏହାକୁ ହିଁ କୁହାଯାଏ ବିଶ୍ୱସ୍ତରୀୟ ଚିକିତ୍ସା ସେବା। ମୋବାଇଲ ଫୋନର ଫ୍ଲାସ୍ ଲାଇଟରେ କରାଯାଉଛି ରୋଗୀ ଚିକିତ୍ସା। ଏତେବଡ଼ ହସପିଟାଲରେ ସବୁ ଥାଇ ବି ରୋଗୀଙ୍କ ସେବାରେ ଆସୁନି। ପାୱାର ବ୍ୟାକଅପ୍ ପାଇଁ ଜେନେରେଟର ଅଛି କିନ୍ତୁ ଅଚଳ। 7 ମହଲା ବିଶିଷ୍ଟ ହସପିଟାଲରେ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଲାଗିଛି ଲିଫ୍ଟ। କିନ୍ତୁ ଏହାବି ଅଚଳ।
ଦେଖନ୍ତୁ ଏହି ଦୃଶ୍ୟକୁ। ବାହାରୁ ରଙ୍ଗ ବୋଳା ହୋଇ ଚକଚକ କରୁଥିବା ଏହି ୭ ମହଲା ବିଶିଷ୍ଟ କୋଠାକୁ। କୋଟି କୋଟି ଟଙ୍କାରେ ନିର୍ମିତ ଏହି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଉପରେ ପଡୋଶୀ ଛତିଶଗଡ଼ ରାଜ୍ୟ, ସୋନପୁର, ବଲାଙ୍ଗୀର ସହ ପାଖଆଖ ଜିଲ୍ଲାର ହଜାର ହଜାର ଲୋକେ ଚିକିତ୍ସା ସେବା ପାଇଁ ନିର୍ଭର କରନ୍ତି। କିନ୍ତୁ ହସ୍ପିଟାଲ ଭିତରୁ ଆସୁଛି ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା।
କେତେବେଳେ ହସ୍ପିଟାଲ ଭିତରକୁ ସାପ ପଶି ଆସୁଛି ତ କେତେବେଳେ ଚିକିତ୍ସା ସେବା ନପାଇ ମା ଓ ଶିଶୁର ମୃତ୍ୟୁ ହେଉଛି ତ କେତେବେଳେ ଡାକ୍ତର, ନର୍ସଙ୍କ ଅବହେଳାରୁ ରୋଗୀଙ୍କ ଜୀବନ ଚାଲି ଯାଉଛି।ଠିକ ଚିକିତ୍ସା ଚାଲିଥିବା ସମୟରେ ଇଲେକ୍ଟ୍ରି ଚାଲିଯାଉଛି ଓ ମୋବାଇଲ ଟର୍ଚ୍ଚ ଲାଇଟର ଭରସାରେ ଏଠି ଚାଲିଛି ଅନ୍ଧାରି ଚିକିତ୍ସା। ଲିଫ୍ଟ ଅଛି କିନ୍ତୁ ଚାଲୁନାହିଁ, ବିଦ୍ୟୁତ ସେବା ପାଇଁ ଉପଯୁକ୍ତ ଜେନେରେଟରର ବ୍ୟବସ୍ଥା ନାହିଁ। ଯତଦ୍ୱାରା ରୋଗୀ ଓ ରୋଗୀଙ୍କ ପରିଜନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁ ଜାଣିଶୁଣି ଚୁପ ବସିଛନ୍ତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର। ହସ୍ପିଟାଲରେ ଥିବା ବିଭିନ୍ନ ଅବ୍ୟବସ୍ଥା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ପ୍ରଥମେ ବିଜେପୁର ଓ ପରେ ପଦ୍ମପୁର। ପ୍ରତିଶୃତି ଉପରେ ପ୍ରତିଶୃତି। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଅନେକ ଥର ବରଗଡ଼ ଜିଲ୍ଲାକୁ ଆସି ବରଗଡ଼ ଜିଲ୍ଲାର ଦାୟିତ୍ୱ ମୋର ବୋଲି କହିଥିଲେ। ଏହି ହସ୍ପିଟାଲକୁ ନିଜେ ମୁଖ୍ୟମନ୍ତ୍ରୀ ଉତଘାଟନ କରି ଲୋକଙ୍କୁ ଉଚିତ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ। ହେଲେ ପ୍ରତିଶୃତି ଦେଇ ମୁଖ୍ୟମନ୍ତ୍ରୀ କଲେ କପଟ, ଚିକିତ୍ସା ସେବା ନପାଇ ରୋଗୀ ଛଟପଟ। ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ୱ ନେଇଥିବା ଜିଲ୍ଲାରେ ଏଭଳି ସମସ୍ୟାକୁ ଲୋକେ ପ୍ରତ୍ୟେହ ସମ୍ମୁଖୀନ କରୁଥିବା ବେଳେ ଅନ୍ୟ ଜିଲ୍ଲାରେ ସ୍ଥିତି ଏଥିରୁ ସ୍ପଷ୍ଟ ଜଣାପଡୁଛି। ଚିକିତ୍ସା ବ୍ୟବସ୍ଥା ନାଁ ରେ କୋଟି କୋଟି ଟଙ୍କାର ଯୋଜନା କରି ସରକାର ଖର୍ଚ୍ଚ କରୁଥିବା ସତ୍ୱେ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।
📱 Get Argus News App
✨ବରଗଡ଼ ଟାଉନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି କାହିଁକି ଓ କାହା ସ୍ୱାର୍ଥରେ ୧୨ କିଲୋମିଟର ଦୂରତାରେ ସ୍ଥାପନ କରି ଲୋକଙ୍କୁ ହଇରାଣ କରାଯାଉଛି ବୋଲି ବିଜେପି ଜିଲ୍ଲା ସଭାପତି ପ୍ରଶ୍ନ କରିଛନ୍ତି। କେବେ ସୁଧୀରବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା? କେବେ ଅଞ୍ଚଳବାସୀ ପାଇବେ ଉଚିତ ଚିକିତ୍ସା ସୁବିଧା ତା ଉପରେ ସମସ୍ତଙ୍କ ନଜର।
ଅଧିକ ପଢ଼ନ୍ତୁ ଓଡିଶା ଖବର: