ନବୀନଙ୍କ ଶାସନରେ ଚାଲିଥିଲା ଦୋଷୀ ଘଣ୍ଟ ଘୋଡ଼ା ଅଭିଯାନ

ଭୁବନେଶ୍ୱର: ବିଜେଡି ସମୟରେ ନ୍ୟାୟର ବିଡମ୍ବନାକୁ ନେଇ ବିଧାନସଭା ଭିତରେ ପ୍ରଖର ହେଲା ସ୍ବର। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଠାରୁ ଆରମ୍ଭ କରି ମମିତା ମେହେରା, ସବୁ ହତ୍ୟାର ସିବିଆଇ ତଦନ୍ତ ଦାବି କଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ନବୀନଙ୍କ ଶାସନରେ ଚାଲିଥିଲା ଦୋଷୀ ଘଣ୍ଟ ଘୋଡ଼ା ଅଭିଯାନ। ପୂର୍ବରୁ ଫାଇଲ ଖୋଲିବ ବୋଲି କହିଥିଲେ ଆଇନମନ୍ତ୍ରୀ। ଏବେ ମୋହନ ସରକାରରେ ଆଶାର ସଞ୍ଚାର। ଖୋଲିବ କି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ରହସ୍ୟ ? ଧରା ପଡ଼ିବେ କି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ରକାରୀ ? ମମିତା ମେହେର ହତ୍ୟା ଘଟଣାର ପୁରା ସତ ଆସିବ କି ସାମ୍ନାକୁ ? ଜଣାପଡ଼ିବ କି ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର କାରଣ ? ଏ ସବୁ ପ୍ରଶ୍ନ ଏବେ ବି ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରୁଥିବା ବେଳେ ନୂଆ ବିଜେପି ସରକାର ଆସିବା ପରେ ସଞ୍ଚାର ହୋଇଛି ଆଶା ।
କାରଣ ପୂର୍ବ ବିଜେଡ଼ି ସରକାର ସମୟରେ ଦୋଷୀଙ୍କୁ ଧରି ଦଣ୍ଡ ଦେବା ପରିବର୍ତ୍ତେ ଘଣ୍ଟ ଘୋଡ଼ା ଯାଉଥିବାର ଆସିଥିଲା ଅଭିଯୋଗ । ବିଜେଡ଼ିର ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ସଂପୃକ୍ତି ଅଭିଯୋଗ ଉପରେ ହୋଇନଥିଲା ତଦନ୍ତ । ହେଲେ ସରକାର ପରିବର୍ତ୍ତନ ପରେ ଆଜି ବିଧାନସଭା ଶୂନ୍ୟକାଳରେ ଏହି ସବୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା, ମନ୍ତ୍ରୀ ନବ ଦାସ ହତ୍ୟା, ମମିତା ମେହେର ହତ୍ୟା ଏବଂ ଗୋବିନ୍ଦ ସାହୁଙ୍କର ରହସ୍ୟଜନକ ମୃତ୍ୟୁ ଘଟଣା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । କାରଣ ପୂର୍ବ ବିଜେଡ଼ି ସରକାର ସେ ସମୟରେ ପୋଲିସକୁ ପ୍ରଭାବିତ କରିଥିଲା । ଆଉ ଯେଉଁ ଭଳି ଢଙ୍ଗରେ ତଦନ୍ତ ହେଲା, ତାହା ମଧ୍ୟ ସନ୍ଦେହଜନକ । ତଦନ୍ତ ଉପରେ ମଧ୍ୟ ଓଡ଼ିଶାବାସୀଙ୍କର ବିଶ୍ୱାସ ନାହିଁ । ତେଣୁ ଏହି ସବୁ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସରକାର ଏହା ଉପରେ ପଦକ୍ଷେପ ନେଇ ସିବିଆଇକୁ ତଦନ୍ତ ପାଇଁ ସୁପାରିଶ କରନ୍ତୁ ବୋଲି ଦାବି କରିଛନ୍ତି ଜୟ ନାରାୟଣ ।
ସେପଟେ ଜୟ ନାରାୟଣଙ୍କ ଦାବି ପରେ କଂଗ୍ରେସ ମଧ୍ୟ ଗୃହ ବାହାରେ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛି । ଅନ୍ୟପଟେ ତାଙ୍କ ହାତରେ ସରକାର ଅଛି, ସିବିଆଇ ତଦନ୍ତ କରନ୍ତୁ ବୋଲି କହିଛି ବିଜେଡ଼ି । କେମିତି ହୋଇଥିଲା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ? କିଏ କରିଥିଲା ଷଡ଼ଯନ୍ତ୍ର ? କାହା ନିର୍ଦ୍ଦେଶରେ ସ୍ୱାମୀଜୀଙ୍କ ନିର୍ମମ ହତ୍ୟା କରିଥିଲେ ଆତତାୟୀ ? ପୂର୍ବ ସରକାର ସମୟରେ ହୋଇଥିବା ତଦନ୍ତ ରିପୋର୍ଟ କାହିଁକି ହେଲାନି ସାର୍ବଜନୀନ ? ରିପୋର୍ଟ ପଦାକୁ ଆସିଲେ ବିଜେଡ଼ି ସରକାର ଭାଙ୍ଗି ଯିବାର ଥିଲା କି ଭୟ ? ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କରି ହତ୍ୟା କରିଥିଲା ପୋଲିସ ଏଏସଆଇ ଗୋପାଳ ଦାସ ? ନବ ଦାସଙ୍କ ହତ୍ୟା ପଛରେ ଥିଲା କି ବଡ଼ ଷଡ଼ଯନ୍ତ୍ର ? ସେତେବେଳେ ହତ୍ୟାକାଣ୍ଡରେ ବିଜେଡ଼ି ନେତାଙ୍କ ସଂପୃକ୍ତି ନେଇ ଆସିଥିଲା ଅଭିଯୋଗ ।
📱 Get Argus News App
✨ସେହିପରି ବହୁ ଚର୍ଚ୍ଚିତ ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ହତ୍ୟାକାଣ୍ଡର ରହସ୍ୟରୁ ଆଜି ଯାଏଁ ଉଠୁନି ପରଦା । କେଉଁ ପରିସ୍ଥିତିରେ ମମିତା ମେହେରଙ୍କୁ ହତ୍ୟା କରିଥିଲା କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ? ହତ୍ୟା ପାଇଁ ଗୋବିନ୍ଦକୁ କେହି ନିର୍ଦ୍ଦେଶ ଦେଇଥିଲେ କି ? ମହାଲିଙ୍ଗ କଲେଜରେ ଚାଲିଥିଲା କଣ ? କଣ ଜାଣିଥିଲେ ମମିତା ମେହେର, ଯେଉଁଥିପାଇଁ ମମିତାଙ୍କୁ ଜୀବନରୁ ମାରିବା ପାଇଁ ନିଷ୍ପତି ନେଇଥିଲା ଗୋବିନ୍ଦ ? ହତ୍ୟାକାଣ୍ଡରେ ବିଜେଡ଼ି ନେତା ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲେ ମମିତାଙ୍କ ବାପା ମା । କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରି ହାତ ବାନ୍ଧି ବସି ଗଲା ପୋଲିସ । ଆଉ ହଠାତ୍ ଦିନେ କୋର୍ଟକୁ ଯିବା ପୂର୍ବରୁ ଜେଲ ଭିତରୁ ମିଳିଥିଲା ଗୋବିନ୍ଦ ସାହୁର ଝୁଲନ୍ତା ମୃତ ଦେହ । କୁହାଗଲା, ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି। କିନ୍ତୁ ଗୋବିନ୍ଦର ଏଭଳି ମୃତ୍ୟୁ ପଛରେ ସେତେବେଳେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲା ବିଜେପି । ଆଉ ଏବେ ବିଜେପି ସରକାରକୁ ଆସିବା ପରେ ପୁଣି ଖୋଲିବ କି ଏହି ସବୁ ହତ୍ୟାର ଫାଇଲ ? ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ କି ମୋହନ ସରକାର ?
ଅଧିକ ପଢନ୍ତୁ ଓଡିଶା ଖବର