Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

Odisha

Nabajaubana Darshan / ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼
Lord Jagannath

Key Points

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ
ଅନବସର ଶେଷ ପରେ ଚମକିବ କଳା ଶ୍ରୀଅଙ୍ଗ
ଅପରାହ୍ନ ୨ଟାରେ ଫିଟିବ ଅଣସର ତାଟି
୧୫ ଦିନର ଅନବସର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୯ଟାରେ ଦତ୍ତ ମହାପାତ୍ର ସେବକ ରାଜନଅରକୁ 'ଖଡ଼ି ପ୍ରସାଦ' ବିଜେ କରାଇବେ । ଏହାପରେ ବନକଲାଗି ନୀତି ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଚମକିବ । ଅପରାହ୍ନ ୧୨ଟା ପରେ ଚକା ଅପସର ଏବଂ ୧ଟା ୩୦ରେ ଦଶ ଅବତାର ଠାକୁରଙ୍କ ବାହୁଡ଼ା ବିଜେ ନୀତି ହେବ ।

ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ଅପରାହ୍ନ ୨:୩୦ ରୁ ୩:୩୦ ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଏବଂ ଏହାପରେ ଆଉ ଘଣ୍ଟାଏ ଅର୍ଥାତ୍ ଅପରାହ୍ନ ୩:୩୦ ରୁ ୪:୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ସମୟ ସ୍ଥିର କରାଯାଇଛି ।

ସେପଟେ ରଥଯାତ୍ରା ଯେତିକି ପାଖେଇ ଆସୁଛି, ପୁରୀ ରଥଖଳା ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ୮୫ ଦିନରେ ପ୍ରାୟ ୨୪୦ରୁ ଊର୍ଦ୍ଧ୍ୱ ରଥ ନିର୍ମାଣ ସେବକଙ୍କ ଦିନରାତି ପରିଶ୍ରମରେ ରଥ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥରେ 'ପ୍ରଭା' ସଂସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ସେପଟେ ଦରଜୀ ସେବକଙ୍କ କନା ସିଲାଇ କାମ ପ୍ରାୟ ଶେଷ ହୋଇଥିବା ବେଳେ, କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ରଥରେ କନା ପକାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଅପରପକ୍ଷେ, ଚିତ୍ରକାର ସେବକମାନେ ତିନି ରଥର ବାହ୍ୟ ଅଂଶରେ ରଙ୍ଗ କାମର ଶେଷ ସ୍ପର୍ଶ ଦେଉଛନ୍ତି । ରଥର ଘୋଡ଼ାଗୁଡ଼ିକର ରଙ୍ଗ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ସାରଥିଙ୍କ ରଙ୍ଗ କାମ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ।

ସେହିପରି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସାକ୍ଷାତକାର ସମୟରେ ରଥଯାତ୍ରାର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ସେବାୟତମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ମିଳିତ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷର ରଥଯାତ୍ରା ଯେପରି ପ୍ରତ୍ୟେକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ, ସୁଗମ ଏବଂ ଆନନ୍ଦଦାୟକ ହେବ, ସେଥିପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored