ମୋଦିଙ୍କ କଡ଼ା ଆଭିମୁଖ୍ୟରେ ଶେଷ ହେବ କି ନବୀନଙ୍କ ରାଜତ୍ବ ?

ଅର୍ଗସ ବ୍ୟୁରୋ: ବିଜେପିର ସେଣ୍ଟ୍ରାଲ ଲିଡରସିପ୍ ନଜରରେ ଓଡ଼ିଶା । 19 ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 19 ତାରିଖ ସନ୍ଧ୍ୟା 7ଟାରେ ଭୁବନେଶ୍ଵରରେ ପହଞ୍ଚିବେ ମୋଦି । ପରେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ପାଖାପାଖି 1 ଘଣ୍ଟା ଯାଏଁ ନିର୍ବାଚନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ ମୋଦି । 20 ତାରିଖ ସକାଳେ ପୁରୀ ଯାଇ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ତାପରେ ପୁରୀ ବଡ଼ଦାଣ୍ଡରେ ମେଗା ରୋଡ ସୋ କରିବେ । ଏହାପରେ ଅନୁଗୁଳ ଓ କଟକରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।
ଗତଥର ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ସିଧାସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟକୁ ନେଇଥିଲେ । ନବୀନ ସରକାରର ଏକ୍ସପାଏରୀ ଡେଟ୍ ସେଟ୍ କରିଥିଲେ ପିଏମ୍ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ହେଉ କି ଓଡ଼ିଆ ଅସ୍ମିତା । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଲୋକ କାହିଁକି ଗରିବ କହି ସିଧାସିଧା ୨୫ ବର୍ଷର ନବୀନ ସରକାରକୁ କାଠଗଡ଼ାରେ ଛିଡ଼ା କରିଥିଲେ ପିଏମ୍ । ମୋଦିଙ୍କ ପରିବର୍ତ୍ତିତ ଅନ୍ଦାଜ ବିଜେପି କର୍ମୀଙ୍କ ଭିତରେ ଜୋଶ୍ ଭରିଥିବା ବେଳେ ଏଥର ମୋଦି କଣ କହିବେ ତାହା ଉପରେ ସାରା ଓଡ଼ିଶାର ନଜର ରହିଛି । ପ୍ରଧାନମନ୍ତ୍ରୀଙ୍କ ଶାଣିତ ଆକ୍ରମଣ ପରେ ବିଜେପି ମଧ୍ୟ ଫୁଲ୍ ଦମରେ ଲୋକସଭା ସହ ବିଧାସଭାରେ ବହୁମତ ହାସଲ ପାଇଁ ତୟାରୀ ଚଳାଇଛି । ପ୍ରଧାନମନ୍ତ୍ରୀ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବା ନେଇ ଯେଉଁ ଦମ୍ଭୋକ୍ତି ଭରିଛନ୍ତି, ସେହି ଲକ୍ଷ୍ୟ ପୂରଣ ପାଇଁ ବିଜେପି ନେତାକର୍ମୀ ଦିନରାତି ଏକାକାର କରିଛନ୍ତି ।
ମୋଦି ହେଉଛନ୍ତି ୧୦ ବର୍ଷର ପିଏମ୍ ଓ ୧୫ ବର୍ଷର ସିଏମ୍ । ଏହା ପରେ ବି ତାଙ୍କର ଲୋକପ୍ରିୟତା ଆକାଶ ଛୁଉଁଛି । ଏପଟେ ୨୫ ବର୍ଷ ସିଏମ୍ ନବୀନଙ୍କ ଲୋକପ୍ରିୟତା ଦିନକୁ ଦିନ ନିମ୍ନମୁହାଁ । ତେଣୁ ମୋଦିଙ୍କ କଡ଼ା ଆଭିମୁଖ୍ୟ ଏବେ ବିଜେଡି ଛାତିରେ ବି ଛନକା ଭରିଥିବା ବେଳେ, ନବୀନଙ୍କ ରାଜତ୍ବ ମଧ୍ୟ ଏଇଥର ଶେଷ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର