ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡିଶାକୁ ସ୍ପର୍ଶ କରିବ...

ଅର୍ଗସ ବ୍ୟୁରୋ: ୩ରୁ ୪ଦିନରେ ଓଡିଶା ଛୁଇଁବ ମୌସୁମୀ। ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡିଶାକୁ ସ୍ପର୍ଶ କରିବ। ଦକ୍ଷିଣ ଓଡିଶା ପରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ମୌସୁମୀ। ଓଡିଶାରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ଓଡିଶା ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଯେଉଁଭଳି ଭାବରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି, ମୌସୁମୀ ବାୟୁ ପ୍ରବେଶ ପରେ ରାଜ୍ୟରେ ଆଶ୍ୱସ୍ତି ମିଳିବ।ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଛୁଇଁଥାଏ। ଗତବର୍ଷ ଜୁନ ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ବେଳେ ଚଳିତବର୍ଷ ଆଇଏମ୍ଡି ର ଆକଳନ ଅନୁସାରେ ନିର୍ଦ୍ଧାରିତ ସମୟ ଅନୁସାରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି।
ଅନ୍ୟପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଆସନ୍ତା ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା।ଆସନ୍ତା ୬ ତାରିଖରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲା ଅର୍ଥାତ୍ ଯାଜପୁର,ବାଲେଶ୍ଵର,ଭଦ୍ରକ, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର,ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର, ମାଲକାନାଗିରି, ସୋନପୁର, ବୌଦ୍ଧ,ନୂଆପଡ଼ା, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ବରଗଡ଼ ରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଗତକାଲି ରାଜ୍ୟର ୪ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଉପରେ ରହିଛି। ନୂଆପଡ଼ାରେ ଦିନ ତାପମାତ୍ରା ସବୁଠୁ ଅଧିକ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବରଗଡ଼ ୪୧.୭, ଟିଟିଲାଗଡ଼ ୪୨, ସୁବର୍ଣ୍ଣପୁର ୪୦.୮, ବଲାଙ୍ଗିର ୪୨ ଏବଂ ଭବାନୀପାଟଣାରେ ୪୦.୫ ଡିଗ୍ରୀ ରହିଛି। ଭୁବନେଶ୍ବରରେ ୩୮.୪ଡିଗ୍ରୀ ଏବଂ କଟକରେ ୩୮.୨ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିବା ଜଣାପଡ଼ିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତା ୨ଦିନ କିଛି ଜିଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: