ବେଆଇନ ମଦ କାରବାର ବିରୋଧରେ ମୋହନ ସରକାରଙ୍କ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ମଦ ମାଫିଆଙ୍କୁ ଆଉ ମାଫ୍ ନାହିଁ। ଘନ ଘନ ଚଢ଼ାଉ, ମାଟିରେ ମିଶୁଛି ମଦ ଭାଟି, ଜେଲରେ ପଶୁଛନ୍ତି ଅପରାଧୀ । ରାଜ୍ୟରେ ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗୁଛି। ଅଗଷ୍ଟ 20 ତାରିଖରୁ ଆରମ୍ଭ ହୋଇଥିଲା ମଦ ବିରୋଧୀ ଅଭିଯାନ। ମାତ୍ର 15 ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ 1443ଟି ବେଆଇନ ମଦ ଭାଟି ଉପରେ ଚଢ଼ାଉ ହେବା ସହ 10ରୁ ଅଧିକ ଭାଟିକୁ ସମ୍ପୂର୍ଣ୍ଣ ଧୂଳିସାତ କରିଛି ମୋହନ ସରକାରଙ୍କ ବୁଲଡୋଜର। କେବଳ ରାଜଧାନୀ ଭୁବନେଶ୍ବରରେ ୫୧ଟି ବେଆଇନ ମଦ ଭାଟି ନଷ୍ଟ କରାଯାଇଛି । ମଙ୍ଗଳବାର ସୁଦ୍ଧା ବେଆଇନ ମଦ କାରବାର ନେଇ 3618ଟି ମାମଲା ରୁଜୁ ହେବା ସହ 1957ଜଣଙ୍କୁ ଗିରଫ କରାଯାଇଛି I 1ଲକ୍ଷ 83ହଜାର 669ଲିଟର ବେଆଇନ ମଦ ଓ 17ଲକ୍ଷ 26ହଜାର 509 କେଜି ମଦ ସାମଗ୍ରୀ ଜବତ ହୋଇଛି । ବେଆଇନ କାର୍ଯ୍ୟରେ ବ୍ୟବହୃତ 183ଟି ଗାଡ଼ି ଜବତ କରିଛି ଅବକାରୀ ବିଭାଗ।
ବିଜେଡିର 24 ବର୍ଷର ଶାସନରେ ସାରା ଓଡ଼ିଶାରେ ଚାଲିଥିଲା ବେଆଇନ ମଦ ସାମ୍ରାଜ୍ୟ। ଗାଁ ଗାଁରେ ହେଉଥିଲା ଦେଶୀ ମଦର ବନ୍ୟା। ଯାହାର ଫଳ ହେଲା ରାଜ୍ୟରେ ଗତ 30 ବର୍ଷ ଭିତରେ ବିଷାକ୍ତ ମଦ ପିଇ 231 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ଚିକିଟିରେ ଯାଇଛି 5 ଜଣଙ୍କର ଜୀବନ। ମଦ କାରବାରର ପୃଷ୍ଠପୋଷକ ପାଲଟିଥିଲେ ବିଜେଡି ନେତା ଓ କର୍ମୀ। ଏହା ପାଲଟିଥିଲା ବିଜେଡି ହାତପାଣ୍ଠିର ଯୋଗାଡ଼ର ମୁଖ୍ୟ ଉତ୍ସ। ଯାହାର ପ୍ରମାଣ ହେଉଛି କିଛି ମାସ ପୂର୍ବରୁ ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଥିବା ମଦ ବ୍ୟବସାୟୀ ଧୀରଜ ସାହୁଙ୍କର ଶହ ଶହ କୋଟି ଟଙ୍କା। ଏବେ ବଦଳିଛି ସମୟ । ରାଜ୍ୟରେ ବିଜେପି ସରକାର ହେବା ପରେ ମଦ ମାଫିଆଙ୍କ ବିରୋଧରେ ହେଉଛି ଜୋରଦାର ଆକ୍ସନ୍। ପୂର୍ବରୁ ମଦ ଭାଟି ଭାଙ୍ଗୁଥିଲେ ମହିଳା, ଏବେ ସେହି କାମ କରୁଛନ୍ତି ଲୋକଙ୍କ ସରକାର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର