ଲୋକସଭା ପରେ ରାଜ୍ୟସଭା ହାତରୁ ଖସୁଥିବାରୁ ଚିନ୍ତାରେ ନବୀନ

ଭୁବନେଶ୍ୱର: ଲୋକସଭା ପରେ ରାଜ୍ୟସଭା ହାତରୁ ଖସୁଥିବାରୁ ଚିନ୍ତାରେ ନବୀନ । ବୁଡୁଥିବା ଡ଼ଙ୍ଗାର ମଙ୍ଗ ସମ୍ଭାଳିବାକୁ ନିଜେ ବାହାରକୁ ବାହାରିଲେ ମୁଖିଆ । ଗ୍ରାଉଣ୍ଡକୁ ଓହ୍ଲାଇ କର୍ମୀଙ୍କ ମନୋବଳ ବଢାଇବାକୁ ଉଦ୍ୟମ । ୨୪ ବର୍ଷ ପରେ ପ୍ରଥମ ଥର ଗଣେଶ ପୂଜା ମଣ୍ଡପ ବୁଲିଲେ ଓ ଲୋକଙ୍କ ସହ ମିଶିଲେ । ନିର୍ବାଚନ ବେଳେ 6 ମାସରେ ଧମାକା ହେବ କହିଥିଲେ ମୋଦି । ରାଜନୈତିକ ଚର୍ଚ୍ଚା, ଇଏ ତାର ପୂର୍ବ ସଙ୍କେତ । ୨୦୧୪ ରେ ଲୋକସଭାରେ ବିଜେଡିର ସଂଖ୍ୟା ଥିଲା ୨୦ ଯାହାକି ୨୦୧୯ ରେ ଖସି ୧୨ ରେ ପହଁଚିଥିଲା । କିନ୍ତୁ ୨୦୨୪ ନିର୍ବାଚନରେ ଚିତପଟାଙ୍ଗ ମାରିଲା ଦଳ । ଲୋକସଭାରୁ ମୂଳପୋଛ ହେଇଗଲା ବିଜେଡି । ଆଉ ଏବେ ନିର୍ବାଚନର ୪ ମାସ ମଧ୍ୟରେ ଦୁଇ ରାଜ୍ୟସଭା ଆସନ ବି ଦଳ ହାତରୁ ଖସିଗଲାଣି । ଫଳରେ ରାଜ୍ୟସଭାରେ ବିଜେଡି ୯ ରୁ ୭ ଖସି ଆସିଛି । ଚର୍ଚ୍ଚା ହେଉଛି ଆଗକୁ ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେଡି ଶିବିର ଛାଡି ପାରନ୍ତି ।
ଦଳର ଏଭଳି ସ୍ଥିତି ମୁଖିଆଙ୍କ ଚିନ୍ତା ବଢ଼ାଇଛି । ନେତୃତ୍ୱ ପ୍ରତି ନେତାଙ୍କ ତୁଟୁଥିବା ଆସ୍ଥା ଏବଂ ପରାଜୟ ପରେ ଭାଙ୍ଗିପଡ଼ିଥିବା କର୍ମୀଙ୍କ ମନୋବଳ ବଢାଇବା ଲାଗି ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ରାଜଧାନୀର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିବା ସହ ଲୋକଙ୍କ ଗହଣକୁ ଓହ୍ଲାଇଛନ୍ତି । କେବଳ ସେତିକି ନୁହେଁ ନଭେମ୍ବରରୁ ପାଣ୍ଡିଆନ କି ବବି ନୁହେଁ ନିଜେ ନବୀନ ଜିଲ୍ଲା ବୁଲିବେ ବୋଲି କରିଛନ୍ତି ଘୋଷଣା । ଯାହାକୁ ନେଇ ବିଜେପି କହିଛି ୨୪ ବର୍ଷ ହେବ ଲୋକେ ମୁଖ୍ୟମନ୍ତ୍ରୀ କରିଥିଲେ ବି ଦିନୁଟେ ସାଧାରଣ ଲୋକଙ୍କ ଦୁଃଖ ଶୁଣିବା ପାଇଁ ସମୟ ନଥିଲା । ସବୁବେଳେ ନବୀନ ନିବାସ ଭିତରେ ଜଣେ ପ୍ରଭାବଶାଳୀ ଲୋକଙ୍କ ଆଢୁଆଳରେ ରହୁଥିବା ନବୀନ ମେଳାପୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖି ବାହାରକୁ ବାହାରିବାକୁ ବାଧ୍ୟ ହୋଇଛନ୍ତି । ଯାହାର ଜବାବ ରଖିଛି ବିଜେଡି । ସେପଟେ କେବଳ ଶୀର୍ଷ ସ୍ତରରେ ନୁହେଁ ତୃଣ ମୂଳ ସ୍ତରରେ ବି ସ୍ଥିତି ସାଙ୍ଘାତିକ । ପ୍ରତିଦିନ ସଂଖ୍ୟାଧିକ ତୃଣମୂଳ ସ୍ତରର ନେତା ଓ କର୍ମୀ ଦଳ ଛାଡିବା ଆରମ୍ଭ କରିଛନ୍ତି । ପରାଜୟ ପରେ ଦଳକୁ ସଂଗଠିତ କରିବାର ସବୁ ଫର୍ମୁଲା ଫେଲ ମାରିଛି । ଶନିବାର ରାୟଗଡା ଜିଲ୍ଲାର ପୁର୍ବତନ ବିଜେଡି ବିଧାୟକ ବିଭିଷଣ ମାଝୀ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲା ବିଜେଡି ଉପ ସଭାପତି ରଜନୀକାନ୍ତ ପଟ୍ଟନାୟକ ମଧ୍ୟ ବିଜେଡ଼ି ଶିବିର କୁ କରିଛନ୍ତି ବାଏ ବାଏ । ସବୁଠୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି ନବୀନଙ୍କ ନିଜ ଗଡ଼ ହିଂଜିଳିରେ । ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ସଂଖ୍ୟାଧିକ ବିଜେଡି କର୍ମୀ ଦଳ ଛାଡି ବିଜେପିରେ ନିକଟରେ ସାମିଲ ହୋଇଥିଲେ ।
୨୪ ବର୍ଷ ହେବ ନବୀନ ନିଜ ନିବାସ ଛାଡି ବେଶୀ କୁଆଡେ ବାହାରକୁ ବାହାରନ୍ତି ନାହିଁ କି ତାଙ୍କୁ ଦେଖା କରିବା ସାଧାରଣ ଲୋକଙ୍କ ପାଇଁ ଏତେ ସହଜ ନଥିଲା । ଏପରିକି ନିଜ ଦଳର କର୍ମୀ ଓ ନେତାଙ୍କୁ ମଧ୍ୟ ନବୀନଙ୍କୁ ଭେଟିବା ଲାଗି ଜଣେ ପ୍ରଭାବଶାଳୀ ଲୋକଙ୍କ ଅନୁମତି ନେବାକୁ ପଡୁଥିଲା । ନବୀନଙ୍କ ବଦଳରେ ପ୍ରଥମେ ବବି ଓ ପରେ ପାଣ୍ଡିଆନ ବୁଲି ବୁଲି ରାଜ୍ୟସାରା ବିଜେଡି ସଂଗଠନ କାମ କରୁଥିଲେ । ସ୍ଥାନୀୟ ନେତା ଙ୍କୁ ଅଣଦେଖା କରି ପ୍ରତି ନିର୍ବାଚନ ମଣ୍ଡଳୀରେ ସୃଷ୍ଟି କରିଥିଲେ ପ୍ରତିଦ୍ବନ୍ଦିତା ମୂଳକ ପରିସ୍ଥିତି । ସବୁ ସ୍ଥାନରେ ବିଜେଡିରେ ତିନିରୁ ଚାରି ଗୋଷ୍ଠି ଚଳାଇଥିଲେ ସମାନ୍ତରାଳ ସଂଗଠନ । ଯାହାର ଫଳ ସୋରୂପ ଦଳ ୨୪ ନିର୍ବାଚନରେ ଶାସକ ଦଲରୁ ବିରୋଧୀ ଦଳରେ ବସିଛି ବୋଲି କୁହାଯାଉଛି । ଏଭଳି ସ୍ଥିତି ରେ ମେଳାପୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତାଳ ଦେଇ ସଂଗଠନ ବଞ୍ଚାଇବାକୁ ନବୀନ ଙ୍କ ଚେଷ୍ଟା କେତେ ସଫଳ ହେଉଛି ତାହା ଉପରେ ନଜର ।
ଅଧିକ ପଢନ୍ତୁ ଓଡ଼ିଶା ଖବର