Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହିଁ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା

Manini Pattanayak
Browse all articles by Manini Pattanayak
·2 years ago·2 min read
ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହିଁ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା

ଭୁବନେଶ୍ୱର: ଏଥର ବିଜେପି-ବିଜେଡି ଆର୍ ପାର୍ ଲଢ଼େଇ । ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହିଁ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା । ଓଡ଼ିଶାର ଗୌରବ, ଓଡ଼ିଆ ଅସ୍ମିତାର ସୁରକ୍ଷାରେ ବିଫଳ ବିଜେଡି ସରକାର । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ କଡ଼ା ଆଭିମୁଖ୍ୟ । ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି । ସମସ୍ତ 21 ଲୋକସଭା ଓ 147 ବିଧାନସଭା ଆସନରେ ପ୍ରାର୍ଥୀ ଦେବ ଦଳ ।  ଇଏ ରାଜ୍ୟ ବିଜେପି ସଭାପତିଙ୍କ ସେହି ସୋସିଆଲ୍ ମିଡିଆ ପୋଷ୍ଟ ଯାହା ପରେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାର ହୋଇଛି ଅବସାନ ।

ମନମୋହନ ସାମଲ ଲେଖିଛନ୍ତି ଓଡ଼ିଶାର ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା। କେନ୍ଦ୍ର ଦେଉଥିବା ସୁବିଧାରୁ ବଞ୍ଚିତ ହେଉଛନ୍ତି ଓଡ଼ିଶାବାସୀ। ଏ ବାଟରେ ପ୍ରତିବନ୍ଧକ ସାଜିଛନ୍ତି ବିଜେଡି ସରକାର । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶାସକ ଦଳକୁ ବିରୋଧ କରିବା ସହ ପ୍ରତିବାଦ କରିଆସୁଛି ବିଜେପି । ଡବଲ ଇଞ୍ଜିନ ସରକାର ଥିବା ଦେଶର ସବୁ ରାଜ୍ୟରେ ତ୍ବରାନ୍ବିତ ହେଉଛି ବିକାଶ ଓ ଗରିବ କଲ୍ୟାଣ କାର୍ଯ୍ୟ । ସବୁକ୍ଷେତ୍ରରେ ଅଗ୍ରଗତି କରୁଛନ୍ତି ସମ୍ପୃକ୍ତ ରାଜ୍ୟ । କିନ୍ତୁ ପଛରେ ପଡ଼ିଛି ଓଡ଼ିଶା। ମନମୋହନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାର ସମସ୍ତ 21 ଲୋକସଭା ଓ 147 ବିଧାନସଭା ଆସନରେ ଏକାକୀ ଲଢ଼ିବ ବିଜେପି। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆଶା, ଅଭିଳାଷା ଓ ଆକାଂକ୍ଷା ପୂରଣ କରିବ ମୋଦି ଗ୍ୟାରେଣ୍ଟି ।  ଏକ୍ସ ପୋଷ୍ଟରେ ମନମୋହନ ଉଠାଇଛନ୍ତି ଓଡ଼ିଶାର ଗୌରବ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗ। ଦୀର୍ଘ ଦିନ ଧରି ଏହାକୁ ନେଇ ସ୍ବର ଉଠାଇ ଆସୁଛି ବିଜେପି । ପ୍ରଶାସକରୁ ରାଜନେତା ପାଲଟିଥିବା ଭି. କେ ପାଣ୍ଡିଆନ ଏବେ ପାଲଟିଛନ୍ତି ଶାସକ ଦଳ ଓ ରାଜ୍ୟ ଶାସନ କଳର ସର୍ବେସର୍ବା । ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣକୁ ନେଇ ରାଜ୍ୟର ଶାସନ ଓ ପ୍ରଶାସନକୁ ମନଇଚ୍ଛା ଚଳାଉଛନ୍ତି ଭି.କେ ପାଣ୍ଡିଆନ। ଜଣେ ଅଣଓଡ଼ିଆଙ୍କ ଆଗରେ ଆତ୍ମ ସମର୍ପଣ କରିଛନ୍ତି ବିଜେଡିର ତଳୁ ଉପର ଯାଏଁ ସବୁ ନେତା। 

ବିଜେଡି ସରକାରଙ୍କ ବିଫଳତା ଓ ଅପାରଗତା ଯୋଗୁଁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚି ପାରୁନାହିଁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା। ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ କରାଯାଉଛି ବ୍ୟାପକ ପାତର ଅନ୍ତର। ପୁଣି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ବିଜେଡି ସରକାର। କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ବେ ଓଡ଼ିଶା ସରକାର ଲାଗୁ କରୁନାହାନ୍ତି ଆୟୁଷ୍ମାନ ଭାରତ ଯୋଜନା। ଯାହା ଫଳରେ ବାହାର ରାଜ୍ୟରେ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି ବହୁ ସଂଖ୍ୟାରେ ଓଡ଼ିଆ। କେନ୍ଦ୍ର ସରକାରଙ୍କ ଭରପୁର ଅନୁଦାନ ସତ୍ବେ ରାଜ୍ୟର ସଂଖ୍ୟାଧିକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର। ଏ ସବୁ କାରଣ ପାଇଁ ବିଜେପି ଆହ୍ବାନ ଦେଇଛି ବିଜେପିର ଡବଲ୍ ଇଞ୍ଜିନ ସରକାର ହେଲେ ହିଁ ପ୍ରକୃତରେ ହୋଇପାରିବ ଓଡ଼ିଶାର ବିକାଶ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Sponsored
Modi's social welfare scheme is not reaching the grass root level | Argus News