ସେପ୍ଟେମ୍ବରରୁ ମୋହନ ସରକାରଙ୍କ ନିଯୁକ୍ତି ମେଳା

ଅର୍ଗସ ବ୍ୟୁରୋ : ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ସରକାର । ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ମାସରେ ନିଯୁକ୍ତି ମେଳା ଆୟୋଜନ କରି ସରକାର ନିଯୁକ୍ତିପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ଖାଲି ପଡ଼ିଥିବା ପଦବିକୁ ଦୃଷ୍ଟିରେ ରଖି ବିଜ୍ଞାପନ ଜାରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେମ୍ବର ମାସରେ ନିଯୁକ୍ତି ମେଳାରେ ବିଭିନ୍ନ ବର୍ଗର ୯୭ ହଜାର ପଦବିର ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ରାଜ୍ୟରେ ଭାଙ୍ଗୁଛି ବେଆଇନ ମଦ କାରବାରର ସାମ୍ରାଜ୍ୟ
ନିଯୁକ୍ତି ମେଳା ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିବେ ସରକାର। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବା ନେଇ ନିଷ୍ପତି ହୋଇଛି। ପ୍ରଥମ ନିଯୁକ୍ତି ମେଳାରେ ନିକଟରେ ବିଜ୍ଞପ୍ତି ପାଇଥିବା ୧୮ ହଜାର କନିଷ୍ଠ ଶିକ୍ଷକଙ୍କ ସହ ଅନ୍ୟ ବିଭାଗର ମୋଟ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବ । ଖାଲି ଥିବା ପଦବୀ ସ୍ଥାନରେ ନିଯୁକ୍ତି ଦେବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି। କମିଟିର ଅନୁମୋଦନ ପରେ ପର୍ଯ୍ୟାୟ କ୍ରମେ ନିଯୁକ୍ତି ପତ୍ର ବାଣ୍ଟିବେ ସରକାର।