ନେତାଙ୍କୁ ମନେଇବା ଲାଗି ନବୀନଙ୍କ ନୂଆ ଷ୍ଟ୍ରାଟେଜି
Key Points
- ନେତାଙ୍କୁ ମନେଇବା ଲାଗି ନବୀନଙ୍କ ନୂଆ ଷ୍ଟ୍ରାଟେଜି
- ରଚନା ହେଲା ପାଣ୍ଡିଆନଙ୍କ କୋଟେରୀଙ୍କୁ ଦୂରେଇ ରଖିବାର ନୂଆ ନାଟକ
- କୋଟେରୀ ଗ୍ରୁପକୁ ପରାଜୟର କାରଣ କହି ଜୋରଦାର ବିରୋଧ କରୁଥିଲେ ତୁଙ୍ଗ ନେତା
- ମାତ୍ର ପାଣ୍ଡିଆନଙ୍କୁ ଭଲ କହି ନବୀନ ଦେଇଥିଲେ କ୍ଲିନଚିଟ
- ନବୀନଙ୍କ କ୍ଲିନଚିଟ ପରେ ଦଳୀୟ ନେତାଙ୍କ ଅସନ୍ତୋଷ କମିବା ବଦଳରେ ବଢିଥିଲା ଅଧିକ
- ଦଳ ଭାଙ୍ଗିଯିବା ସ୍ଥିତି ଦେଖି ଲୋକଦେଖାଣିଆ ଭାବେ କୋଟେରୀ ଗ୍ରୁପଙ୍କୁ କମିଟିରୁ ଆଉଟ କରାଯାଇଥିବା ଚର୍ଚ୍ଚା
- ତିନୋଟି ନୂଆ କମିଟି କରି ୬୦ଜଣ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ
ଅର୍ଗସ ବ୍ୟୁରୋ: ନିର୍ବାଚନ ବିପର୍ଯ୍ୟୟ ପରେ ଦଳରେ ବଢ଼ୁଥିବା ତୀବ୍ର ଗୋଷ୍ଠୀକନ୍ଦଳ ଓ ବୟାନବାଜି ଉପରେ ଲଗାମ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆପଣେଇଛନ୍ତି ନୂଆ ଷ୍ଟ୍ରାଟେଜି । ଦଳର ୧୫ ଜଣିଆ ସମନ୍ୱୟ କମିଟି ପରେ ୩ଟି ନୂଆ କମିଟି ଗଠନ କରି ୬୦ ଜଣ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରାଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ସଂଯୋଜନାରେ ୧୭ଜଣିଆ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀ ନାୟକଙ୍କ ସଂଯୋଜନାରେ ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ସଂଯୋଜନାରେ ୨୧ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ କମିଟି ଗଠନ ହୋଇଛି । କମିଟିରେ ଦଳର ବିଧାୟକ, ସାଂସଦ ଓ ପରାଜିତ ପ୍ରାର୍ଥୀମାନଙ୍କୁ ଥଇଥାନ କରି ସେମାନଙ୍କ ମୁହଁକୁ ବନ୍ଦ ରଖିବା ପାଇଁ ହୋଇଛି ପ୍ରୟାସ ।ସବୁଠୁ ବଡ଼ କଥା ହେଉଛି ଦଳୀୟ ନେତା ଙ୍କ ଅଭିଯୋଗ ମୁତାବକ ନିର୍ବାଚନ ବିପର୍ଯ୍ୟୟ ପାଇଁ ଦାୟୀ ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କୁ ଲୋକ ଦେଖାଣିଆ ଭାବେ ସମସ୍ତ କମିଟିରୁ ଦୁରେଇ ରଖା ଯାଇଛି । ଅସନ୍ତୁଷ୍ଟ ନେତା ଙ୍କୁ ମଧ୍ୟ ମନେଇବାକୁ ଚେଷ୍ଟା କରିଛନ୍ତି ନବୀନ ।
ନିର୍ବାଚନରେ ଶୋଚନୀୟ ପରାଜୟକୁ ୩ମାସ ବିତିଯାଇଥିଲେ ମଧ୍ୟ ଦଳ ବର୍ତ୍ତମାନ ସୁଦ୍ଧା ବି ସମୀକ୍ଷା କରିବାକୁ ସାହାସ କରିପାରିନି । କେବଳ ବୁଲେଇବଙ୍କେଇ ଜିଲ୍ଲାସ୍ତରର ନେତାମାନଙ୍କୁ ଡାକି ନବୀନ ସାଂଗଠନିକ ସ୍ଥିତିର ସମୀକ୍ଷା କରୁଛନ୍ତି । ଆଉ ସେହି ବୈଠକରେ ଭିକେ ପାଣ୍ଡିଆନ ନିଜର ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ ଓ ତାଙ୍କ ଟିମ୍ ମାଧ୍ୟମରେ କିଭଳି ଜିଲ୍ଲାରେ ସଂଗଠନକୁ ନଷ୍ଟ କରିଛନ୍ତି ତାର ଗୁମର ଜିଲ୍ଲାସ୍ତରର ନେତାମାନେ ଖୋଲିଛନ୍ତି । ନବରଙ୍ଗପୁର ଜିଲ୍ଲା ସମୀକ୍ଷା ବେଳେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ସିଧା ସିଧା ନବୀନଙ୍କୁ ଏଭଳି କିଛି ଶୁଣାଇଥିଲେ । କହିଥିଲେ ଦଳର ନିର୍ବାଚନୀ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ଅର୍ନ୍ତଘାତୀ କାର୍ଯ୍ୟ ଯୋଗୁ ବିଜେଡିକୁ ପରାଜୟ ଭୋଗିବାକୁ ପଡ଼ିଲା । ସେହିପରି ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ନିର୍ବାଚନ ବେଳେ ନବୀନ ନ ବୁଲିବା ଓ ସଙ୍ଗଠନ ପାଇଁ ସମୟ ନ ଦେବାକୁ ଦାୟୀ କରିଥିଲେ । ଆଉ ଅଶ୍ୱିନୀ ପାତ୍ର ମଧ୍ୟ ବିମୁଖ ନେତା ଙ୍କୁ ସଙ୍ଗଠନ କୁ ଫେରାଇ ଆଣିବାକୁ ଦେଇଥିଲେ ପରାମର୍ଶ । ତେବେ ପ୍ରଦୀପ, ବଦ୍ରୀ ଓ ଅଶ୍ୱିନୀ ଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାଥି ଥିବା ଅବିନାଶ ସାମଲ ମଧ୍ୟ ସମାନ କାରଣ ଦର୍ଶାଇ ଅସନ୍ତୋଷ ଝାଡିଛନ୍ତି ।
ଦଳର ୧୫ଜଣିଆ ସମନ୍ୱୟ କମିଟି ସଦସ୍ୟମାନଙ୍କ ସମେତ ଅନ୍ୟ ୩ଟି ନୂଆ କମିଟିର ୬୦ଜଣିଆ ସଦସ୍ୟ ଓ ସମସ୍ତ ସାଂଗଠନିକ ଜିଲ୍ଲା ସଭାପତିମାନଙ୍କୁ ନେଇ ୨୭ତାରିଖର ଶଙ୍ଖଭବନରେ ବୈଠକ ଡ଼କାଯାଇଛି । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ତା ପୂର୍ବରୁ ବୈଠକ ଡକାଇ ଦଳରେ ସବୁକିଛି ଠିକ୍ ଚାଲିଛି ବୋଲି ସନ୍ଦେଶ ଦେବାକୁ ଯୋଜନା କରିଛି ବିଜେଡି ।
📱 Get Argus News App
✨ଅଧିକ ପଢନ୍ତୁ ଓଡିଶା ଖବର...